ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳରେ ସକ୍ରିୟ ଥିବା ଏକ ବଡ଼ ଧରଣର ଡକାୟତ ଏବଂ ସାଇବର ଠକେଇ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି ବଡ଼ବିଲ୍ ଥାନା ପୋଲିସ। ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ସାଇବର୍ ଠକେଇରେ ବେଶ୍ ପାରଙ୍ଗମ ଏବଂ ଝାଡ଼ଖଣ୍ଡର କୁଖ୍ୟାତ ‘ଜାମତାରା ଗ୍ୟାଙ୍ଗ୍’ ସହ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଗତ ଜୁନ୍ ୪ ତାରିଖରେ ପ୍ରିୟତୋଷ ରାୟ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍ ଡ୍ରାଇଭର ରାମପୂଜନ ତାନ୍ତିଙ୍କୁ ରଇଡ଼ା ଛକ ନିକଟରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ମୋବାଇଲ୍ ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ। ପରେ ସେହି ଲୁଟ୍ ହୋଇଥିବା ମୋବାଇଲ୍ ସାହାଯ୍ୟରେ ଅନ୍ଲାଇନ୍ ଆପ୍ ଜରିଆରେ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧,୮୬,୫୦୦ ଟଙ୍କା ଗାଏବ କରିଦିଆଯାଇଥିଲା। ଏ ନେଇ ଜୁଲାଇ ୬ ତାରିଖରେ ବଡ଼ବିଲ୍ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ବଡ଼ବିଲ ଓ ଯୋଡ଼ା ଅଞ୍ଚଳର ୯ରୁ ୧୦ ଜଣ ଅସାମାଜିକ ବ୍ୟକ୍ତି ଏକ ଗ୍ୟାଙ୍ଗ୍ ଗଠନ କରି ଦୀର୍ଘଦିନ ଧରି ଚୋରି, ଛିନତାଇ ଓ ଡକାୟତି କାର୍ଯ୍ୟରେ ଲିପ୍ତ ଥିଲେ। ବିଶେଷକରି ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ୍ କରି ସେମାନେ ଏହି ଅପରାଧ କରୁଥିଲେ।
ଏହି ଗ୍ୟାଙ୍ଗ୍, ଲୁଟ୍ କରାଯାଇଥିବା ମୋବାଇଲ୍ ଫୋନ୍ଗୁଡ଼ିକୁ ଠାକୁରାଣୀ ଅଞ୍ଚଳର ଚନ୍ଦ୍ରାବତୀ ପାତ୍ର ନାମକ ଜଣେ ମହିଳାଙ୍କୁ ୫ରୁ ୬ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଚନ୍ଦ୍ରାବତୀଙ୍କ ‘ଜାମତାରା ଗ୍ୟାଙ୍ଗ୍’ ସହ ଲିଙ୍କ୍ ରହିଥିବା ବେଳେ ଲୁଟ୍ ମୋବାଇଲ୍ ଫୋନ୍ରେ ଥିବା PhonePe, Google Pay ଭଳି ଆପ୍ ବ୍ୟବହାର କରି ଜାମତାରା ଗ୍ୟାଙ୍ଗ୍ ସହାୟତାରେ ଅନ୍ୟାନ୍ୟ ଖାତାକୁ ଟଙ୍କା ଟ୍ରାନ୍ସଫର୍ କରୁଥିଲେ ଏବଂ ପରେ ଏହି କାରବାରରୁ ୨୦%ରୁ ୩୦% ପର୍ଯ୍ୟନ୍ତ କମିଶନ ପାଉଥିଲେ ଚନ୍ଦ୍ରାବତୀ ।
Also Read: ଅପରାଧୀ ମହମ୍ମଦ ନାସିଫକୁ ପୋଲିସର ଏନ୍କାଉଣ୍ଟର, ଡାହାଣ ଗୋଡ଼ରେ ବାଜିଛି ଗୁଳି
ପୋଲିସ ଚଢ଼ାଉ ସମୟରେ ଚନ୍ଦ୍ରାବତୀଙ୍କ ଘରୁ ୧୨ଟି ମୋବାଇଲ୍, ୨୬ଟି ବ୍ୟାଙ୍କ ପାସ୍ବୁକ୍ ଓ ୨୮ଟି ସିମ୍ କାର୍ଡ ଜବତ କରିଛି । ଆଜି ଭୋର ସମୟରେ ଯୋଡ଼ା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ମାରଣାସ୍ତ୍ର ସହିତ ଧରିଥିଲା। ପଚରା ଉଚୁରା ପରେ ଚନ୍ଦ୍ରାବତୀକୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ଠାକୁରାଣୀ ଅଞ୍ଚଳର ହଳଧର ନାୟକ, ରୌନକ ପାତ୍ର, ମାନସ ତାନ୍ତି, ଆରବାଜ୍ ଖାନ, ଚନ୍ଦ୍ରବତୀ ପାତ୍ର ଓ ବଡ଼ବିଲ ଭଞ୍ଜ କଲୋନୀର ସୁରଜ ପାଲ ଚୌଧୁରୀ । ଡକାୟତ ଗ୍ୟାଙ୍ଗ ଠାରୁ ୩ଟି ଖଣ୍ଡା, ଗୋଟିଏ ଛୁରୀ, ୫ଟି ମୁଖା (ମାସ୍କ) ଏବଂ ୩ ହଜାର ୩ ଶହ ଟଙ୍କା ଜବତ କରାଯାଇଛି। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଏବଂ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ କହିଛନ୍ତି ।
