ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲୋକଙ୍କ ଚାକିରି ଖାଇବ । ଏହି ଆଶଙ୍କା ଧୀରେ ଧୀରେ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ଲୋକଙ୍କ ବଦଳରେ ଏବେ କାରଖାନାରେ ସବୁ କାମ କରୁଛନ୍ତି ରୋବଟ୍ । ଏହାର ସଫଳ ପରୀକ୍ଷଣ କରିଛି ଚୀନ । ଚୀନର ରୋବୋଟିକ୍ସ କମ୍ପାନୀ ‘ଏଜିବଟ୍’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି।
ଏହି କମ୍ପାନୀର ହ୍ୟୁମାନଏଡ୍ ରୋବୋଟଗୁଡ଼ିକୁ ଏକ କାରଖାନାରେ ଟାବଲେଟ୍ ପ୍ରସ୍ତୁତ କରିବା ସହ ସେଗୁଡ଼ିକର ଯାଞ୍ଚ କରିବା ଭଳି ଲାଇଭ୍ ପ୍ରଡକ୍ସନ ଲାଇନରେ ସଫଳତାର ସହ କାମ କରୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଦୀର୍ଘ ୬ ଦିନ ଧରି ଲାଇଭ୍ ଷ୍ଟ୍ରିମିଂ ଜରିଆରେ ସାରା ଦୁନିଆ ସାମ୍ନାରେ ପ୍ରଦର୍ଶିତ କରାଯାଇଥିଲା। ଏହି ସମୟ ମଧ୍ୟରେ ୮ଟି ରୋବୋଟ୍ ବିନା କୌଣସି ବିରତିରେ ଠିକ୍ ମଣିଷ ଭଳି କାରଖାନାରେ କାମ କରିଥିଲେ। ମାତ୍ର ପାର୍ଥକ୍ୟ ଏତିକି ଥିଲା ଯେ, ସେମାନେ ମଣିଷଙ୍କ ଭଳି ନଥକି ନିରନ୍ତର କାର୍ଯ୍ୟ କରିଚାଲିଥିଲେ।
‘ଲଙ୍ଗଚିୟର ଟେକ୍ନୋଲୋଜି’ କାରଖାନାରୁ ଏହି ୬ ଦିନିଆ ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍ ଗୁଡ଼ିକ କାରଖାନାରେ କ୍ରମାଗତ ଭାବେ ୬୪ ଘଣ୍ଟାରୁ ଅଧିକ ସମୟ କାମ କରିଥିଲେ। ଏହି ୬ ଦିନ ମଧ୍ୟରେ ରୋବୋଟ୍ ଗୁଡ଼ିକ ମୋଟ ୧୭,୬୨୫ଟି ଟାବଲେଟ୍ ପ୍ରସ୍ତୁତ କରିଥିଲେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ସେମାନଙ୍କର କାର୍ଯ୍ୟ ସଠିକତା ବା ସଫଳତା ହାର ୯୯.୯୯% ରହିଥିଲା। ଏହାର ଅର୍ଥ ହେଉଛି, ରୋବୋଟ ଦ୍ୱାରା ଭୁଲ୍ ହେବାର ସମ୍ଭାବନା ନଗଣ୍ୟ ଥିଲା।
କାରଖାନାରେ କାର୍ଯ୍ୟରେ ନିୟୋଜିତ ଏହି ରୋବୋଟ୍ ଗୁଡ଼ିକ ଏଜିବଟ୍ କମ୍ପାନୀର ‘G2 ହ୍ୟୁମାନଏଡ୍ ମଡେଲ୍’ ଥିଲେ। ଏହି ରୋବୋଟଡ଼ିକ ୬ ଦିନ ଧରି କାରଖାନାର ଅନ୍ୟ ଶ୍ରମିକମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିଥିଲେ। ସେଗୁଡ଼ିକ ମୁଖ୍ୟତଃ ଟାବଲେଟଗୁଡ଼ିକର ଗୁଣବତ୍ତା ଯାଞ୍ଚ କରିବା , ତ୍ରୁଟିପୂର୍ଣ୍ଣ ବା ଖରାପ ପିସକୁ ଅଲଗା କରିବା ଏବଂ ସାମଗ୍ରୀକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ। ଏହିପରି ଭାବେ ମାତ୍ର ୬ ଦିନ ମଧ୍ୟରେ ଏହି ରୋବୋଟ୍ ସମୂହ ମୋଟ ୬୪,୮୨୮ଟି ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିଥିଲେ।
