ନୂଆଦିଲ୍ଲୀ: ଆଇସିସି (ICC) ମହିଳା ଟି-୨୦ ବିଶ୍ୱକପ୍ର ନକ୍-ଆଉଟ୍ ପର୍ଯ୍ୟାୟ ପୂର୍ବରୁ ଭାରତୀୟ ଦଳ ଟୁର୍ଣ୍ଣମେଣ୍ଟରୁ ବିଦା ହୋଇଛି ସତ, କିନ୍ତୁ ବିଶ୍ୱକପ୍ର ସବୁଠାରୁ ବଡ଼ ମ୍ୟାଚ୍ରେ ଜଣେ ଭାରତୀୟ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଐତିହାସିକ ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଭାରତର ବୃନ୍ଦା ରାଠୀ ଅନ୍-ଫିଲ୍ଡ ଅମ୍ପାୟରିଂ କରିବାକୁ ଯାଉଛନ୍ତି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ବିଶ୍ୱକପ୍ ଫାଇନାଲରେ ଅମ୍ପାୟର ଦାୟିତ୍ୱ ତୁଲାଇବାରେ ସେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିବେ। ଏହାସହିତ ଭାରତର ଜିଏସ୍ ଲକ୍ଷ୍ମୀ ଏହି ମ୍ୟାଚ୍ରେ ରେଫରୀ ଭାବେ କାର୍ଯ୍ୟ କରିବେ,ଫଳରେ ଏହି ମେଗା ଫାଇନାଲ୍ରେ ଦୁଇଜଣ ଭାରତୀୟ ଅଫିସିଆଲ୍ ନଜର ଆସିବେ।
ବୃନ୍ଦା ରାଠୀଙ୍କ ପାଇଁ ଏହି ସଫଳତା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଉପଲବ୍ଧି। କିନ୍ତୁ ତାଙ୍କର ଏହି ଯାତ୍ରା ଜଣେ ଅମ୍ପାୟର ଭାବେ ନୁହେଁ, ବରଂ ଜଣେ ଖେଳାଳି ଭାବେ ଆରମ୍ଭ ହୋଇଥିଲା। ନଭି ମୁମ୍ବାଇର ନେରୁଲ୍ ଅଞ୍ଚଳରେ ବଡ଼ ହୋଇଥିବା ବୃନ୍ଦା ଜଣେ ମିଡିୟମ ପେସ୍ ବୋଲର ଥିଲେ। ସେ ମୁମ୍ବାଇ ୟୁନିଭର୍ସିଟି ତରଫରୁ ପ୍ରାୟ ୪ ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ।
ସେ ମୁମ୍ବାଇର ସିନିୟର ମହିଳା କ୍ରିକେଟ୍ ଦଳରେ ଖେଳିବାକୁ ଆଶା ରଖିଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା, ସେ କ୍ରିକେଟ୍ ସହ ଜଡ଼ିତ ରହିବା ପାଇଁ ପ୍ରଥମେ ସ୍କୋରିଂ ଏବଂ ପରେ ଅମ୍ପାୟରିଂକୁ ଆପଣେଇଥିଲେ।
ଖେଳ ପ୍ରତି ତାଙ୍କର ଗଭୀର ଆନୁଗତ୍ୟ ଦେଖି ବିସିସିଆଇ (BCCI) ର ପୂର୍ବତନ ଅମ୍ପାୟର ଗଣେଶ ଆୟର ତାଙ୍କୁ ଅମ୍ପାୟରିଂ ଦୁନିଆକୁ ଆସିବା ପାଇଁ ଉତ୍ସାହିତ କରିଥିଲେ। ପରେ ରାଠୀ ୨୦୧୪ରେ ମୁମ୍ବାଇ କ୍ରିକେଟ ଆସୋସିଏସନର ଅମ୍ପାୟାରିଂ ପରୀକ୍ଷା ଏବଂ ୨୦୧୮ରେ ବିସିସିଆଇର ଜାତୀୟ ଯୋଗ୍ୟତା ପାସ୍ କରିଥିଲେ। ୨୦୨୦ରେ, ସେ ଏବଂ ଜନନୀ ନାରାୟଣନ୍ ପ୍ରଥମ ଭାରତୀୟ ମହିଳା ଭାବରେ ଆଇସିସି ଅମ୍ପାୟାର ବିକାଶ ପ୍ୟାନେଲରେ ସାମିଲ ହୋଇଥିଲେ।
