ନୂଆଦିଲ୍ଲୀ: ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ଉମର ଖାଲିଦ୍ ଏବଂ ସରଜିଲ୍ ଇମାମଙ୍କୁ କୋର୍ଟରୁ ପୁଣି ଥରେ ବଡ଼ ଝଟ୍କା ଲାଗିଛି। ଦିଲ୍ଲୀର କରକରଡୂମା ଅଦାଲତର ଅତିରିକ୍ତ ସେସନ୍ସ ଜଜ୍ ସମୀର ବାଜପେୟୀ ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଉଭୟଙ୍କ ଜାମିନ ଆବେଦନକୁ ଜୋରଦାର ବିରୋଧ କରାଯାଇଥିଲା। ପୋଲିସ ପକ୍ଷରୁ ହାଜର ହୋଇଥିବା ସ୍ୱତନ୍ତ୍ର ସରକାରୀ ଓକିଲ ମଧୁକର ପାଣ୍ଡେ କୋର୍ଟରେ ସେମାନଙ୍କୁ ଜାମିନକୁ ବିରୋଧ କରିଥିଲେ ।
ସେ କହିଥିଲେ, ପୂର୍ବରୁ ଜାମିନ ନାକଚ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ମାମଲାର ପରିସ୍ଥିତି କିମ୍ବା ଘଟଣାକ୍ରମରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ତେଣୁ ସେମାନଙ୍କୁ ଜାମିନ ମିଳିବା ଉଚିତ ନୁହେଁ । ଅନ୍ୟ ଅଭିଯୁକ୍ତମାନଙ୍କ ତୁଳନାରେ ଉମର ଖାଲିଦ୍ ଏବଂ ସରଜିଲ୍ ଇମାମଙ୍କ ଭୂମିକା ସମ୍ପୂର୍ଣ୍ଣ ଭିନ୍ନ ଓ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ସେମାନେ ଏହି ଦଙ୍ଗା ମାମଲାରେ ମୁଖ୍ୟ ଅଭିଯୁକ୍ତ ।
ଦିଲ୍ଲୀ ପୋଲିସର ଏହି ଯୁକ୍ତିକୁ ଶୁଣିବା ପରେ ଅତିରିକ୍ତ ସେସନ୍ସ ଜଜ୍ ସମୀର ବାଜପେୟୀ ନିଜର ରାୟ ସଂରକ୍ଷିତ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହି ନିଷ୍ପତ୍ତି ଫଳରେ ଦୀର୍ଘ ଦିନ ହେବ ଜେଲରେ ଥିବା ଏହି ଦୁଇ ଛାତ୍ର ନେତାଙ୍କୁ ବର୍ତ୍ତମାନ କୌଣସି ଆଶ୍ୱସ୍ତି ମିଳିନାହିଁ।
