Voice of Eastern India

ପୁରା ପ୍ରଥାର ଅନ୍ତ, ନୂଆ ଯୁଗର ଆରମ୍ଭ: ୧୩ ବର୍ଷୀୟା ଝିଅ ରଚିଲେ ଇତିହାସ, ରାଜସ୍ଥାନ ରାଜପରିବାରର ହେଲେ ପ୍ରଥମ ମହିଳା ଉତ୍ତରାଧିକାରୀ


ଜୟପୁର: ଶତାବ୍ଦୀର ପୁରୁଣା ପରମ୍ପରାକୁ ଭାଙ୍ଗି ରାଜସ୍ଥାନର ପାଲି ଜିଲ୍ଲାର ଏକ ରାଜପରିବାର ଜଣେ ୧୩ ବର୍ଷର ନାବାଳିକାଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛି । ପୁରୁଷ ପ୍ରଧାନ ଦୁନିଆରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ବିରଳ ପରିବର୍ତ୍ତନ ଆଣିଛି ।

ଖେରୱା ଗ୍ରାମରେ ପାରମ୍ପରିକ “ପାଗ୍ କା ଦସ୍ତୁର” ଅନୁଯାୟୀ ତେଜସ୍ୱୀ କୁମାରୀ ଯୋଧାଙ୍କୁ ରାଜତିଳକ କରାଯାଇଛି । ତାଙ୍କ ପିତା ହରିଶ ଚନ୍ଦ୍ର ଯୋଧାଙ୍କ ଦେହାନ୍ତ ପରେ ସେ ଖେରୱାଗଡ଼ ବଂଶର ପରବର୍ତ୍ତୀ ଉତ୍ତରାଧିକାରୀ ହୋଇଛନ୍ତି । ୧୭ଶ ଶତାବ୍ଦୀର ଐତିହାସିକ ଖେରୱା ଦୁର୍ଗରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଅଞ୍ଚଳରେ ରାଜପୁତ ସମାଜର ପାରମ୍ପରିକ ଉତ୍ତରାଧିକାର ପ୍ରଥା ଅନୁଯାୟୀ ଜଣେ କନ୍ୟାକୁ ଉତ୍ତରାଧିକାରୀ ଭାବେ ସ୍ୱୀକୃତି ମିଳିବା ଏହା ପ୍ରଥମ ଘଟଣା ।

ଏହି ରୀତିନୀତି ସମୟରେ ବୈଦିକ ମନ୍ତ୍ରୋଚାରଣ କରାଯାଇଥିଲା । ପରିବାରର ଦାୟିତ୍ୱ ଗ୍ରହଣର ପ୍ରତୀକ ସ୍ୱରୂପ ତେଜସ୍ୱୀଙ୍କ ମୁଣ୍ଡରେ ଏକ ପାରମ୍ପରିକ ଗୋଲାପୀ ରଙ୍ଗର ପଗଡ଼ି ପିନ୍ଧାଇ ଦିଆଯାଇଥିଲା । ପରମ୍ପରା ଅନୁଯାୟୀ ଏହି ପଗଡ଼ି ଯୋଧପୁର-ମାରୱାଡ଼ର ପୂର୍ବତନ ରାଜପରିବାର ପକ୍ଷରୁ ପଠାଯାଇଥିଲା । ପୁରାତନ ପ୍ରଥା ଅନୁଯାୟୀ ତାଙ୍କ କପାଳରେ ତିଳକ ମଧ୍ୟ ଲଗାଯାଇଥିଲା ।

ଯୋଧପୁର ସାମ୍ରାଜ୍ୟ ଅଧୀନରେ ଥିବା ପାଲିର କିଛି ଅଂଶରେ “ପାଗ୍ କା ଦସ୍ତୁର” ପ୍ରଥା ପାଳନ କରାଯାଏ, ଯାହା ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ନେତୃତ୍ୱ ଓ ଦାୟିତ୍ୱ ହସ୍ତାନ୍ତରକୁ ଦର୍ଶାଇଥାଏ। ତେବେ ଇତିହାସରେ ଏହା କେବଳ ପୁରୁଷ ଉତ୍ତରାଧିକାରୀଙ୍କ ମଧ୍ୟରେ ସୀମିତ ଥିଲା । ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହିଛନ୍ତି ଯେ ତେଜସ୍ୱୀଙ୍କ ପିତାଙ୍କର ପୁତ୍ର ସନ୍ତାନ ନଥିବାରୁ ସମସ୍ତଙ୍କ ସହମତିରେ ତାଙ୍କୁ ଉତ୍ତରାଧିକାରୀ ମନୋନୀତ କରାଯାଇଛି । ପୁରୁଷ ଉତ୍ତରାଧିକାରୀଙ୍କ ଅଭାବ ଯୋଗୁଁ ଏହି ରାଜପରିବାରରେ ୬୫ ବର୍ଷ ହେବ ଏହି ଉତ୍ସବ ଅନୁଷ୍ଠିତ ହୋଇନଥିଲା ।

ସ୍ଥାନୀୟ ଲୋକେ ଏହାକୁ ଏକ ପ୍ରଗତିଶୀଳ ପଦକ୍ଷେପ ଏବଂ ବଦଳୁଥିବା ସାମାଜିକ ଚିନ୍ତାଧାରାର ପ୍ରତିଫଳନ ବୋଲି କହିଛନ୍ତି । ପାରମ୍ପରିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ଆଧୁନିକ ସମାନତାର ଚିନ୍ତାଧାରାକୁ ଗ୍ରହଣ କରିବା ପାଇଁ ସମାଜ ଏହି ନିଷ୍ପତ୍ତି ନେଇଛି ବୋଲି ସେମାନେ କହିଛନ୍ତି ।



Source link

Leave A Reply

Your email address will not be published.