କାସଗଞ୍ଜ: ଉତ୍ତରପ୍ରଦେଶ ଅଲିଗଡ଼ରେ ଏକ ପ୍ରଶିକ୍ଷଣ ବିମାନ କାସଗଞ୍ଜ ପୋଲିସ୍ ଲାଇନ ପଛପଟ ହାଇୱେ ଉପରେ ଖସି ପଡିଛି। ଏହି ଦୁର୍ଘଟଣାରେ ବିମାନ ଚାଳନା କରୁଥିବା ମହିଳା ପାଇଲଟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ବେଳେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଚେତକ ଏଭିଏସନର ବୋଲି ଜଣାପଡିଛି। ଆହତ ମହିଳା ପାଇଲଟଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ କାୟନାତ ଖାନ ବୋଲି ପୋଲିସ କହିଛି। ବିମାନରେ ବୈଷୟିକ ତ୍ରୁଟି ଯୋଗୁ ପାଇଲଟ ବିମାନକୁ ଚକ୍କର ଲଗାଇଥିଲେ। ତେବେ ବିମାନଟି ବିଦ୍ୟୁତ ତାରରେ ଧକ୍କା ଲାଗି ମଥୁରା-ବରେଲୀ ଜାତୀୟ ରାଜମାର୍ଗ କଡ଼କୁ ଖସି ପଡିଛି।
ଦୁର୍ଘଟଣାରେ ପାଇଲଟ କାୟନାତ ଖାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୋଲିସ ଉଦ୍ଧାର କରିବା ପରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ପାଇଲଟ ୨୭ ବର୍ଷ ବୟଷ୍କା କାୟନାତ ଖାନ ମୁମ୍ବାଇ ବାସିନ୍ଦା। ଦୁର୍ଘଟଣା ପରେ ଅନେକ ଅଧିକାରୀ ଓ ପୋଲିସ ଫୋର୍ସ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଏହି ବିମାନଟି ଅଲିଗଡ଼ର ଧନୀପୁର ଏୟାରଷ୍ଟ୍ରିପରୁ ଉଡାଣ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଅଲିଗଡ଼ ଏୟାରପୋର୍ଟ ନିର୍ଦ୍ଦେଶକ ସତ୍ୟବ୍ରତ ସାରସ୍ୱତ କହିଛନ୍ତି ଯେ ଚେତକ ଏଭିଏସନର ଏହି ବିମାନ ମଧ୍ୟାହ୍ନ ୩ଟା ୩୦ ମିନିଟ୍ ରେ ଏୟାରପୋର୍ଟରୁ ଉଡିଥିଲା। ତେବେ ଦୁର୍ଘଟଣା ସୂଚନା ଅପରାହ୍ନ ୪ଟା ବେଳେ ମିଳିଛି। ଦୁର୍ଘଟଣା ସୂଚନା ପାଇ ଅଲିଗଡ଼ ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ଚେତନ ଏଭିଏସନର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ଗୁରୁତ୍ୱକୁ ଦେଖି ମାମଲାରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କୁ ସୂଚିତ କରାଯାଇଛି। ଡିଜିସିଏଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏହି ଦୁର୍ଘଟଣାର ଯାଞ୍ଚ କରିବେ।
ଦୁର୍ଘଟଣାଗ୍ରସ୍ତ ବିମାନଟି ଚେତକ ଏଭିଏସନର ହୋଇଥିବା ବେଳେ ଏହାର ରେଜିଷ୍ଟ୍ରେସନ ନମ୍ବର ଭିଟି ଏଏଫବି। ଏହା ସେସନା ଏୟାରକ୍ରାଫ୍ଟ କମ୍ପାନୀ ଦ୍ୱାରା ନିର୍ମିତ ଏକ ଟୁ-ସିଟର, ଫିକ୍ସ ଗିୟର ଲାଇଟ ପିଷ୍ଟନ ଏୟାରକ୍ରାଫ୍ଟ। ଏଭଳି ବିମାନକୁ ସାଧାରଣତଃ ପ୍ରାଇଭେଟ୍ ଓ କମର୍ସିଆଲ ଲାଇସେନ୍ସ ନିମନ୍ତେ ଆବଶ୍ୟକ ଉଡାଣ ଘଣ୍ଟା ହାସଲ ପାଇଁ ପାଇଲଟ ବ୍ୟବହାର କରନ୍ତି।
