ଦୈତାରୀ ଲୁହାପଥର ଖଣି ପରିଦର୍ଶନ କଲେ ଓଏମସି ପରିଚାଳନା ନିର୍ଦ୍ଦେଶକ : ନିରବିଚ୍ଛିନ୍ନ କଞ୍ଚାମାଲ ଯୋଗାଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୨୯|୦୬: ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଦୈତାରୀ ଲୁହାପଥର ଖଣି ଏବଂ ବାଙ୍ଗୁର କ୍ରୋମାଇଟ୍ ଖଣି ପରିଦର୍ଶନ କରି ଖଣି କାର୍ଯ୍ୟକଳାପର ସମୀକ୍ଷା କରିବା ସହ ଉତ୍ପାଦନ ବୃଦ୍ଧି, କାର୍ଯ୍ୟଦକ୍ଷତା, ସୁରକ୍ଷା ଓ ସ୍ଥାୟୀ ଖଣି ପରିଚାଳନା ଉପରେ ଆଲୋଚନା କରିଛନ୍ତି। ଏହାସହ ରାଜ୍ୟର ଶିଳ୍ପ ବିକାଶକୁ ସୁଦୃଢ଼ କରିବା ପାଇଁ ଶିଳ୍ପ କ୍ଷେତ୍ରକୁ ନିରବିଚ୍ଛିନ୍ନ କଞ୍ଚାମାଲ ଯୋଗାଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଦୈତାରୀ ଲୁହାପଥର ଖଣି ପରିଦର୍ଶନ ସମୟରେ ଶ୍ରୀ ସାମଲ ଉତ୍ପାଦନ ବ୍ୟବସ୍ଥା, କାର୍ଯ୍ୟଦକ୍ଷତା, ଲଜିଷ୍ଟିକ୍ସ ଏବଂ ପରିଚାଳନାର ସମୀକ୍ଷା କରିଛନ୍ତି। ଉତ୍ପାଦନ ବୃଦ୍ଧି, ସମ୍ବଳର ସଠିକ୍ ପରିଚାଳନା, ସ୍ଥାୟୀ ଖଣି କାର୍ଯ୍ୟକଳାପ ଓ ପରିବେଶ ସଂରକ୍ଷଣ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି।
ବାଙ୍ଗୁର ଭୂତଳ କ୍ରୋମାଇଟ୍ ଖଣି ପରିଦର୍ଶନ ସମୟରେ ଶ୍ରୀ ସାମଲ ଭୂତଳ ଖଣି କାର୍ଯ୍ୟକଳାପ, ଲମ୍ପି କ୍ରୋମାଇଟ୍ ଖଣିଜର ଉତ୍ପାଦନ କ୍ଷମତା ବୃଦ୍ଧି କରି ଶିଳ୍ପ କ୍ଷେତ୍ରର ଚାହିଦା ପୂରଣ ଏବଂ ଖଣିଜ ପରିବହନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଉତ୍ପାଦନ ବୃଦ୍ଧି ପାଇଁ ଆଧୁନିକ ଖଣି ପରିଚାଳନା ପଦ୍ଧତିର ପ୍ରୟୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉତ୍ପାଦନ ବୃଦ୍ଧି ସହିତ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ ଭୂତଳ ଖଣିର ସମସ୍ତ ସୁରକ୍ଷା ନିୟମର ପାଳନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଭୟ ଖଣି ପରିଦର୍ଶନ ସମୟରେ ଶ୍ରୀ ସାମଲ କହିଛନ୍ତି ଯେ କାର୍ଯ୍ୟଦକ୍ଷତା, ସୁରକ୍ଷା ଓ ସ୍ଥାୟୀ ଖଣି ପରିଚାଳନାର ସମନ୍ୱୟ ହିଁ ଓଏମସିକୁ ଦେଶର ଅଗ୍ରଣୀ ଖଣି କମ୍ପାନୀ ଭାବେ ଆହୁରି ସଶକ୍ତ କରିବ। ସେ ଅଧିକାରୀମାନଙ୍କୁ ନିରନ୍ତର ଉନ୍ନତି, ସମ୍ବଳର ଦକ୍ଷ ପରିଚାଳନା ଓ ଦାୟିତ୍ୱବୋଧ ସହ ଖଣି କାର୍ଯ୍ୟକଳାପ ପରିଚାଳନା କରି ଉତ୍ପାଦନ ବୃଦ୍ଧି ସହ କର୍ମଚାରୀଙ୍କ ସୁରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛନ୍ତି।
ଏହି ପରିଦର୍ଶନ ସୁରକ୍ଷିତ, ଦକ୍ଷ ଓ ସ୍ଥାୟୀ ଖଣି କାର୍ଯ୍ୟକଳାପ ପ୍ରତି ଓଏମସିର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ଆଗାମୀ ଦିନରେ ଓଡ଼ିଶାର ଆର୍ଥିକ ବିକାଶକୁ ଆହୁରି ସୁଦୃଢ଼ କରିବା ସହ ବିଭିନ୍ନ ଶିଳ୍ପକୁ ଖଣିଜ ସମ୍ପଦର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବ।
