Voice of Eastern India

ପବିତ୍ର ସ୍ନାନଯାତ୍ରା : ଆରମ୍ଭ ହେଲାଣି ପହଣ୍ଡି, ସ୍ନାନବେଦୀକୁ ଆସୁଛନ୍ତି ମହାପ୍ରଭୁ


ପୁରୀ,୯|୦୬:ସୋମବାର ମହାପ୍ରଭୁ ରତ୍ନ ସିଂହାସନରୁ ଆସିବେ ସ୍ନାନ ମଣ୍ଡପକୁ। ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଯାତ୍ରା ଏବଂ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ମଧ୍ୟ ଆରମ୍ଭ ହୋଇଗଲାଣି। ମୁଖ୍ୟତଃ ମହାପ୍ରଭୁଙ୍କ ନୀତିକାନ୍ତିକୁ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ସମଗ୍ର ପୁରୀ ସହରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି।

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଗଜାନନ ବେଶ ହେବ। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି। ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ଦିବ୍ୟ ସ୍ନାନ ଲୀଳା ଏବଂ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ତେବେ ମହାପ୍ରଭୁଙ୍କ ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି କିଭଳି ସଠିକ୍ ସମୟରେ ହୋଇପାରିବ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି। ଭୋର ୫ ଟାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି। ଦିନ ୧୨ ଟା ରୁ ୨ ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ହେବ।

ସେହିପରି ୪ଟାରୁ ୫ଟା ମଧ୍ୟରେ ଦୁର୍ଲଭ ହାତୀବେଶହେବ। ସନ୍ଧ୍ୟା ୭ ଟା ରୁ ୯ ଟା ୩୦ ପର୍ଯ୍ୟନ୍ତ ସାହାଣମେଳା, ରାତି ୧୦ ଟାରେ ହାତୀବେଶ ମଇଲମ, ରାତି ୧୦ ଟା ୩୦ ପୁଷ୍ପାଞ୍ଜଳି ଏବଂ ଡୋର ଲାଗି, ରାତି ୧୧ ଟା ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି, ରାତି ୨ ଟା ୩୦ରେ ସୁନା ଚିତା ଏବଂ ରାହୁରେଖା ମଇଲମ ନୀତି ହେବ। ଭକ୍ତ ମାନେ ସିଂହଦ୍ବାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ। ପାରମାଣିକ ଟିକେଟ କରିଥିବା ଭକ୍ତମାନେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରିବେ।

ସ୍ନାନଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବଡ଼ଦାଣ୍ଡ ମାର୍କେଟ ଛକଠାରୁ ସିଂହଦ୍ବାରା ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି। ପ୍ରବଳ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ଆମ୍ବୁଲାନ୍ସ ଦ୍ବାରା ଭକ୍ତଙ୍କୁ ମେଡିକାଲରେ ଭର୍ତ୍ତି ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି।



Source link

Leave A Reply

Your email address will not be published.