Ketan Agrawal murder case: ବିବାହ ପାଇଁ ରାଜି ନଥିଲେ ସିୟା, ପରିବାର ଚାପରେ ବାହା ହେଉଥିଲେ: ପୁଲିସର ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ: ପୁଣେର ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦ ବର୍ଷୀୟା ସିୟା ଏହି ବିବାହ ପାଇଁ ମାନସିକ ସ୍ତରରେ ଆଦୌ ପ୍ରସ୍ତୁତ ନଥିଲେ। ପରିବାର ଚାପରେ ସେ ଏହି ସମ୍ପର୍କକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ନିଜ ପରିଜନଙ୍କ ସହ ଆଲୋଚନାରେ ସେ ବିବାହକୁ ଅତିକମରେ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଚଳିତ ବର୍ଷ ଫେବୃଆରୀରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ଏବଂ ନଭେମ୍ବରରେ ଉଦୟପୁରର ଏକ ପ୍ରାସାଦରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ହେଲେ ତା ପୂର୍ବରୁ ସିୟା କେତନଙ୍କୁ ପୁଣେର ଲୋହାଗଡ଼ ଦୁର୍ଗରୁ ଠେଲି ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏହା ପୂର୍ବରୁ କେତନ ଅଗରୱାଲଙ୍କ ଯେଯେବାପା ତାଙ୍କ ସିୟାଙ୍କ ପରିବାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଯଦି ଝିଅ ରାଜି ନଥିଲେ, ତେବେ ତାଙ୍କୁ ବାଧ୍ୟ କରି କାହିଁକି ବାହାଘର କରାଗଲା। ଯଦି ଝିଅର ପ୍ରମେ ସମ୍ପର୍କ ଥିଲା, ଏକଥା ତାଙ୍କକ ପରିବାର ଲୋକେ ଜାଣିଥିଲେ ଏହାସତ୍ତ୍ୱେ କାହିଁକି ସେମାନେ ତାଙ୍କୁ ଲୁଚାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି।
ସିସିଟିଭି ଫୁଟେଜ୍ ବଦଳାଇଲା ମାମଲାର ମୋଡ଼
ଗତ ଜୁନ୍ ୧୮ ତାରିଖରେ ଲୋହାଗଡ ଦୁର୍ଗରେ ଖାଇରେ ପଡ଼ି କେତନଙ୍କ ମୃତ୍ୟୁ ହୋଇଥିଲା। ସିୟା ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ, କିନ୍ତୁ ଦୁର୍ଗର ଟିକେଟ୍ କାଉଣ୍ଟର ନିକଟରେ ଥିବା ସିସିଟିଭି ଫୁଟେଜ୍ ଅଭିଯୁକ୍ତଙ୍କ ମୁଖା ଖୋଲି ଦେଇଛି। ଫୁଟେଜରେ କେତନ ଓ ସିୟାଙ୍କ ପଛରେ ଜଣେ ବ୍ୟକ୍ତି (୨୨ ବର୍ଷୀୟ ଚେତନ ଚୌଧୁରୀ) ଅନୁସରଣ କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ୩୩ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ ସେ ହୁଡି ପିନ୍ଧି ମୁହଁ ଲୁଚାଇ ରଖିଥିଲେ, ଯାହା ପୋଲିସକୁ ସନ୍ଦେହରେ ପକାଇଥିଲା। ଅନ୍ୟ ଏକ କ୍ଲିପରେ, ସିୟା ଯେପରି ପଛକୁ ଚାହିଁଲେ, ସେହି ବ୍ୟକ୍ତିଜଣକ ସଙ୍ଗେ ସଙ୍ଗେ ବସିପଡ଼ିଥିବା ଦୃଶ୍ୟ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ହତ୍ୟାକାଣ୍ଡର ସଙ୍କେତ ଦେଉଛି ବୋଲି ପୁଲିସ ସନ୍ଦେହ କରୁଛି।
ପୂର୍ବରୁ ହୋଇଥିଲା ହତ୍ୟା ଉଦ୍ୟମ
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ସିୟା ବାରମ୍ବାର କେତନଙ୍କୁ ଲୋହଗଡ ଦୁର୍ଗକୁ ବୁଲିବାକୁ ଜିଦ୍ ଧରି ନେଉଥିଲେ। ମେ ୩୧, ଜୁନ୍ ୪, ଜୁନ୍ ୧୪ ଏବଂ ଜୁନ୍ ୧୮ ତାରିଖରେ ସେମାନେ ଦୁର୍ଗକୁ ଯାଇଥିଲେ। ବିଶେଷ ଭାବେ ଜୁନ୍ ୧୪ ତାରିଖରେ କେତନଙ୍କୁ ଖାଇକୁ ଠେଲି ଦେବା ପାଇଁ ଏକ ପ୍ରୟାସ କରାଯାଇଥିଲା, କିନ୍ତୁ ସେତେବେଳେ କେତନ ଏକ ବୁଦାକୁ ଧରି ବଞ୍ଚିଯାଇଥିଲେ। ହେଲେ ୧୯ ତାରିଖରେ ତାଙ୍କ ଜୀବନ ଦୀପ ଲିଭିଯାଇଥିଲା।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ଉଭୟ ସିୟା ଓ ଚେତନଙ୍କୁ ଘନଘନ ଜେରା ଜାରି ରଖିଛି।
