Voice of Eastern India

lucknow Fire Tragedy: ଆବାସିକ ନକ୍ସାରେ କମର୍ସିଆଲ୍ ବିଲ୍ଡିଂ, ଇମରଜେନ୍ସି ଏଗଜିଟ୍ ବି ନାହିଁ… ୧୫ ମୃତ୍ୟୁ ପରେ ଖୋଲିଲା LDAର ପୋଲ୍


ନୂଆଦିଲ୍ଲୀ: ଲକ୍ଷ୍ନୌର ଅଲିଗଞ୍ଜ ଅଗ୍ନିକାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ ପରେ ବଡ଼ ଖୁଲାସା ହୋଇଛି । ଯେଉଁ କୋଠାରେ ନିଆଁ ଲାଗିଥିଲା, ତାର ନକ୍ସା ଆବାସିକ ବଲ୍ଡିଂ ଭାବେ ପାସ୍ ହୋଇଥିଲା, କିନ୍ତୁ ସେଠାରେ ବ୍ୟାବସାୟିକ କାର୍ଯ୍ୟକଳାପ ଚାଲିଥିଲା । ବିଲ୍ଡିଂରେ ଏମର୍ଜେନ୍ସି ଏଗଜିଟ୍ କି ବାହାରକୁ ଯିବା ପାଇଁ ବିକଳ୍ପ ରାସ୍ତା ନଥିଲା । ଏବେ ଏଲଡିଏ (ଲକ୍ଷ୍ନୌ ବିକାଶ ପ୍ରାଧିକରଣ)ର ଭୂମିକା ଏବଂ ଅବହେଳା ପ୍ରଶ୍ନ ଘେରରେ ରହିଛି ।

ୟୁପି ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ପୁରନିଆ ଅଞ୍ଚଳରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ୧୫ଟି ପରିବାରର ଖୁସି ଛଡ଼ାଇ ନେଇଛି । ଏହି ଦୁର୍ଘଟଣା ପରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣର କାର୍ଯ୍ୟଶୈଳୀ ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି, ଯେଉଁଥିରେ ତିନିଜଣ ମହିଳା ମଧ୍ୟ ସାମିଲ ଅଛନ୍ତି । ମୃତକଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ ବୋଲି କୁହାଯାଉଛି ।

ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ, ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା, ତାର ନକ୍ସା ଆବାସିକ ବିଲ୍ଡିଂ ପାଇ ପାସ୍ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେହି କୋଠାର ବ୍ୟବହାର ବ୍ୟାବସାୟିକ କାର୍ଯ୍ୟକଳାପ ପାଇଁ କରାଯାଉଥିଲା । ଅଭିଯୋଗ ହୋଇଛି ଯେ ଲକ୍ଷ୍ନୌ ବିକାଶ ପ୍ରାଧିକରଣର ନାକ ତଳେ ଆବାସିକ ମାନଚିତ୍ର ଆଧାରରେ ଏକ କମର୍ସିଆଲ୍ କମ୍ପ୍ଲେକ୍ସ ପ୍ରସ୍ତୁତ ହୋଇଗଲା, ହେଲେ ଏହା ଉପରେ ସମୟ ଥାଉ ଥାଉ କୌଣସି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ।

ସୂଚନା ମୁତାବକ, ଏହି ବିଲ୍ଡିଂଟି ବୀରେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କର ବୋଲି କୁହାଯାଉଛି । ବୀରେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କୁ ରାମେଶ୍ୱରମ୍ ଇଞ୍ଜିନିୟରିଂ କଲେଜର ପରିଚାଳକ ବୋଲି ସୂଚନା ମିଳିଛି । ଏଲଡିଏର ଦଲିଲ୍ ପତ୍ରରେ ଏହି ସମ୍ପତ୍ତି ବୀରେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କ ସହ ତାଙ୍କ ଭାଇ ସୁରେନ୍ଦ୍ର ଶୁକ୍ଲା ଏବଂ ଧୀରେନ୍ଦ୍ର ଶୁକ୍ଲାଙ୍କ ନାମରେ ପଞ୍ଜୀକୃତ ରହିଛି । ଦୁର୍ଘଟଣା ପରେ ଏବେ ସବୁ ଦିଗରୁ ଯାଞ୍ଚ କରାଯାଉଛି ।

ନଥିଲା ଏମର୍ଜେନ୍ସି ଏଗଜିଟ୍

ଏହି ଦୁଃଖଦ ଦୁର୍ଘଟଣା ପରେ ସବୁଠାରୁ ବଡ଼ ପ୍ରଶ୍ନ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠୁଛି । ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା ସେଥିରେ ନା ଥିଲା କୌଣସି ଇମର୍ଜେନ୍ସି ଏଗଜିଟ୍ ନା ପଛପଟେ କୌଣସି ବିକଳ୍ପ ରାସ୍ତା ଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ନିଆଁ ଲାଗିବା ପରେ କୋଠା ଭିତରେ ଥିବା ଲୋକମାନେ ଧୂଆଁରୁ ବଞ୍ଚିବା ପାଇଁ ପଛପଟକୁ ଦୌଡ଼ିଥିଲେ, କିନ୍ତୁ ସେଠାରେ ବାହାରକୁ ବାହାରିବା ପାଇଁ କୌଣସି ରାସ୍ତା ନଥିଲା । ଆଶଙ୍କା କରାଯାଉଛି ଯେ ଧୂଆଁର ବଳୟ ଭିତରେ ଫସିଯିବା ଏବଂ ଶ୍ୱାସରୁଦ୍ଧ ହେବା କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି ।

ଘଟଣାର ଭାଇରାଲ୍ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁ ଏବଂ ତାର ସାହାଯ୍ୟରେ ତଳକୁ ଓହ୍ଲାଉଥିବାର ଦେଖାଯାଉଛନ୍ତି । ଅନେକ ଲୋକ ଆତ୍ମରକ୍ଷା ପାଇଁ ଝରକା ଏବଂ ଉପର ମହଲାରୁ ବାହାରିବାକୁ ଚେଷ୍ଟା କରୁଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ, ବେସମେଣ୍ଟରେ ଲାଗିଥିବା ଏସିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣର ଯାଞ୍ଚ ଏବେ ମଧ୍ୟ ଜାରି ରହିଛି ।

ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ଅଧିକାରୀମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ଘଟଣାର ଟିକିନିଖି କରି ଯାଞ୍ଚ କରାଯିବ ଏବଂ ଦୋଷୀମାନଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ । ଏହା ସହିତ ତତ୍କାଳୀନ ଅଧିକାରୀ ଏବଂ ଇଞ୍ଜିନିୟରମାନଙ୍କ ଭୂମିକାର ମଧ୍ୟ ଯାଞ୍ଚ କରାଯାଉଛି । ସେପଟେ ମୃତଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।



Source link

Leave A Reply

Your email address will not be published.