ଯୁଦ୍ଧ ଶେଷ, ଖୋଲିଲା ହର୍ମୁଜ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର, ଜାଣନ୍ତୁ ୧୪ ସୂତ୍ରୀ ବୁଝାମଣାରେ ରହିଛି କ’ଣ
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ବିବାଦରେ ଏକ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ସଫଳତା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ମଧ୍ୟରେ ଏକ ଐତିହାସିକ ସ୍ମାରକପତ୍ର (MoU) ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତିନାମାର ଲକ୍ଷ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷକୁ ଶେଷ କରିବା ଏବଂ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ନେଇ ନିଶ୍ଚିତ କରାଯାଇଛି । ପ୍ୟାରିସ୍ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ଏକ ବୈଠକ ମଧ୍ୟରେ ଟ୍ରମ୍ପ ଏହି ସ୍ମାରକପତ୍ରରେ ସ୍ବାକ୍ଷର କରିଛନ୍ତି, ଯେଉଁଥିରେ ୧୪ଟି ମୁଖ୍ୟ ସର୍ତ୍ତ ରହିଛି । ଏଥିରେ ହର୍ମୁଜ ପ୍ରଣାଳୀ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ତଥା କଟଣାକୁ ନେଇ ୬୦ ଦିନ ଭିତରେ ଆଲୋଚନା ଆରମ୍ଭ କରାଯିବ ।
ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଦୁଇ ଦେଶର ରାଷ୍ଟ୍ରପତି ବୁଧବାର ଏହି ଏମଓୟୁ ଉପରେ ହସ୍ତକ୍ଷାର କରିଛନ୍ତି । ଏହି ବୁଝାମଣା ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି । ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ରାଷ୍ଟ୍ରପତି ଫ୍ରାନ୍ସର ପ୍ୟାଲେସ୍ ଅଫ୍ ଭର୍ସେଲିସରେ ମାକ୍ରୋନଙ୍କ ସହ ରାତ୍ରିଭଜୋନ ସମୟରେ ଆମେରିକା-ଇରାନ ଚୁକ୍ତିନାମାର ହାର୍ଡ କପି ଉପରେ ଦସ୍ତଖତ କରିଛନ୍ତି । ସ୍ୱାକ୍ଷର ହୋଇଥିବା ଚୁକ୍ତିନାମାର କପିକୁ ଇରାନ ଏବଂ ମଧ୍ୟସ୍ଥ ଦେଶଗୁଡ଼ିକକୁ ପଠାଯାଇଛି । ଏହା ପୂର୍ବରୁ ରବିବାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନର ମୁଖ୍ୟ ବାର୍ତ୍ତାକାର ମହମ୍ମଦ ବାକେର ଗାଲିବାଫ ଏମଓୟୁ ଉପରେ ଇଲେକ୍ଟ୍ରନିକ ସାଇନ୍ କରିଥିଲେ ।
ଏହା ବ୍ୟତୀତ, ଶୁକ୍ରବାର ଦୁଇ ଦେଶର ଆଲୋଚନାକାରୀ ଦଳ ଶୁକ୍ରବାର ଜେନେଭାରେ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି । ଇରାନୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ହେବାକୁ ଥିବା ବୈଠକର ଉଦ୍ଦେଶ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ନୁହେଁ । ଏହା ବ୍ୟତୀତ, ବୈଠକ ପ୍ରକୃତରେ ହେବ କି ନାହିଁ ସେ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ କିଛି ଘଣ୍ଟା ମଧ୍ୟରେ ନିଆଯିବ ବୋଲି ଆଶା କରାଯାଉଛି ।
ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ଐତିହାସିକ ଚୁକ୍ତିନାମା ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହର୍ମୁଜ୍ ପ୍ରଣାଳୀକୁ ପୁଣି ଥରେ ଖୋଲିବ । ଭବିଷ୍ୟତ ଆଲୋଚନାରେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସାମିଲ କରିବା ବଦଳରେ ଆମେରିକା ଇରାନ ଉପରେ କିଛି ଆର୍ଥିକ କଟକଣାକୁ କୋହଳ କରିବାକୁ ମଧ୍ୟ ରାଜି ହୋଇଛି ।
ପ୍ରେସ୍ ଟିଭି ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବାଘାଇ ଚୁକ୍ତିନାମା ଚୂଡ଼ାନ୍ତ ଏବଂ ଉଭୟ ପକ୍ଷ ଦ୍ୱାରା ସ୍ୱାକ୍ଷରିତ କଥାକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଓମାନ ଏବଂ ଅନ୍ୟାନ୍ୟ ଦେଶ ସହିତ ଆଲୋଚନା ବହୁ ଦିନ ଧରି ଜାରି ରହିଛି ଏବଂ ହର୍ମୁଜ୍ ପ୍ରଣାଳୀର ପରିଚାଳନା ପାଇଁ ଅଧିକାଂଶ ବ୍ୟବସ୍ଥା ପୂର୍ବରୁ ଚୂଡ଼ାନ୍ତ ହୋଇସାରିଛି । ବାଘାଇ କହିଛନ୍ତି ଯେ ନିରାପଦ ସାମୁଦ୍ରିକ ଯାତାୟାତ ସୁନିଶ୍ଚିତ କରାଯିବ, କିନ୍ତୁ ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ସାର୍ବଭୌମତ୍ୱ ଏବଂ ଅଧିକାର ଅକ୍ଷୁର୍ଣ୍ଣ ରହିବ ।
ଆମେରିକା-ଇରାନ ୧୪-ସୂତ୍ରୀ ଚୁକ୍ତି କ’ଣ ?
– ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ସଂଘର୍ଷକୁ ତୁରନ୍ତ ଓ ସ୍ଥାୟୀ ଭାବରେ ବନ୍ଦ କରିବା
– ଲେବାନନ୍ ସମେତ ଏହି ଅଞ୍ଚଳରେ ଶତ୍ରୁତା ବନ୍ଦ କରିବା
– ୬୦ ଦିନ ମଧ୍ୟରେ ଏକ ଚୂଡ଼ାନ୍ତ ଚୁକ୍ତି ପାଇଁ ଆଲୋଚନା ଶେଷ କରିବା
-ଉଭୟ ପକ୍ଷଙ୍କୁ ସେମାନଙ୍କ ସମ୍ମତିରେ ଆଲୋଚନା ଅବଧି ବୃଦ୍ଧି କରିବାକୁ ଅନୁମତି ଦେବା
– ହର୍ମୁଜ୍ ପ୍ରଣାଳୀକୁ ତୁରନ୍ତ ଖୋଲିବା
– ଇରାନ ବାଣିଜ୍ୟିକ ଜାହାଜଗୁଡ଼ିକୁ ନିରାପଦ ପଥ ପ୍ରଦାନ କରିବା
– ପ୍ରାରମ୍ଭିକ ୬୦ ଦିନ ପାଇଁ ହର୍ମୁଜ୍ ଦେଇ ଜାହାଜଗୁଡ଼ିକର ମାଗଣା ଯାତୟାତ
-ଆମେରିକା ନୌସେନା ଅବରୋଧ ହଟାଯିବ
-କଟଣାକୁ ପର୍ଯ୍ୟାୟକ୍ରମେ ହଟାଯିବା ପ୍ରକ୍ରିୟା ଆରମ୍ଭ ହେବ
-ଧୀରେ ଧୀରେ ଫ୍ରିଜ୍ ହୋଇଥିବା ଇରାନ ସମ୍ପତ୍ତି ମୁକ୍ତ କରାଯିବ
– ଇରାନ ତୈଳ ରପ୍ତାନି ପାଇଁ ଆମେରିକାର ଟ୍ରେଜେରୀ ଛାଡ଼ ପ୍ରଦାନ କରିଛି
-ଇରାନ ପାଇଁ ଆମେରିକା ଦ୍ୱାରା ସମର୍ଥିତ ୩୦୦ ବିଲିୟନ ଡଲାର ଅର୍ଥନୈତିକ ଏବଂ ପୁନଃନିର୍ମାଣ କାର୍ଯ୍ୟକ୍ରମ
– ଇରାନ ପରମାଣୁ ଅସ୍ତ୍ର ବିକଶିତ ନ କରିବାର ପ୍ରତିଶ୍ରୁତିକୁ ଦୋହରାଇଛି
-IAEA ତତ୍ତ୍ୱାବଧାନରେ ଇରାନର ୟୁରାନିୟମ୍ ଭଣ୍ଡାର ଉପରେ ଭବିଷ୍ୟତ ଆଲୋଚନା
