ମୁମ୍ଵାଇ ୧୭।୦୬; ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ) ଟେକ୍ନୋଲୋଜିକୁ କମର୍ସିଆଲ କରିବା କ୍ଷେତ୍ରରେ ଏଲନ ମସ୍କଙ୍କ କମ୍ପାନି ନ୍ୟୁରାଲିଙ୍କକୁ ପଛରେ ପକାଇ ଦେଇଛି ଚୀନ। ସଫଳ କ୍ଲିନିକାଲ ଟ୍ରାଏଲ୍ ପରେ ବିଶ୍ଵର ପ୍ରଥମ କମର୍ସିଆଲ ବ୍ରେନ୍ ଚିପ୍ ନିଓକୁ ମଞ୍ଜୁରି ଦେଇଛି ଡ୍ରାଗନ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ, ମୁଦ୍ରା ଆକୃତିର ଏହି ଚିପ୍ ବିଶ୍ବର ପ୍ରଥମ ସର୍ଜିକାଲ ଇମ୍ପ୍ଲାଣ୍ଟ ଡିଭାଇସ୍ ଭାବେ ଉଭା ହୋଇଛି। ଏହି ଆଧୁନିକ ଡିଭାଇସକୁ ବେଜିଂର ସିଂହୁଆ ବିଶ୍ୱବିଦ୍ୟାଳୟର ଗବେଷକ ଏବଂ ସାଂଘାଇ ସ୍ଥିତ ନ୍ୟୁରାକଲ ଟେକ୍ନୋଲୋଜି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।
ନିୟାମକ ମଞ୍ଜୁରି ମିଳିବା ପରେ ଏହାକୁ ଚୀନର ରାଷ୍ଟ୍ରାୟତ୍ତ ହେଲଥକେୟାର ସିଷ୍ଟମରେ ବହୁଳ ଭାବେ ବ୍ୟବହାର କରାଯିବ ବୋଲି ଆଶା କରାଯାଉଛି। ମେରୁଦଣ୍ଡ ହାଡ଼ ଦୁର୍ଘଟଣା ଏବଂ ପାରାଲିସିସ ରୋଗୀଙ୍କ ପାଇଁ ଏହି ଟେକ୍ନୋଲୋଜିକୁ ବିଶେଷ କରି ବ୍ୟବହାର କରାଯିବ। ଏହା ସ୍ନାୟବିକ ସିଷ୍ଟମର କିଛି ଭାଗକୁ ପୁଣି ଥରେ ନିୟନ୍ତ୍ରଣ ହାସଲ କରିବାରେ ସହଯୋଗ କରିବ। ଏହି ଟେକ୍ନୋଲୋଜିକୁ ମାନବ ଏବଂ ମେସିନ ମଧ୍ୟରେ ଭାବ ବିନିମୟ ଦ୍ଵାରା ଏକ ବିରାଟ ପ୍ରଭାବ ଆଣିବା ଦିଗରେ ଆରମ୍ଭ ଭାବେ ଦେଖୁଛନ୍ତି ଗବେଷକ ଏବଂ ଟେକ୍ନୋଲୋଜି କମ୍ପାନି। ଅନ୍ୟପଟେ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ ମଧ୍ୟ ମଞ୍ଜୁରି ଅପେକ୍ଷାରେ ରହିଛି।
