ବାଣ ଧୂଆଁରେ ବଢ଼ୁଛି ସ୍ୱାସ୍ଥ୍ୟ ସମସ୍ୟା, ଆଖିଠୁ ଫୁସଫୁସ୍, ସବୁଠି ପଡ଼ୁଛି ପ୍ରଭାବ, ଆସ୍ଥମା ରୋଗୀ ରୁହନ୍ତୁ ଅଧିକ ସତର୍କ !
ଭୁବନେଶ୍ବର ୮/୧୧ : ଆଜି ପୁର ଠୁ ପଲ୍ଲୀ ସବୁଠି ପାଳନ ହେଉଛି ଦୀପାବଳି ଉତ୍ସବ । ପର୍ବପର୍ବାଣୀ ହେଉ କି ଖୁସିର ମୁହୂର୍ତ୍ତ, ଉତ୍ସବକୁ ଆହୁରି ରଙ୍ଗୀନ କରିବା ପାଇଁ ଅନେକ ଲୋକ ବାଣ ଫୁଟାଇଥାନ୍ତି । ଆଉ ଆଜି ଶୁଭ ଦୀପାବଳି ଅବସରରେ ସମଗ୍ର ଦେଶବାସୀ ବହୁ ମାତ୍ରାରେ ବାଣ ଫୁଟାଇବେ । ଯାହା ଫଳରେ ବାୟୁମଣ୍ଡଳରେ ଧୂଆଁର ପରିମାଣ ବେଶୀ ରହିବ । ହେଲେ ଏହି କିଛି ମିନିଟର ଖୁସି ଶରୀର ପାଇଁ ଆଣିପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ବାଣରୁ ବାହାରୁଥିବା ଧୂଆଁ ଓ ବିଷାକ୍ତ ରାସାୟନିକ କଣିକା ବାୟୁକୁ ପ୍ରଦୂଷିତ କରିବା ସହ ଆଖି, ନାକ, ଗଳା ଓ ଫୁସଫୁସ୍ ଉପରେ ପ୍ରଭାବ ପକାଇଥାଏ । ବିଶେଷକରି ଆସ୍ଥମା ରୋଗୀଙ୍କ ପାଇଁ ଏହି ଧୂଆଁ ଅଧିକ ବିପଜ୍ଜନକ ହୋଇପାରେ ।
ବାଣ ଫୁଟିବା ସମୟରେ ବାହାରୁଥିବା ସୂକ୍ଷ୍ମ ଧୂଳିକଣା ଓ ଗ୍ୟାସ୍ ଶ୍ୱାସକ୍ରିୟା ମାଧ୍ୟମରେ ଫୁସଫୁସ୍ ଭିତରକୁ ପ୍ରବେଶ କରିଥାଏ । ଏହା ଶ୍ୱାସନଳୀରେ ଜ୍ୱଳନ ସୃଷ୍ଟି କରିବା ସହ ଆସ୍ଥମା ରୋଗୀଙ୍କ ଶ୍ୱାସକଷ୍ଟ ବଢ଼ାଇପାରେ । ଏପରିକି କାଶ, ଛାତିରେ ଚାପ ଅନୁଭବ ହେବା ଓ ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇପାରେ । କେବଳ ଫୁସଫୁସ୍ ନୁହେଁ, ବାଣର ଧୂଆଁ ଆଖି ପାଇଁ ମଧ୍ୟ କ୍ଷତିକାରକ । ଏହା ଯୋଗୁଁ ଆଖି ଲାଲ୍ ହେବା, ପୋଡ଼ାଜଳା, କୁଣ୍ଡାଇବା ଓ ଆଖିରୁ ପାଣି ବାହାରିବା ଭଳି ସମସ୍ୟା ହୋଇପାରେ। ଯେଉଁମାନଙ୍କର ପୂର୍ବରୁ ଆଖିରେ ଆଲର୍ଜି ରହିଛି, ସେମାନଙ୍କ କ୍ଷେତ୍ରରେ ସମସ୍ୟା ଅଧିକ ବଢ଼ିପାରେ।
ତେବେ ଏସବୁରେ କିପରି ନିଜକୁ ସୁରକ୍ଷିତ ରଖିବେ ? ଏଥିପାଇଁ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ବାଣ ଫୁଟୁଥିବା ସ୍ଥାନଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ। ମୁଖ୍ୟତଃ ଆସ୍ଥମା ରୋଗୀ, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ ଧୂଆଁଯୁକ୍ତ ପରିବେଶକୁ ଯିବାରୁ ଦୂରେଇ ରୁହନ୍ତୁ। ବାୟୁ ପ୍ରଦୂଷଣ ଅଧିକ ଥିବା ସମୟରେ ବାହାରେ ବେଶୀ ରୁହନ୍ତୁ ନାହିଁ। ଆସ୍ଥମା ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜର ଔଷଧ ଓ ରିଲିଭର୍ ଇନହେଲର୍ ପାଖରେ ରଖନ୍ତୁ। ଆଖିରେ ଜ୍ୱଳନ ହେଲେ ସଫା ପାଣିରେ ଆଖି ଧୋଇ ନିଅନ୍ତୁ। ଆଖିକୁ ଅଧିକ ମକଚନ୍ତୁ ନାହିଁ। ଯଦି ଧୂଆଁ ସଂସ୍ପର୍ଶରେ ଆସିବା ପରେ ଲଗାତାର କାଶ, ଛାତିରେ ଯନ୍ତ୍ରଣା, ଶ୍ୱାସ ନେବାରେ କଷ୍ଟ କିମ୍ବା ଆଖିରେ ତୀବ୍ର ଯନ୍ତ୍ରଣା ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଶ୍ୱାସ ନେବାରେ ଅଧିକ କଷ୍ଟ ହେଲେ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ନିଅନ୍ତୁ। ତେଣୁ ଉତ୍ସବର ଖୁସିରେ ନିଜ ସ୍ୱାସ୍ଥ୍ୟକୁ ବିପଦରେ ପକାନ୍ତୁ ନାହିଁ। ମନେ ରଖନ୍ତୁ, କିଛି ମୁହୂର୍ତ୍ତର ଆନନ୍ଦ ଅପେକ୍ଷା ସ୍ୱଛ ବାୟୁ ଓ ସୁସ୍ଥ ଜୀବନ ଅଧିକ ମୂଲ୍ୟବାନ।
