ଭୁବନେଶ୍ବର: ବହୁ ଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝା ମାମଲା ଏବେ ସାରା ରାଜ୍ୟରେ ଚର୍ଚ୍ଚିତ। ଏହି ମାମଲାରେ ରାଜନୀତି ବି ଜୋର ଧରିଛି। ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ, ଶାସକ ଦଳ ବି କଡ଼ା ଜବାବ ରଖିଛି। ଏହାରି ମଧ୍ୟରେ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସ୍ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଘଟଣାର ସଠିକ୍ ତଦନ୍ତ କରି ୧୫ ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ, ୨ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC ।
ସୂଚନାଥାଉକି, ଗତ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ବିଡିଓଙ୍କୁ, ତିଖିରି ପଞ୍ଚାୟତର ଗୋପବନ୍ଧୁ ୟୁପି ସ୍କୁଲ ଶୌଚାଳୟ, କଲ୍ୟାଣ ମଣ୍ଡପ କଂକ୍ରିଟ ପିଲର ଓ ମାଟି ପୂରଣ, ତିଖିରି ମେଳଣପଡ଼ିଆ ବଜାର ଡ୍ରେନ୍ ଭଳି କିଛି କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଯାଇଥିଲେ। ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ କରୁଥିଲେ।
Also Read: ଚାମେଲି ଓଝାଙ୍କ ଘଟଣା ବାବଦରେ ସରକାର ତଥ୍ୟ ମାଗିଛନ୍ତି, ରିପୋର୍ଟ ଆସିବା ପରେ କେତେ ସତ୍ୟତା ଜଣାପଡିବ
ଏହି ସମୟରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଚାମେଲି ମଧ୍ୟ ଏହାର ଭିଡିଓ ମଧ୍ୟ କରୁଥିଲେ। ହେଲେ ଭିଡିଓକୁ ବିଡିଓ ଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନଭାଇଙ୍କୁ ଥାନାକୁ ନେଇ ଆସିଥିଲେ।
କଥା ଏତିକିରେ ସରିନଥିଲା ଏହା ପରେ ଚାମେଲି ଓଝା ନିଜ ଉପରେ ଆକ୍ରମଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣି, ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ, ମହାକାଳପଡ଼ା ଆନା ଅଧିକାରୀ ମାନସ କୁମାର ମଲ୍ଲିକଙ୍କ ସମେତ ସାତରୁ ଅଧିକ ବିଜେପି ଜର୍ମୀ ତାଙ୍କୁ ମାଡ଼ ମାରିଥିବା ଚାମେଲି ଆନାରେ ଏତଲା ଦେଇଥିଲେ। ହେଲେ, ବିଡିଓ ଓ ମହାକାଳପଡ଼ା ଥାନା ଅଧିକାରୀଙ୍କ ନାମକୁ ବାଦ୍ ଦିଆଯାଇ କେବଳ ବିଜେପି ସମର୍ଥକ ପ୍ରଶାନ୍ତ ସେଠୀ, ମାନସ ମହାନ୍ତି, କ୍ରୀଷ୍ଣପଦ ମଣ୍ଡଳ, ଲୋହିତ ରାତ, ବିଶ୍ବଜିତ୍ ମହାପାତ୍ର, ଚନ୍ଦ୍ରକାନ୍ତ ସ୍ବାଇଁ, ହରିଶ ଲେଙ୍କାଙ୍କ ସମେତ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଥିଲା। ଅବଶ୍ୟ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଭୁବନେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Also Read: ଚାମେଲିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର, ରଜ ଆଣିଦେଲା ମୁହଁରେ ହସ
ସେପଟେ ବିଡିଓଙ୍କ ଏତଲା ଆଧାରରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝା ଏବଂ ଏସଆଇ ତପସ୍ବିନୀ ବିଶ୍ବାଳଙ୍କ ଅଭିଯୋଗକ୍ରମେ ଚାମେଲି ଗିରଫ ହୋଇଛନ୍ତି । ଅଭିଯୋଗ ହୋଇଛି ଏସଆଇଙ୍କ ହାତକୁ ଚାମେଲି କାମୁଡି ଦେବା ସହିତ ତିନି ମହିଳା ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ତେବେ ଏସବୁ ଭିତରେ ପୋଲିସ ଗିରଫ ପରେ ଶାରିରୀକ ଅସୁସ୍ଥତା କାରଣରୁ ଚାମେଲି ଜେଲ୍ରେ ରହିବା ସମ୍ଭବପର ନହେବାରୁ ବର୍ତ୍ତମାନ ଜିଲ୍ଲା ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
