ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ଗତ ୫ ମାସ ମଧ୍ୟରେ ତୃତୀୟ ଥର ପାଇଁ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବସ୍ ମାଲିକ ସଂଘର ଚାପରେ ପୂର୍ବରୁ ମାତ୍ର ୧୭ ଦିନର ବ୍ୟବଧାନରେ ଦୁଇ ଦୁଇ ଥର ଭଡ଼ା ବଢ଼ାଯାଇଥିବା ବେଳେ, ଏବେ ପୁଣି ଯାତ୍ରୀଙ୍କ ଉପରେ ପଡ଼ିଛି ମହଙ୍ଗା ମାଡ଼ । ପରିବହନ ବିଭାଗର ନୂଆ ବିଜ୍ଞପ୍ତି ଅନୁସାରେ, ବସ୍ ଭଡ଼ା କିଲୋମିଟର ପିଛା ବର୍ଗ ଅନୁଯାୟୀ ବୃଦ୍ଧି କରାଯାଇଛି । ସାଧାରଣ ବସ୍ ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁଥିରେ ବଢ଼ିଛି ଅହେତୁକ ଭଡ଼ା । ତେବେ କେଉଁ ବସ୍ରେ କେତେ ଟଙ୍କା ଦେବାକୁ ପଡ଼ିବ, ଆସନ୍ତୁ ଜାଣିବା ।
ମାତ୍ର ୫ ମାସ ତଳେ ବସ୍ ମାଲିକ ଆସୋସିଏସନ୍ ଚାପରେ ପରିବହନ ବିଭାଗ ପକ୍ଷରୁ ଦୁଇ ଥର ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା। ତେବେ ବର୍ତ୍ତମାନ ପୁଣି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କରାଯାଇଛି। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବସ୍ଭଡ଼ା ଏଥର ୨୬ ପଇସା ବୃଦ୍ଧି କରାଯାଇଛି। ପାଞ୍ଚ ମାସ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୯୨ ପଇସା ଧାର୍ଯ୍ୟ କରାଯାଇଥିଲାବେଳେ ୨୬ପଇସା ବୃଦ୍ଧି କରାଯାଇ ୧ ଟଙ୍କା ୧୮ ପଇସା କରାଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ପୂର୍ବରୁ ୯୬ପଇସା ଥିବାବେଳେ ବର୍ତ୍ତମାନ ୧ ଟଙ୍କା ୨୪ ପଇସା ରସା ଦେବାକୁ ପଡ଼ିବ। ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୩୫ ପଇସା ଥିଲାବେଳେ ବର୍ତ୍ତମାନ ଏହା ୧ଟଙ୍କା ୪୧ପଇସାକୁ ବୃଦ୍ଧି କରାଯାଇଛି।
ଏସି ଡିଲକ୍ସ ଭଡ଼ା କିମି ପିଛା ୧ଟଙ୍କା ୬୩ପଇସାରୁ ୧ଟଙ୍କା ୯୯ପଇସା ଧାର୍ଯ୍ୟ କରାଯାଇଛି। ସୁପର ପ୍ରିମିୟମ୍ ବସ୍ ଭଡ଼ା କିମି ପିଛା ୨ଟଙ୍କା ୫୩ ପଇସା ଥିଲାବେଳେ ବର୍ତ୍ତମାନ ତାହା ୩ଟଙ୍କା ୨୧ପଇସାରେ ପହଞ୍ଚିଛି। ଏହାଛଡ଼ା ସେମି ଡିଲକ୍ସ ଭଡ଼ା ୧ଟଙ୍କା ୩୦ପଇସା ଓ ସୁପର ପ୍ରିମିୟମ୍ ଫୁଲି ସ୍ଟିପର୍ ଏସି କୋଚ୍ ବସ୍ ଭଡ଼ା କିମି ପିଛା ୪ଟଙ୍କା ୬୧ ପଇସା ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପେଟ୍ରୋଲ, ଡିଜେଲ୍ ବୃଦ୍ଧି ପରେ ଗତ ମେ’ ୧୫ ତାରିଖ ଦିନ ଏସ୍ଟିଏ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା। ବସ୍ ଭଡ଼ା ବୃଦ୍ଧି ପରେ ପୁନର୍ବାର ପେଟ୍ରୋଲ ଏବଂ ଡିଜେଲ୍ ଦରରେ ବୃଦ୍ଧି ଘଟିଥିଲା । ଫଳରେ ବସ୍ ଆସୋସିଏସନ୍ ପକ୍ଷରୁ ତେଲ ଦର୍ରେ ବୃଦ୍ଧି ପାଇଁ ବସ୍ ଭଡ଼ା ବଢ଼ାଇବା ଲାଗି ସିଧାସଳଖ ଦାବି କରାଯାଇନଥିଲେ ମଧ୍ୟ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧିକୁ ଆଳ କରି ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥି ସହ ଏସ୍ଟିଏ କମିସନରଙ୍କ ସହ ସାକ୍ଷାତ କରି ଏକ ଆଲୋଚନା କରାଯାଇଥିଲା। ଯଦି ବସ୍ ଭଡ଼ାରେ ବୃଦ୍ଧି ନଘଟେ ତାହେଲେ ବସ୍ ଆସୋସିଏସନ୍ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଥିଲା। ସେତେବେଳେ ଆଗକୁ ରଥଯାତ୍ରା ଥିବାରୁ ଆସୋସିଏସନର ଦାବି ଆଗରେ ପରିବହନ ବିଭାଗ ମୁଣ୍ଡ ନୁଆଁଇ ୧୭ଦିନ ବ୍ୟବଧାନରେ ଦୁଇ ଦୁଇ ଥର ବସ୍ ଭଡ଼ା ବୃଦ୍ଧି କରିଥିଲା।
ଆଉ ଏବେ ପୁଣି ଥରେ ବସ୍ ଭଡ଼ା ବୃଦ୍ଧି କରାଯାଇ ସିଧାସଳଖ ଲୋକଙ୍କ ପକେଟକୁ ଛାଟ ମରାଯାଇଛି । ଗତ ପ୍ରାୟ କିଛି ମାସ ଧରି ପେଟ୍ରୋଲ, ଡିଜେଲ୍ ଦର କୌଣସି ପ୍ରକାର ବୃଦ୍ଧି କରାଯାଇନଥିଲେ ମଧ୍ୟ ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା ବୃଦ୍ଧି କରି ବସ୍ ମାଲିକଙ୍କୁ ଖୁସି କରାଇଥିବାବେଳେ ସାଧାରଣ ଲୋକଙ୍କ ଉପରେ ପୁଣି ଆଉ ଏକ ଆର୍ଥିକ ବୋଝ ଲଦିଦେଇଛି। ଯାହାକୁ ନେଇ ଏବେ ଚିନ୍ତାରେ ସାଧାରଣ ଲୋକେ ।
