ହଠାତ୍ ରାତି ଅଧରେ ମୁଖ୍ୟମନ୍ତ୍ରୀଙ୍କୁ ଜମି ଖଣ୍ଡେ ଦେବାକୁ ଅନୁରୋଧ କଲେ କ୍ରିକେଟର ଋଷବ ପନ୍ତ: ଦୁଃଖ ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଲେ…
ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଜମି ଖଣ୍ଡେ ପାଇଁ ଅନୁରୋଧ କଲେ ଭାରତୀୟ ୱିକେଟ କିପର ବ୍ୟାଟର ଋଷବ ପନ୍ତ। ଘର କରିବାକୁ ତାଙ୍କୁ ଜାଗା ମିଳୁ ନାହିଁ। ବହୁତ ଚେଷ୍ଟା କରି ନିରାଶ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ବାଧ୍ୟ ହେଲେ ଋଷବ। ଅନୁରୋଧ କରି ସେ ଯାହା କହିଲେ, ତାହା ବର୍ତ୍ତମାନ ଖବରର ସିରୋନାମା ପାଲଟିଛି।
ପ୍ରକୃତରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏବେ ଦିଲ୍ଲୀ ଛାଡ଼ି ନିଜ ରାଜ୍ୟ ଉତ୍ତରାଖଣ୍ଡରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଉତ୍ତରାଖଣ୍ଡରେ ଏକ ବଡ଼ ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଅନୁରୋଧ କରିଛନ୍ତି। ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପନ୍ତ ଏହି ଅନୁରୋଧ କରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଧାମୀ ମଧ୍ୟ ତାଙ୍କୁ ସବୁପ୍ରକାର ସହଯୋଗର ଆଶ୍ୱାସନ ଦେଇଛନ୍ତି।
ବର୍ତ୍ତମାନ ଋଷଭ ପନ୍ତ ଭାରତୀୟ ଦଳ ସହ ଟେଷ୍ଟ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ଏହି ସିରିଜ୍ରେ ତାଙ୍କ ପାଖରେ ଟେଷ୍ଟ କ୍ରିକେଟ୍ରେ ୧୦୦ ଛକା ପୂରଣ କରିବାର ସୁଯୋଗ ମଧ୍ୟ ରହିଛି।
ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ଋଷଭ ପନ୍ତ ତାଙ୍କ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ସେ ଦୀର୍ଘଦିନ ଧରି ଉତ୍ତରାଖଣ୍ଡରେ ଜମି କିଣି ରହିବାକୁ ଚାହୁଁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନିଜ ଆବଶ୍ୟକତା ଅନୁସାରେ ଭଲ ଓ ବଡ଼ ଜମି ମିଳିନାହିଁ। ପନ୍ତ ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ସେ ଉତ୍ତରାଖଣ୍ଡର ଜଣେ ସ୍ଥାନୀୟ ବାସିନ୍ଦା ଏବଂ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ସ୍ଥାନାନ୍ତର ହୋଇ ନିଜ ରାଜ୍ୟରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କୁ ଏଭଳି ଏକ ବଡ଼ ଜମି ଦରକାର, ଯେଉଁଠାରେ ସେ ନିଜ ଘର ତିଆରି କରି ରହିପାରିବେ।
Also Read- ଶେଷ ଓଭରରେ ହ୍ୟାଟ୍ରିକ୍ ଛକା ସହ କଲେ ୨୩ ରନ୍, ଡ୍ର’ ହେବାକୁ ଥିବା ମ୍ୟାଚ୍ରେ ଭାରତକୁ ବିଜୟୀ କରାଇଲେ ସିରାଜ
ନିଜ ରାଜ୍ୟ ଉତ୍ତରାଖଣ୍ଡକୁ ସେ ବହୁତ ଭଲ ପାଆନ୍ତି ବୋଲି ମଧ୍ୟ ପନ୍ତ କହିଛନ୍ତି। ଏହା ସହିତ ଉତ୍ତରାଖଣ୍ଡକୁ ପ୍ରମୋଟ୍ କରିବା ପାଇଁ ତାଙ୍କୁ ଆଉ କିଛି ଜମି ମିଳିବାର ଥିଲା, କିନ୍ତୁ ତାହା ମଧ୍ୟ ମିଳିନଥିବା ସେ ଉଲ୍ଲେଖ କରିଛନ୍ତି। ପନ୍ତ କହିଛନ୍ତି ଯେ ସେ ନିଜ ପାହାଡ଼ିଆ ଲୋକଙ୍କ ମଧ୍ୟରେ ରହିବାକୁ ଚାହୁଁଛନ୍ତି। ତେଣୁ ଏହି ମାମଲାକୁ ମୁଖ୍ୟମନ୍ତ୍ରୀ ଦେଖିବା ସହ ତାଙ୍କୁ ଜମି ପାଇବାରେ ସହାୟତା କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଗତ ୩ ବର୍ଷ ହେଲା ସେ ଜମି ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇନଥିବା ପନ୍ତ କହିଛନ୍ତି।
‘ସରକାରଙ୍କଠାରୁ ଜମି କିଣିବାକୁ ମଧ୍ୟ ପ୍ରସ୍ତୁତ’
ପନ୍ତ ଆଉ ଏକ ପୋଷ୍ଟ କରି କହିଛନ୍ତି ଯେ ନିଜ ରାଜ୍ୟରୁ ଦେଶକୁ ଉଚ୍ଚସ୍ତରରେ ପ୍ରତିନିଧିତ୍ୱ କରିବା ପାଇଁ ଉପହାର ଭାବେ ଜମି ମିଳିଲେ ତାହା ତାଙ୍କ ପାଇଁ ଖୁସିର ବିଷୟ ହେବ। ତେବେ ସରକାର ଚାହିଁଲେ ସେ ଜମି କିଣିବାକୁ ମଧ୍ୟ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଅନ୍ତତଃ ତାଙ୍କ ନିଜ ରାଜ୍ୟରେ ତାଙ୍କର ଏକ ଘର ରହିବା ଉଚିତ। ପନ୍ତଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।
ପନ୍ତଙ୍କୁ ଧାମୀଙ୍କ ବଡ଼ ଆଶ୍ୱାସନ
ଋଷଭ ପନ୍ତଙ୍କ ଅନୁରୋଧ ଉପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି। ଧାମୀ କହିଛନ୍ତି ଯେ ଋଷଭ ପନ୍ତ ଉତ୍ତରାଖଣ୍ଡର ଗୌରବ ଏବଂ ନିଜର ଚମତ୍କାର ଖେଳ ଓ ସଫଳତା ମାଧ୍ୟମରେ ସେ ଦେଶ-ବିଦେଶରେ ଦେବଭୂମିର ନାଁ ଉଜ୍ଜ୍ୱଳ କରିଛନ୍ତି। ନିଜ ମାତୃଭୂମି ପ୍ରତି ପନ୍ତଙ୍କ ଭଲପାଇବା ଏବଂ ଉତ୍ତରାଖଣ୍ଡକୁ ଫେରି ଆସି ରାଜ୍ୟ ପାଇଁ ଅବଦାନ ରଖିବାର ଇଚ୍ଛାକୁ ଧାମୀ ପ୍ରଶଂସା କରିଛନ୍ତି।
Also Read- U20 World Athletics 2026: ଇତିହାସ ରଚିଲେ ବସନ୍ତ ମେଘୱାଲ, ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ହାଇଜମ୍ପରେ ଭାରତକୁ ରୌପ୍ୟ
ଧାମୀ ଏକ୍ସରେ ପନ୍ତଙ୍କୁ ଉତ୍ତର ଦେଇ କହିଛନ୍ତି ଯେ ତାଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଅଧିକାରୀମାନେ ଖୁବ୍ଶୀଘ୍ର ପନ୍ତଙ୍କ ସହ ଯୋଗାଯୋଗ କରିବେ ଏବଂ ନିୟମ ଅନୁଯାୟୀ ତାଙ୍କୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି। ଏଭଳି ଭାବେ ଭାରତୀୟ କ୍ରିକେଟ୍ରେ ନିଜର ଦମଦାର ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିବା ଋଷଭ ପନ୍ତ ଏବେ ନିଜ ମାତୃଭୂମି ଉତ୍ତରାଖଣ୍ଡରେ ଘର କରିବାକୁ ଚାହୁଁଥିବାରୁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
