ମଞ୍ଚେଶ୍ୱର: ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଯାଇଛି ଏକ ନିର୍ମମ ହତ୍ୟାକାଣ୍ଡ। ସ୍ୱାମୀ ନିଜ ସ୍ତ୍ରୀକୁ ନିଷ୍ଠୁର ଭାବେ ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ଅଭିଯୁକ୍ତ ସ୍ୱାମୀଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ୨୦୧୯ ମସିହାରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ଦାମ୍ପତ୍ୟ କଳହ ଯୋଗୁଁ ଗତ ପ୍ରାୟ ୨ ବର୍ଷ ଧରି ସେମାନେ ଅଲଗା ରହୁଥିଲେ। ଆଜି ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ କୌଣସି କାରଣକୁ ନେଇ ପୁନର୍ବାର ପ୍ରବଳ ଯୁକ୍ତିତର୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ପ୍ରଥମେ ସ୍ତ୍ରୀଙ୍କ ଗଳା ଚିପି ଦେଇଥିଲା। ଏହାପରେ ବାମ ହାତର ଶିରା କାଟି ହତ୍ୟା କରିଥିଲା।
Also Read: ସ୍ତ୍ରୀକୁ ନେଇ ଫେରାର ଯୁବକଙ୍କ ଦେହରେ ପେଟ୍ରୋଲ୍ ଢ଼ାଳି ଜାଳିଦେଲା ସ୍ବାମୀ, ମହିଳାଙ୍କୁ ବି ମାଡ଼
ଏହି ସାଂଘାତିକ କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ନିଜେ ବିଷପାନ କରିଥିଲା। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ମଞ୍ଚେଶ୍ୱର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
