ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ ପାଇଁ ସେ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଜିଲ୍ଲା ଏବଂ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି ।
Also Read: ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଆର୍ଥିକ ସହାୟତା: ଓଡ଼ିଶା ପାଇଁ ୫୦୦ କୋଟିର ରାଶି ଘୋଷଣା
ଏହାସହିତ ଅନ୍ୟମନ୍ତ୍ରୀମାନେ ପ୍ରଭାରୀ ମନ୍ତ୍ରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ସେଠାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ । ଏହା ପୂର୍ବରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜଳସ୍ତର ଏବଂ କ୍ଷୟକ୍ଷତିର ପରିମାଣ ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଆକାଶମାର୍ଗରୁ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏହି ନିରୀକ୍ଷଣ ପରେ ସେ ସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବା ପାଇଁ ମନ୍ତ୍ରୀମାନଙ୍କୁ କ୍ଷେତ୍ରସ୍ତରକୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
