ରାୟଗଡ଼ା ୬।୮: ରାୟଗଡ଼ା ଜିଲ୍ଲା ରିବଲକୋଣା ଛାତ୍ର ନିର୍ଯାତନା ଘଟଣାରେ କୋଠର ହୋଇଛି ଜିଲ୍ଲା ପ୍ରଶାସନ । ଜୁନିୟର ଛାତ୍ରଙ୍କୁ ହଷ୍ଟେଲ ପରିସରରେ ନିର୍ଯାତନା ଦେବା ଘଟଣାରେ ଆକ୍ସନ ମୋଡ୍କୁ ଆସିଛି ପ୍ରଶାସନ । ରାତି ଅଧରେ ୨୭ ଜଣ ପିଲାଙ୍କୁ ମାଡ ମାରୁଥିବା ଛାତ୍ରକୁ ମିଶାଇ ମୋଟ ୭ ଜଣ ଛାତ୍ରଙ୍କୁ ଟିସି ଦେଇ ସ୍କୁଲରୁ ବିଦା କରାଯାଇଛି । ସେହିପରି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ସାଉଁତାଙ୍କୁ କାରଣ ଦର୍ଶାଆ ନୋଟିସ୍ ଜାରି କରିଛନ୍ତି ରାୟଗଡା ଜିଲ୍ଲାପାଳ । କେଉଁ ପରିସ୍ଥିତିରେ ପିଲା ମାନଙ୍କୁ ନିର୍ଯାତନା ଦିଆଗଲା ଏବଂ ହଷ୍ଟେଲ ପରିଚାଳନାଗତ ତ୍ରୁଟି କେଉଁଠି ରହିଲା ସେ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କୁହାଯାଇଛି ।
ତେବେ ତଦନ୍ତ ବେଳେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ରିବଲକୋଣା ବିଦ୍ୟାଳୟରେ ଗତ ୧୦ ବର୍ଷ ହେବ ଜୁନିୟର୍ ପିଲାମାନଙ୍କୁ ଏପରି ରାଗିଂ କାରାଯାଉଥିବା ଜଣାପଡିଛି । ସିନିୟର ପିଲା ମାନେ ଜୁନିୟର ପିଲା ମାନଙ୍କୁ କଥା କଥାରେ ମାଡ଼ ମାରିବା ସହ ନିଜର ଲୁଗାପଟା ସଫା କରିବା ପାଇଁ ମଧ୍ୟ ବାଧ୍ୟ କରାନ୍ତି ବୋଲି ଘଟଣାର ତଦନ୍ତ କରି ଖୁଲାସା କରିଛନ୍ତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା । ହଷ୍ଟେଲ ଭିତରେ ଫୋନ ବ୍ୟବହାରକୁ ନେଇ ବାରଣ ନଥିବା ବେଳେ ପିଲା ମାନେ ଦୈନନ୍ଦିନ ମାଦକ ଦ୍ରବ୍ୟ ମଧ୍ୟ ସେବନ କରୁଥିଲେ ବୋଲି ଉପାଧ୍ୟକ୍ଷା ମିଣିଆକା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ସହ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ରିପୋର୍ଟ ମାଗିଛନ୍ତି ବୋଲି ସେ କହିଛନ୍ତି ।
କେଉଁ ପରିସ୍ଥିତିରେ ଗତ ରବିବାର ଦିନ ପିଲା ମାନଙ୍କୁ ଏପରି ନିର୍ଯାତନା ଦିଆଗଲା ? ଅଧରାତିରେ ପିଲା ମାନଙ୍କୁ ବର୍ବର ଭାବେ ମାଡ ମାରୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କେମିତି ଜାଣିପାରିଲେ ନାହିଁ ? ହଷ୍ଟେଲର ପରିଚାଳନା ପାଇଁ ହଷ୍ଟେଲ ସୁପରିଟେଣ୍ଡଣ୍ଟ ସ୍କୁଲ ପରିସରରେ ନଥିଲେ କି ? ଏମିତି ଅନେକ ଘଟଣାକୁ ନେଇ ଉଭୟ ଚାନ୍ଦିଲି ପୋଲିସ ଓ ମଙ୍ଗଳ ବିଭାଗ ତଦନ୍ତ ଆରମ୍ଭ କରିଛି । ସମସ୍ତ ଛାତ୍ର ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତନତନ କରି ବୟାନ ନିଆଯାଉଛି । ଗତ ରବିବାର ରାତି ୧୨ଟା ସମୟରେ ନିର୍ଯାତନା ଦିଆଯାଉଥିବା ବେଳେ ସୋମବାର ସକାଳ ପରଠାରୁ ବିଦ୍ୟାଳୟରେ ପାଠପଢାରେ ବ୍ୟତିକ୍ରମ ଘଟିଥିବା ଦେଖିବାକୁ ମିଳିଛି । ଘଟଣା ପରେ ଅନେକ ଜୁନିୟର ଛାତ୍ର ଭୟଭୀତ ଅବସ୍ଥାରେ ରହିଥିବା ବେଳେ ୨୬ ଜଣ ଛାତ୍ରଙ୍କୁ ଅବିଭାବକ ମାନେ ହଷ୍ଟେଲରୁ କାଢ଼ି ଘରକୁ ନେଇଯାଇଛନ୍ତି ।
