Voice of Eastern India

ଯୌତୁକ ନିର୍ଯାତନାରୁ ବର୍ତ୍ତିଲେନି ପ୍ରତିରକ୍ଷା ମନ୍ତ୍ରଣାଳୟର ସେକ୍ସନ ଅଫିସର ! ଆତ୍ମହତ୍ୟା କଲେ ଗର୍ଭବତୀ ନାଜିଆ


ନୂଆଦିଲ୍ଲୀ: ଯୌତୁକ ନିର୍ଯ୍ୟାତନାରେ ଚାଲିଗଲା ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବଡ଼ ମହିଳା ଅଫିସରଙ୍କ ଜୀବନ। କଥାଟା ଜାଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଦୁଃଖ ମଧ୍ୟ ଲାଗୁଛି। ସାଧାରଣ ପରିବାରରେ ଯୌତୁକ ନିର୍ଯାତନା କଥା ପ୍ରତିଦିନ ଖବରରେ ଆସୁଛି, ହେଲେ ପ୍ରତିରକ୍ଷା ମନ୍ତ୍ରମାଳୟର ଜଣେ ଅଫିସର ଏହାର ଶିକାର ହେବା ଆଶ୍ଚର୍ଯ୍ୟ ଲାଗୁଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାମ କରୁଥିବା ୩୦ ବର୍ଷୀୟା ଗର୍ଭବତୀ ମହିଳା ନାଜିଆ ଖାନମଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୧ ତାରିଖ ଭୋରରେ ଭାର୍ଥାଲ ଗାଁରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ମିଳିଛି।

ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ନାଜିଆ ଛାତ ଫ୍ୟାନରେ ଫାଶୀ ଦେଇଥିବା ଅଭିଯୋଗ ରହିଛି। ତେବେ ମୃତ ନାଜିଆ ବାପା-ମାଆ ଝିଅର ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ନାଜିଆଙ୍କ ବିବାହ ଏପ୍ରିଲ ୧୧ ତାରିଖରେ ମହମ୍ମଦ ଆଜମ ଅଲୀ ଖାନଙ୍କ ସହ ହୋଇଥିଲା। ସେମାନେ ଝିଅକୁ ଯୌତୁକ ନିର୍ଯାତନା ଦେଇଥିବା ନାଜିଆଙ୍କ ବାପାମା ଅଭିଯୋଗ ଆଣିଛନ୍ତି।

ପ୍ରଥମେ ଅଭିଯୋଗ କରିନଥିଲେ ପରିବାର

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ନାଜିଆଙ୍କ ବାପାଘର ଲୋକେ ଏନେଇ କୌଣସି ମାମାଲ ଦେଇ ନଥିଲେ। ଘଟଣା ଅଗଷ୍ଟ ୨୧ ତାରିଖ ଘଟିଥିଲା। ସେହିଦିନ ଭୋର ୪ଟା ୨୧ ମିନିଟରେ ସେକ୍ଟର-୨୩ ଥାନାକୁ ପିସିଆଇର କଲ୍ ଯାଇଥିଲା ସୂଚନା ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଏନେଇ ସମ୍ପୃକ୍ତ ଏସ୍‌ଡିଏମଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ପରେ ମୃତଦେହକୁ ଦୀନ ଦୟାଲ ଉପାଧ୍ୟାୟ (DDU) ହସ୍ପିଟାଲର ମର୍ଗକୁ ପଠାଯାଇଥିଲା।

Also Read-ବାଂଲାଦେଶରେ ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକଙ୍କ ପରିବାରକୁ ମାରିଦେଲେ ! ଛାତ ଉପରେ, ଖଟ ତଳେ ଓ ଶିଡି ଉପରେ ପଡିଥିଲା ମୃତଦେହ

ପୁଲିସର ସୂଚନା ଅନୁସାରେ ଅଗଷ୍ଟ ୨୧ରେ ନାଜିଆଙ୍କ ପରିବାର ଯେତେବେଳେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହୋଇ ଲିଖିତ ବୟାନ ଦେଇଥିଲେ, ସେତେବେଳେ ସେମାନେ ନାଜିଆଙ୍କ ଶ୍ୱଶୁରଘର ଲୋକଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିନଥିଲେ। ତେବେ ଅଗଷ୍ଟ ୨୨ରେ ତାଙ୍କ ବାପା-ମାଆ ପୁଣିଥରେ ଏସ୍ଡିଏମ୍‌ଙ୍କ ନିକଟରେ ହାଜର ହୋଇ ଅତିରିକ୍ତ ବୟାନ ଓ ଅଭିଯୋଗ ଦାଖଲ କରିଥିଲେ। ଏଥିରେ ସ୍ୱାମୀ ଓ ଶ୍ୱଶୁରଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଅଣାଯାଇଥିଲା ବୋଲି ପୁଲିସ କହିଛି।

ସ୍ୱାମୀ ଓ ଶ୍ୱଶୁରଘର ବିରୋଧରେ FIR

ଅଭିଯୋଗ ଆଧାରରେ ଅଗଷ୍ଟ ୨୨ରେ ସେକ୍ଟର-୨୩ ଦ୍ୱାରକା ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୮୫ ଓ ୧୦୮ ଅଧୀନରେ FIR ରୁଜୁ କରାଯାଇଛି। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଫ୍ଆଇଆରରେ ନାଜିଆଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅଙ୍କୁ ସ୍ୱାମୀ, ଶାଶୂ ସମିମୁନ ନିଶା ଏବଂ ଶ୍ୱଶୁର ବାବର ଅଲୀ ଖାନ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ନାଜିଆଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମରାଯାଉଥିବା ଏବଂ ଧମକ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ପୁଲିସର ସୂଚନା ଅନୁସାରେ, ନାଜିଆ ପ୍ରାୟ ୩ ମାସର ଗର୍ଭବତୀ ଥିଲେ। ଶ୍ୱଶୁରଘରେ ତାଙ୍କ ସହ ହେଉଥିବା କଥିତ ନିର୍ଯାତନା ସମ୍ପର୍କରେ ସେ ଫୋନ୍ ଯୋଗେ ନିଜ ପରିବାରକୁ ଜଣାଇଥିବା ଅଭିଯୋଗରେ କହିଛନ୍ତି ପରିବାର ଲୋକେ।

ଅନ୍ୟପକ୍ଷରେ, ଘଟଣା ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସ୍ୱାମୀ ଆଜମ ପୁଲିସକୁ ପାଖରେ ବୟାନ ଦେଇଛନ୍ତି। ଏଫ୍ଆଇଆରରେ ରେକର୍ଡ ହୋଇଥିବା ତାଙ୍କ ବୟାନ ଅନୁସାରେ, ନାଜିଆ ତାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଅନ୍ୟ ଏକ କୋଠରୀକୁ ଯାଇଥିଲେ। ଏହାପରେ ଆଜମ ଘର ମାଲିକଙ୍କୁ ଜଣାଇଥିଲେ। ଘର ମାଲିକଙ୍କ ସହାୟତାରେ ସେ ବାହାରକୁ ଆସିବା ପରେ ନାଜିଆଙ୍କୁ ଛାତ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିବା ସେ ପୁଲିସକୁ କହିଛନ୍ତି।

ତେବେ ଘଟଣାରେ ସମସ୍ତ ଆଇନଗତ ଓ ପ୍ରକ୍ରିୟାଗତ ପଦକ୍ଷେପ ନିଆଯାଇଛି। ତଦନ୍ତ ଜାରି ରହିଛି ଏବଂ ତଦନ୍ତ ସମୟରେ ମିଳୁଥିବା ପ୍ରମାଣ ଓ ତଥ୍ୟ ଆଧାରରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।



Source link

Leave A Reply

Your email address will not be published.