ଅମରାବତୀ, ୩/୧୧ : ଆନ୍ଧ୍ରପ୍ରଦେଶରେ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପରେ ଏବେ ତାଣ୍ଡବ ରଚିଛି ମୁରାସୁ । ବଙ୍ଗୋପସାଗରରୁ ସୃଷ୍ଟ ଏହି ବାତ୍ୟା ଭୟଙ୍କର ରୂପ ଧାରଣ କରି ରାତି ପ୍ରାୟ ୧୧ଟା ୩୦ ସୁଦ୍ଧା ରାଜ୍ୟର ନେଲ୍ଲୋର ଓ ନର୍ସୀପୁର ମଧ୍ୟରେ ଓଙ୍ଗୋଲ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ତଟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ବେଗରେ ପବନ ବହିଥିଲା । ଏହାକୁ ଦୃଷ୍ଟିରେ ରଖି ୩୦ ବିମାନ ବାତିଲ କରାଯାଇଛି । ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରହିଛି।
ସୋମବାର ସକାଳ ପ୍ରାୟ ୫ଟା ୩୦ରେ ବାତ୍ୟା ମୁରାସୁ ଚେନ୍ନାଇଠାରୁ ୨୦୦ କିମି ଓ ନେଲ୍ଲୋରଠାରୁ ୨୧୦ କିମି ଦୂରରେ ଥିଲା। ଘଣ୍ଟା ପିଛା ୨୫ କିମି ବେଗରେ ଏହା ଆଗକୁ ବଢୁଥିଲା। ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତାମିଲନାଡୁରେ ଏହାର ପ୍ରଭାବରେ ବର୍ଷା ଲାଗିରହିଛି। ଆନ୍ଧ୍ରର ନେଲ୍ଲୋରସ୍ଥିତ ମୟପାଡୁ ବେଳାଭୂମିରେ ସମୁଦ୍ରରେ ଉଚ୍ଚ ଲହରି ଦେଖିବାକୁ ମିଳିଛି। ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଥିବା ମଧ୍ଯରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।
ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ବିଜୟୱାଡ଼ା, ବିଶାଖାପାଟଣା, ତିରୁପତି, ଚେନ୍ନାଇ, ରାଚମୁନ୍ଦ୍ରୀ, କଡପା ଓ ତିରୁଚିରାପଲ୍ଲୀକୁ ଚଳାଚଳ କରୁଥିବା ୩୦ଟି ବିମାନର ଉଡ଼ାଣ ରଦ୍ଦ କରାଯାଇଛି। ଆନ୍ଧ୍ରରେ ଏନଡିଆରଏଫର ୧୪ଟି ଟିମ୍ ମୁତୟନ ହୋଇଛି। କ୍ରିଷ୍ଣା, ଗୁଣ୍ଡୁର, ବାପଟଲା, ପ୍ରକାଶମ, ନେଲ୍ଲୋରରେ ବାତ୍ୟାର ପ୍ରଭାବକୁ ନେଇ ରେଡ୍ ଆଲର୍ଟ ଜାରି କରାଯାଇଥିଲା। ଏହାବ୍ୟତୀତ ପଶ୍ଚିମ ଗୋଦାବରୀ, ଏଲୁରୁ, ଏନଟିଆର, ପାଲନାଡୁ ଏବଂ ଜୋନାସୀମାରେ ବି ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ପ୍ରବଳ ବର୍ଷା ହେଉଛି। ଅଦ୍ୟାବଧି ୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୦ ହଜାରଙ୍କୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଛି।
Also Read :- Horoscope Today : ନଭେମ୍ବର ୩ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସୋମବାର ଅମରାବତୀ ସଚିବାଳୟର ରିଅଲ ଟାଇମ୍ ଗଭର୍ଣ୍ଣାନ୍ସ ସୋସାଇଟି କେନ୍ଦ୍ରରେ ବାତ୍ୟା ମୁରାସୁ ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଣ୍ଣାବ ତୁଳନାରେ ମୁରାସୁର ପ୍ରଭାବ ଆପେକ୍ଷିକ କମ୍ ରହିଥିବା ଜଣାପଡ଼ିଛି। ମୁରାସୁ ପ୍ରଭାବରେ ଆନ୍ଧ୍ରର ପ୍ରଭାବିତ ଅଞ୍ଚଳରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏହି ସମୟରେ ୨୦୪ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଛି। ତେଲଙ୍ଗାନାରେ ବି ୪ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ତାମିଲନାଡୁ ଓ ପୁଡ଼ୁଚେରିରେ ୩ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ତିରୁଭଲ୍ଲୁରରେ ରବିବାର ରାତିରୁ ବର୍ଷା ଲାଗି ରହିଛି। ଚେନ୍ନାଇର ଅନେକ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ବନ୍ଦ କରାଯାଇଛି। ଚେନ୍ନାଇରେ ଗତ ୨୪ ଘଣ୍ଟାରେ ମାଧୱରନରେ ସର୍ବାଧିକ ୧୧ ସେମି ବର୍ଷା ରେକର୍ଡ ହୋଇଛି। ସେହିଭଳି ଏନୋର ବନ୍ଦର ଓ ନୁଙ୍ଗମବକ୍ରମରେ ୧୦ ସେମି ଲେଖାଏଁ ବର୍ଷା ହୋଇଛି। ଚେନ୍ନାଇ ନଗର ନିଗମ ବର୍ଷା ଜଳ ନିଷ୍କାସନ ଲାଗି ପମ୍ପ୍ ଓ କ୍ଷେତ୍ରୀୟ ଟିମ୍ ମୁତୟନ କରିଛି। ତିରୁଭଲ୍ଲୁରର ପଝାଭେର୍କାଡୁରେ ସମୁଦ୍ରରୁ ପ୍ରାୟ ୬ ଫୁଟ ଲହରି ଉଠିଥିବା ଦେଖିବାକୁ ମିଳିଛି।
