ନୟାଗଡ,୦୬/୦୮: ଦୀର୍ଘ ଏକମାସ ଧରି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ ଶେଷରେ ଏହି ଅଞ୍ଚଳ ଛାଡ଼ି ଚାଲିଯାଇଛି। ଦନ୍ତା ଚାଲିଯିବା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ସାତକୋଶିଆ ଅଞ୍ଚଳରୁ କଣ୍ଟିଲୋ ବନାଞ୍ଚଳକୁ ପଶି ଆସିଥିବା ଏହି ଦନ୍ତାଟି ପ୍ରାୟ ଏକମାସ ଧରି ନିକଟସ୍ଥ ଜଙ୍ଗଲରେ ଘୂରି ବୁଲୁଥିଲା।
ଗତ ରବିବାର ସନ୍ଧ୍ୟାରେ ବଡ଼ ବାଣପୁର ପଞ୍ଚାୟତ ଅଧୀନ ନୂଆଗାଁ ନିକଟ ଜଙ୍ଗଲରେ ହାତୀଟିକୁ ଶେଷଥର ପାଇଁ ଦେଖାଯାଇଥିଲା। ପରେ ମଧ୍ୟରାତ୍ରିରେ ନୀଳମାଧବ ମନ୍ଦିର ପଶ୍ଚିମ ଦ୍ବାର ନିକଟ ଗଙ୍ଗାମାତା ମନ୍ଦିର ତୁଠରେ ହାତୀଟି ପହଞ୍ଚିଥିଲା । ସେହି ସମୟରେ ବୋଲବମ୍ ଯାତ୍ରା ଚାଲିଥିବାରୁ ମହାନଦୀ ତୁଠ ବଜାର ଅଞ୍ଚଳରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ଥିଲାIଲୋକଙ୍କ କୋଳାହଳ ଶୁଣି ଦନ୍ତାଟି ମହାନଦୀର ପଶି ବନ୍ୟାଜଳର ପ୍ରଖର ସ୍ରୋତରେ ଭାସି ଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
Also Read :- ମାରିଲା ଚଡ଼କ, ଛଟପଟ ହୋଇ ମରିଗଲେ ୧୪ ବ୍ୟକ୍ତି, ୮ ଗୁରୁତର
ବନ ବିଭାଗ ତୁରନ୍ତ ଡ୍ରୋନ୍ ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖୁଥୁଲା । ଦନ୍ତାଟି ମହାନଦୀର ସ୍ରୋତରେ ଭାସି ବଡ଼ମ୍ବା ରେଞ୍ଜ୍ ଅଧୀନ ଭଟ୍ଟାରିକା ଅଞ୍ଚଳରେ ପହଞ୍ଚିଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ବିଭିନ୍ନ ନଦୀର ଜଳସ୍ତର ଫୁଲିଛି । ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହୁଛି । ଅନେକ ସମୟରେ ବନ୍ୟା ଜଳରେ ଉପରମୁଣ୍ଡରୁ ବିଭିନ୍ନ ଜୀବଜନ୍ତୁ ଭାସି ଆସୁଛନ୍ତି । କିଛିଦିନ ତଳେ କଟକର ନରାଜ ଅଞ୍ଚଳରେ କିଛି ଓଧଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ବ୍ରାହ୍ମଣୀ, ମହାନଦୀର କିଛି ଶାଖା ନଦୀରେ କୁମ୍ଭୀର ଆତଙ୍କ ମଧ୍ୟ ଦେଖିବାକୁ ମିଳିଛି ।
