ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)କୁ ମିଳିଛି ଆଉ ଏକ ବଡ଼ ସଫଳତା । ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି କରିବାକୁ ହୋଇଥିବା ପରୀକ୍ଷଣ ସଫଳ । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରି ଇତିହାସ ରଚିଛି ଡିଆରଡିଓ । ଏପିଜେ ଅବଦୁଲ କଲାମ ଦ୍ବୀପରୁ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର 'କୁଶ' (Kusha) ର ପ୍ରଥମ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି ।
ଏହି ସଫଳ ପରୀକ୍ଷଣ ଭାରତର ସ୍ୱଦେଶୀ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ DRDO ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଏପରି ଦୀର୍ଘ ଦୂରଗାମୀ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିବାର କ୍ଷମତା ଦ୍ବାରା ଦେଶର ବିଦେଶୀ କ୍ଷେପଣାସ୍ତ୍ର ଉପରେ ନିର୍ଭରଶୀଳତା ହ୍ରାସ ପାଇବ।
'ପ୍ରୋଜେକ୍ଟ କୁଶ'
ଏହି ପ୍ରୋଜେକ୍ଟ ଆମେରିକାର MIM-104 Patriot ଏବଂ ରୁଷିଆର S-400 Triumf ପରି ବିଶ୍ୱପ୍ରସିଦ୍ଧ ଆକାଶ ପ୍ରତିରକ୍ଷା ପ୍ରଣାଳୀ ସହ ପ୍ରତିଯୋଗିତା କରିବା ପାଇଁ ପ୍ରସ୍ତୁତ କରାଯାଉଛି।
ଏଥିରେ ରହିଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା:
M1 ଇଣ୍ଟରସେପ୍ଟର: ପ୍ରାୟ ୧୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ।
M2 ଇଣ୍ଟରସେପ୍ଟର: ପ୍ରାୟ ୨୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ।
M3 ଇଣ୍ଟରସେପ୍ଟର: ୩୫୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଦୂରଗାମୀ ଲକ୍ଷ୍ୟଭେଦ।
ଏହି କ୍ଷେପଣାସ୍ତ୍ରଗୁଡ଼ିକ ମ୍ୟାକ୍ ୫.୫ ଅର୍ଥାତ୍ ଶବ୍ଦର ଗତିଠାରୁ ପ୍ରାୟ ୫.୫ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ଆଧୁନିକ ରାଡାର୍, ଫାୟାର କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ନେଟୱାର୍କ-ସେଣ୍ଟ୍ରିକ୍ କମାଣ୍ଡ ବ୍ୟବସ୍ଥା ରହିଛି। ଏହା ଶତ୍ରୁପକ୍ଷର ଫାଇଟର ଜେଟ୍, ଷ୍ଟିଲଥ୍ ବିମାନ, ଡ୍ରୋନ୍, କ୍ରୁଜ୍ ମିସାଇଲ୍ ଏବଂ ବାଲିଷ୍ଟିକ୍ ମିସାଇଲ୍କୁ ଆକାଶରେ ହିଁ ନଷ୍ଟ କରିବାକୁ ସକ୍ଷମ। ୨୦୩୫ ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବହୁ-ସ୍ତରୀୟ ଜାତୀୟ ବାୟୁ ଓ ମିସାଇଲ୍ ପ୍ରତିରକ୍ଷା କବଚ ପ୍ରଦାନ କରିବା ପାଇଁ 'ମିଶନ ସୁଦର୍ଶନ ଚକ୍ର' ଯୋଜନା କରାଯାଇଛି। 'ପ୍ରୋଜେକ୍ଟ କୁଶ' ଏହି ପ୍ରତିରକ୍ଷା ମିଶନର ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ।
Source link
