Voice of Eastern India

ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଆର୍ଥିକ ସହାୟତା: ଓଡ଼ିଶା ପାଇଁ ୫୦୦ କୋଟିର ରାଶି ଘୋଷଣା


ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥିକ ସହାୟତା ଜାରି କରିଛନ୍ତି। କେନ୍ଦ୍ର ଗୃହ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି’ (SDRF) ରୁ ୨,୧୧୭.୮୫ କୋଟି ଟଙ୍କାର ଆଗୁଆ ସହାତା ରାଶି ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି।

ଓଡ଼ିଶା ସମେତ ୭ଟି ରାଜ୍ୟ ପାଇବେ ସହାୟତା

ଚଳିତ ମୌସୁମୀ ଋତୁରେ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟକୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ଏବଂ ହିମାଚଳ ପ୍ରଦେଶ ପୂର୍ବରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ SDRFର ପ୍ରଥମ କିସ୍ତି ପାଇସାରିଥିବା ବେଳେ, ବନ୍ୟାର ଗୁରତ୍ଵକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ଏବଂ ହିମାଚଳ ପ୍ରଦେଶ ପାଇଁ ୧୯୩.୯୫ କୋଟି ଟଙ୍କାର ଦ୍ୱିତୀୟ କିସ୍ତି ଅଗ୍ରିମ ମଞ୍ଜୁର କରାଯାଇଛି।

Also Read: ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୧ ପ୍ରସ୍ତାବରେ ଲାଗିଲା ମୋହର

ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ମିଳିଥିବା ଅନୁଦାନ

ଏହା ବ୍ୟତୀତ ନିୟମାବଳୀକୁ କିଛି ମାତ୍ରାରେ କୋହଳ କରି କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିର ଅଗ୍ରିମ ରାଶି ପ୍ରଦାନ କରିଛନ୍ତି। ଏଥିରେ ଗୁଜରାଟକୁ ୫୦୦ କୋଟି, ମହାରାଷ୍ଟ୍ରକୁ ୫୦୦ କୋଟି, ଆସାମକୁ ୩୭୯.୩୫ କୋଟି ଏବଂ ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ୟା ବିପର୍ଯ୍ୟୟର ସଠିକ୍ ଆକଳନ ପାଇଁ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଅରୁଣାଚଳ ପ୍ରଦେଶ ଏବଂ ଆସାମ ପରିଦର୍ଶନ କରିସାରିଛନ୍ତି। ଆସାମର ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ଦୁଇଥର କେନ୍ଦ୍ରୀୟ ଟିମ୍ ପଠାଯାଇଛି। ସେହିପରି ନାଗାଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସେଠା ପାଇଁ ମଧ୍ୟ ଏକ କେନ୍ଦ୍ରୀୟ ଟିମ୍ ଗଠନ କରାଯାଉଛି।

ଉଦ୍ଧାର କାର୍ଯ୍ୟରେ NDRF ଓ ପ୍ରତିରକ୍ଷା ମନ୍ତ୍ରଣାଳୟ

ମୌସୁମୀ ଆରମ୍ଭରୁ ହିଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ନଜର ରଖିଛନ୍ତି। ଆବଶ୍ୟକ ସ୍ଥଳେ NDRF ଟିମ୍ ମୋତୟନ କରିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ଲଜିଷ୍ଟିକ୍ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ଏହି ତତ୍କାଳ ଆର୍ଥିକ ମଞ୍ଜୁରୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିବ।



Source link

Leave A Reply

Your email address will not be published.