କୋଲକାତା: ବେଙ୍ଗଲୀ ସିନେମା ଜଗତର ଜଣାଶୁଣା ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀଲେଖା ମିତ୍ର ଏବେ ଏକ ବଡ଼ ଆଇନଗତ ସଙ୍କଟରେ ଛନ୍ଦି ହୋଇପଡ଼ିଛନ୍ତି। ନିକଟରେ କୋଲକାତାରେ ଆୟୋଜିତ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଆପତ୍ତିଜନକ ପୋଷ୍ଟର ବ୍ୟବହାର କରିବା ଅଭିଯୋଗରେ ତାଙ୍କ ନାମରେ ଏକାଧିକ ଥାନାରେ ଏଫ୍ଆଇଆର୍ (FIR) ରୁଜୁ ହୋଇଛି।
ବିଜେପି ନେତ୍ରୀ କେୟା ଘୋଷ ଆନନ୍ଦପୁର ପୁଲିସ ଷ୍ଟେସନରେ ଶ୍ରୀଲେଖାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ଏହାସହ ବିଧାନନଗର ସାଇବର କ୍ରାଇମ ପୁଲିସ ଷ୍ଟେସନ ସମେତ ବିଭିନ୍ନ ଥାନାରେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହୋଇଛି। କେୟା ଘୋଷ ମିଡିଆକୁ କହିଛନ୍ତି ଯେ,‘ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏପରି ଅସମ୍ମାନ କରିବା ଅପରାଧ। ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ଶ୍ରୀଲେଖା ମିତ୍ରଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍।’
BNSର ଧାରା ୩୫୨ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଉତ୍ତେଜନା ସୃଷ୍ଟି), ୩୫୩ (ଉତ୍ତେଜନାମୂଳକ ଆଚରଣକୁ ପ୍ରୋତ୍ସାହନ) ଏବଂ ୩୫୬ (ମାନହାନୀ) ଅଧୀନରେ ଏହି ମାମଲା ରୁଜୁ କରାଯାଇଛି। ନିଜ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିନେତ୍ରୀ ଶ୍ରୀଲେଖା ମିତ୍ର ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ‘ଯଦି ଆପଣ ମୋତେ ଗିରଫ କରିବାକୁ ଚାହୁଁଛନ୍ତି ତେବେ ଗିରଫ କରନ୍ତୁ, ଯଦି ଫାଶୀ ଦେବାକୁ ଚାହୁଁଛନ୍ତି ତେବେ ଦେଇଦିଅନ୍ତୁ। ମୁଁ ବିଶ୍ୱାସ କରେ ଯେ, ଏହି ଅନ୍ୟାୟ ବିରୋଧରେ ମଧ୍ୟ ଏକ ବଡ଼ ଜନଆନ୍ଦୋଳନ ଗଢ଼ିଉଠିବ।’
‘ନିଟ୍’ (NEET) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କୋଲକାତାରେ ହଜାର ହଜାର ଛାତ୍ରଛାତ୍ରୀ ଏକତ୍ରିତ ହୋଇ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି ଛାତ୍ର ଆନ୍ଦୋଳନରେ ଶ୍ରୀଲେଖା ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଏକ ଅସମ୍ମାନଜନକ ପୋଷ୍ଟର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।
