ଢାକା: ଗୁଜରାଟରୁ ଇଲିସି ମାଛ ଆମଦାନୀ ଉପରେ କଟକଣା ଲଗାଇଲେ ବାଂଲାଦେଶ ସରକାର। ଆମଦାନୀ ପାଇଁ ପୂର୍ବରୁ ଦିଆଯାଇଥିବା ନୋ ଅବଜେକ୍ସନ ସାର୍ଟିଫିକେଟକୁ ବାଂଲାଦେଶ ସରକାର ରଦ୍ଦ କରି ଦେଇଛନ୍ତି।
ଇଲିସି ମାଛର ବିଶ୍ୱର ସର୍ବବୃହତ ଉତ୍ପାଦକ ଓ ରପ୍ତାନିକାରୀ ଦେଶ ହେଉଛି ବାଂଲାଦେଶ। ଏଠି ବହିଯାଇଥିବା ପଦ୍ମା ନଦୀରୁ ପ୍ରଚୁର ଇଲିସି ପ୍ରଡକ୍ସନ କରିଥାଏ ବାଂଲାଦେଶ। ହେଲେ ଗତ କିଛିଦିନ ହେବ ଗୁଜରାଟରୁ ଇଲିସି ଆମଦାନୀ କରି ବାଂଲାଦେଶରେ ବିକ୍ରି କରାଯାଉଥିଲା। ସେଠାରେ ଏହାକୁ ପଦ୍ନା ନଦୀର ଇଲିସି ବୋଲି କହି ବିକାଯାଉଥିଲା। ଏହାକୁ ବନ୍ଦ କରିବା ପାଇଁ ଢାକା ହଠାତ୍ ଭାରତରୁ ଇଲିସି ଆମଦାନୀକୁ ବନ୍ଦ କରିଦେଇଥିବା କୁହାଯାଉଛି।
ଅନ୍ୟପଟେ ଦୁର୍ଗାପୂଜା ସମୟରେ ପ୍ରତିବର୍ଷ ବାଂଲାଦେଶ ଭାରତକୁ ଇଲିସି ମାଛର ରପ୍ତାନୀ କରିଥାଏ। କାରଣ ଏହି ସମୟରେ ପଶ୍ଚିମବଙ୍ଗରେ ଇଲିସିର ଚାହିଦା ଅଧିକ ରହିଥାଏ। ହେଲେ ଚଳିତ ବର୍ଷ ଢାକା ପକ୍ଷରୁ ଗୋଟିଏ ବି ରପ୍ତାନୀ କରାଯାଇ ନାହିଁ।
ଗୁଜରାଟରୁ ଇଲିସି ଆମଦାନୀ ଢାକାରେ ଚର୍ଚ୍ଚା
ପ୍ରଥମ ଥର ପାଇଁ ଭାରତରୁ ଇଲିସି ଆମଦାନୀ କରିବା ଘଟଣା ଗତ ସପ୍ତାହରେ ବାଂଲାଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦେଶର ଖବର କାଗଜରେ ସିରୋନାମା ହୋଇଥିଲା। ଗତ ଦୁଇ ମାସରେ ଭାରତ ପ୍ରଥମ ଥର ପାଇଁ ବାଂଲାଦେଶକୁ ପ୍ରାୟ ୫୦୦ ଟନ୍ ଇଲିଶ ରପ୍ତାନି କରିଥିଲା। ପିଟିଆଇର ରିପୋର୍ଟ ଅନୁସାରେ, ଏହି ମାଛ ଗୁଡ଼ିକ ସବୁ ଭାରୁଚ ପୋର୍ଟ ଦେଇ ଗୁଜରାଟରୁ ବାଂଲାଦେଶକୁ ରପ୍ତାନୀ କରାଯାଇଥିଲା ବୋଲି ବାଂଲାଦେଶ ବ୍ୟବସାୟୀମାନେ ସୂଚନା ଦେଇଛନ୍ତି।
Also read- ନୋଏଲ୍ ଟାଟାଙ୍କ ଆପତ୍ତିକୁ ଖାରଜ କଲା ଟାଟା ସନ୍ସ; କହିଲା, ଚନ୍ଦ୍ରଶେଖରନ୍ଙ୍କ ପୁନଃ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବୈଧ
ଅନ୍ୟାନ୍ୟ ଅଞ୍ଚଳର ଇଲିସି ମାଛ ତୁଳନାରେ ‘ପଦ୍ମା ଇଲିସି’ ଅଧିକ ଚର୍ବିଯୁକ୍ତ ଓ ନରମ ବୋଲି କୁହାଯାଏ। ଏହାର ତେଲ ଓ ସ୍ୱତନ୍ତ୍ର ସୁଗନ୍ଧ ଓ ମିଠା ସ୍ୱାଦ ପାଇଁ ବାଂଲାଦେଶଳ ଇଲିସିର ଗୋଟେ ସ୍ୱତନ୍ତ୍ର ପରିଚୟ ରହିଛି। ଅନ୍ୟପକ୍ଷରେ, ଗୁଜରାଟୀ ଇଲିସି କମ୍ ଚର୍ବିଯୁକ୍ତ ହୋଇଥାଏ ଏବଂ ଏଥିରେ ଅଧିକ ପରିମାଣର ଅଣ୍ଡା (ରୋ) ଥିବାରୁ ଏହାର ସ୍ୱାଦ ପୂର୍ବ ଭାରତୀୟ ଇଲିସି ତୁଳନାରେ ସେତେ ଭଲ ହୋଇ ନ ଥାଏ।
ବାଂଲାଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମତ୍ସ୍ୟ ବିଭାଗ ବୁଧବାର (ସେପ୍ଟେମ୍ବର ୨୩) ଦିନ ଅତିକମରେ ୧୦୩ଟି ଏନଓସି ପ୍ରତ୍ୟାହାର କରିନେଇଛି। ଏହି ପ୍ରମାଣପତ୍ରଗୁଡ଼ିକ ଆମଦାନୀକାରୀମାନଙ୍କୁ ବେନାପୋଲ ସ୍ଥଳ ବନ୍ଦର ଦେଇ ଗୁଜୁରାଟୀ ଇଲିସି ମାଛ ଆଣିବାକୁ ଅନୁମତି ଦେଇଥିଲା। ମତ୍ସ୍ୟ ବିଭାଗର କାର୍ଯ୍ୟକାରୀ ମହାନିର୍ଦ୍ଦେଶକ ମହମ୍ମଦ ଖାଲେଦ୍ କନକଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଚିଠି ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। ଭାରତର ଗୁଜରାଟରୁ ଆସୁଥିବା ଇଲିଶକୁ ବାଂଲାଦେଶରେ ‘ପଦ୍ମା ଇଲିଶ’ ନାମରେ ବିକ୍ରି କରାଯାଉଥିବା ସନ୍ଦେହ ଏହି ପଦକ୍ଷେପର ଏକ କାରଣ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ବାଂଲାଦେଶ ସରକାର ଏପର୍ଯ୍ୟନ୍ତ ଆମଦାନୀ ବନ୍ଦ କରିବାର ନିର୍ଦ୍ଦିଷ୍ଟ କାରଣ ଘୋଷଣା କରିନାହାନ୍ତି।
ବାଂଲାଦେଶରେ କମିଲା ଇଲିସି ଉତ୍ପାଦନ
ଏପଟେ ବାଂଲାଦେଶରେ ଇଲିଶ ଉତ୍ପାଦନ କମିଥିବା ରିପୋର୍ଟ ଆସିଛି। ୨୦୨୨ରେ ପ୍ରାୟ ୫.୭୧ ଲକ୍ଷ ଟନ୍ ଥିବା ଉତ୍ପାଦନ ୨୦୨୫ରେ ପ୍ରାୟ ୫ ଲକ୍ଷ ଟନ୍କୁ ହ୍ରାସ ପାଇଥିବା ଦାବି କରାଯାଇଛି। ଏହା ଫଳରେ ସେଠାରେ ଇଲିଶର ଦାମ୍ ମଧ୍ୟ ବଢ଼ିଛି।
ଏହି ଅଭାବ ଭିତରେ ଏଥର ବାଂଲାଦେଶରୁ ଭାରତକୁ ଇଲିସି ମାଛ ଆସିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୨୫ରେ ବାଂଲାଦେଶ ସରକାର ଦୁର୍ଗାପୂଜା ପୂର୍ବରୁ ଭାରତକୁ ୧,୨୦୦ ଟନ୍ ଇଲିଶ ରପ୍ତାନିକୁ ଅନୁମତି ଦେଇଥିଲେ। କିନ୍ତୁ ୨୦୨୬ରେ ଏପର୍ଯ୍ୟନ୍ତ ଏଭଳି କୌଣସି ଅନୁମତି ମିଳିନାହିଁ।
ଏହି ନୂଆ ନିଷ୍ପତ୍ତି ଯୋଗୁ ବାଂଲାଦେଶୀ ଆମଦାନୀକାରୀମାନେ ମଧ୍ୟ ଆର୍ଥିକ କ୍ଷତିର ଆଶଙ୍କା କରୁଛନ୍ତି। ଭାରତରେ କିଣାଯାଇଥିବା ମାଛ ଗୋଦାମରେ ଅଟକିଥିବାରୁ ଏହାକୁ କମ୍ ଦାମରେ ଫେରାଇବାକୁ ପଡ଼ିପାରେ ବୋଲି ଆମଦାନୀକାରୀମାନେ କହିଛନ୍ତି।
