ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ରାଜ୍ୟଙ୍କ ରାଜ୍ୟପାଳ ବଦଳାଇଛନ୍ତି। ଏମାନଙ୍କ ମଧ୍ୟରୁ ସିକ୍କିମ ରାଜ୍ୟପାଳ ଓମ ପ୍ରକାଶ ମାଥୁରଙ୍କୁ କେରଳ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ସେହିପରି କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର ତାମିଲନାଡୁ ରାଜ୍ୟପାଳ ହୋଇଛନ୍ତି। ବ୍ରଜମୋହନ ରାମ ଓଡିଶା ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡ. ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଓ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସେତେବେଳେ ପ୍ରଭାବୀ ହେବ ଯେତେବେଳେ ନିଯୁକ୍ତ ବ୍ୟକ୍ତି ନିଜନିଜ କାର୍ଯ୍ୟାଳୟର କାର୍ଯ୍ୟଭାର ଗ୍ରହଣ କରିବେ।
ଆର.ଏନ.ରବିଙ୍କୁ ପଶ୍ଚିମବଙ୍ଗ ବଦଳି କରାଯିବା ପରେ ଅର୍ଲେକର ଗତ ମାର୍ଚ୍ଚ ମାସରୁ ତାମିଲନାଡୁର ରାଜ୍ୟପାଳ ଦାୟିତ୍ୱ ତୁଲାଇ ଆସୁଥିଲେ। ଏଥିରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ତାଜା ଘୋଷଣା ତାଙ୍କ ନିଯୁକ୍ତିକୁ ଔପଚାରିକ ରୂପ ଦେଇଛି। ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ଆର୍ଲେକର ହିମାଚଳ ପ୍ରଦେଶ ଓ ବିହାର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଓମ ପ୍ରକାଶ ମାଥୁର କେରଳରେ ଆର୍ଲେକରଙ୍କ ସ୍ଥାନ ନେବେ। ରାଜସ୍ଥାନର ବରିଷ୍ଠ ବିଜେପି ନେତା ଓ ପୂର୍ବତନ ରାଜ୍ୟସଭା ସଦସ୍ୟଙ୍କୁ ଜୁଲାଇ ୨୦୨୪ରେ ସିକ୍କିମ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।
President Droupadi Murmu made the following appointments of Governors: 1) Om Prakash Mathur, Governor of Sikkim, appointed as Governor of Keralam. 2) Rajendra Vishwanath Arlekar, Governor of Keralam appointed as Governor of Tamil Nadu. 3) Braj Mohan Ram appointed as Governor of Odisha. 4) Dr. Sudha Yadav appointed as Governor of Karnataka. 5) Dr. Dhal Singh Bisen appointed as Governor of Uttarakhand 6) Dushyant Gautam appointed as Governor of Sikkim
— ANI (@ANI) October 12, 2026
ପଲାମୁର ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଲୋକସଭା ସାଂସଦ ବ୍ରଜମୋହନ ରାମ ଓଡିଶାରେ ହରିବାବୁ କମ୍ଭମପତିଙ୍କ ସ୍ଥାନ ନେଇଛନ୍ତି। କମ୍ଭମପତି ୩ ଜାନୁୟାରୀ ୨୦୨୫ରେ ଓଡିଶାର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ସେହିପରି ମହେନ୍ଦ୍ର ଗଡରୁ ବିଜେପିର ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ପୂର୍ବତନ ସଦସ୍ୟା ସୁଧା ଯାଦବ ଥାବରଚନ୍ଦ ଗହଲୋତଙ୍କ ସ୍ଥାନରେ କର୍ଣ୍ଣାଟକ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେ ଭି.ଏସ୍. ରମାଦେବୀଙ୍କ ପରେ ରାଜ୍ୟର ଦ୍ୱିତୀୟ ମହିଳା ରାଜ୍ୟପାଳ ହେବେ।
ମଧ୍ୟପ୍ରଦେଶ ବାଲାଘାଟରୁ ପୂର୍ବତନ ଲୋକସଭା ସାଂସଦ ଢାଲ ସିଂହ ବିସେନ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହଙ୍କ ସ୍ଥାନରେ ଉତ୍ତରାଖଣ୍ଡର ରାଜ୍ୟପାଳ ହେବେ। ସେହିପରି ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଦୁଷ୍ୟନ୍ତ ଗୌତମ ସିକ୍କିମରେ ଓମ ପ୍ରକାଶ ମାଥୁରଙ୍କ ସ୍ଥାନ ନେବେ। ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ହୋଇଥିବା ଘୋଷଣାରେ କମ୍ଭମପତି, ଗହଲୋତ ଅଥବା ଗୁରମିତ ସିଂହଙ୍କ ଲାଗି କୌଣସି ନୂଆ ଦାୟିତ୍ୱର ଉଲ୍ଲେଖ ନାହିଁ।
