Voice of Eastern India

ଝିଅକୁ କଲେଜରେ ଛାଡ଼ି ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା


ମୁମ୍ବାଇ: ଝିଅକୁ କଲେଜରେ ଛାଡ଼ି କାର୍‌ରେ ଘରକୁ ଫେରୁଥିଲେ ପରିବାରର ତିନି ସଦସ୍ୟ। ହେଲେ ବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା କାରକୁ। ଫଳରେ କାରରେ ଲାଗିଗଲା ନିଆଁ। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ମଧ୍ୟରେ ପୂରା କାର୍‌ଟି ଜଳିଯାଇଥିଲା। ଆଉ ଭିତରେ ଥିବା ପରିବାର ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲା। ଏଭଳି ଏକ ମର୍ମନ୍ତୁଦ ହୃଦୟବିଦାରକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ର ଓ୍ବାର୍ଦ୍ଧା ଜିଲ୍ଲା ସମୃଦ୍ଧି ଏକ୍ସପ୍ରେସଓ୍ବେରେ। ତେବେ ଏହି ଦୁର୍ଘଟଣାରେ ସମୁଦାୟ ୬ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ମୁମ୍ବାଇରୁ ନାଗପୁରକୁ ସଂଯୋଗ ସମୃଦ୍ଧି ଏକ୍ସପ୍ରେସଓ୍ବେରେ ଏକ ଇଥାନଲ କଣ୍ଟେନର ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁ କଣ୍ଟେନରରେ ଥିବା ଇଥାନଲ ମଧ୍ୟ ଲିକ୍ କରୁଥିଲା। ଫଳରେ ପୋଲିସ ଟ୍ରାଫିକ୍ ଡାଇଭର୍ଟ କରିଥିଲା। ହେଲେ ଏହାରି ମଧ୍ୟରେ ପୁନେରୁ ଓ୍ବାର୍ଦ୍ଧା ଯାଉଥିବା ଏକ କାରକୁ ଏକ ଲଙ୍କା ବୋଝେଇ ଟ୍ରକ୍ ପଛରୁ ଧକ୍କା ଦେଇ ଚଢ଼ିଯାଇଥିଲା। ଆଉ ସଙ୍ଗେ ସଙ୍ଗେ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ କାର ଏବଂ ଟ୍ରକରେ ଥିବା ସମସ୍ତେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

Also Read: ବିବାହ ପାଇଁ ମନା କରିଦେଲେ କଲେଜ ଛାତ୍ରୀ, ରାସ୍ତାରେ ଅଟକାଇ ଯୁବକ ଭିଆଇଲା ଭୟଙ୍କର କାଣ୍ଡ

ପୋଲିସର ସୂଚନା ଅନୁସାରେ, କାରରେ ଚାରିଜଣ ଥିଲେ। ସେମାନେ ସମସ୍ତେ ଓ୍ବାର୍ଦ୍ଧା ସାଲୋଦ ଅଞ୍ଚଳର। ମୃତକଙ୍କ ମଧ୍ୟରେ ରହିଛନ୍ତି କାରରେ ଥିବା ରାଜେଶ ତିପଲେ, ତାଙ୍କ ପତ୍ନୀ ସୁଷମା ତିପଲେ, ଝିଅ ଜାହ୍ନବୀ ଏବଂ ଡ୍ରାଇଭର। ସେହିଭଳି ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ଅଛନ୍ତି ଟ୍ରକ୍ ଡ୍ରାଇଭର ସଞ୍ଜୟ କୁମାର ଏବଂ ସମରଜିତ ପାଲ୍। ପୋଲିସ କହିଛି, ଉକ୍ତ ପରିବାର ବଡ଼ ଝିଅକୁ ପୁନେର ଏକ ଏମବିଏ କଲେଜରେ ଛାଡ଼ି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା।

ତେବେ ଦୁର୍ଘଟଣା ପରେ ହାଇଓ୍ବେ ସେଫ୍ଟି ପେଟ୍ରୋଲ, ଓ୍ବାର୍ଦ୍ଧା ପୋଲିସ, ଅଗ୍ନିଶମ ବାହିନୀ ଏବଂ ମହାରାଷ୍ଟ୍ର ଷ୍ଟେଟ୍ ରୋଡ୍ ଡେଭଲପମେଣ୍ଟ କର୍ପୋରେସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଭିଡ଼ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ରିପୋର୍ଟ ଅନୁସାରେ, ସମୃଦ୍ଧି ଏକ୍ସପ୍ରେସ୍ଓ୍ବେରେ ୨୦୨୫ରେ ୧୮୫ ଦୁର୍ଘଟଣା ରିପୋର୍ଟ ହୋଇଥିଲା। ଯାହା ୨୦୨୪ରେ ରିପୋର୍ଟ ହୋଇଥିବା ୧୩୭ ଦୁର୍ଘଟଣା ତୁଳନାରେ ୩୫ ପ୍ରତିଶତ ଅଧିକ।



Source link

Leave A Reply

Your email address will not be published.