Voice of Eastern India

ଛାଡି଼ବନି ବର୍ଷା, ଫୁଲୁଛି ସବୁ ନଦୀ ! ୨୪ ଘଣ୍ଟା ସତର୍କ ରହିବାକୁ ଏହି ଜିଲ୍ଲାକୁ ଆଲର୍ଟ


ଭୁବନେଶ୍ୱର, ୨୮। ୦୭ : ବର୍ଷା ଲାଗି ରହିଛି। । ଆହୁରି ଦୁଇଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । ପାଣିପାଗ ପୂର୍ବାନୁମାନ-ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାବାଦ୍ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ଯ ଲଗାଣ ବର୍ଷା ହେବ । ବର୍ତ୍ତମାନ ସ୍ଥିତି ଓ ସମ୍ଭାବ୍ୟ ଚିତ୍ରରୁ ସଙ୍କେତ ମିଳୁଛି, ମହାନଦୀ ସମେତ ଉତ୍ତର ଓଡ଼ିଶାରେ ନଦୀ ଜଳସ୍ତର ଫୁଲିବ। ଅନ୍ୟପଟେ ଦିନକ ପରେ ପୂର୍ଣ୍ଣିମା। ସମୁଦ୍ର ପାଣି ଟାଣିବନି। ନଦୀ ଜଳସ୍ତର ବଢ଼ିଲେ ଖସିବାକୁ ବିଳମ୍ବ ହେବ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପରେ ଥିବା ଗଭୀର ଅବପାତ ଆହୁରି ଶକ୍ତିଶାଳୀ ହେଉଛି। ସୋମବାର ସନ୍ଧ୍ୟା ବେଳକୁ ଏହା ଘଣ୍ଟାକୁ ୭ କିମି ବେଗରେ ଆଗକୁ ବଢୁଥିଲା। ମଙ୍ଗଳବାର ସକାଳୁ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ମୁହାଁଇବ। ଏହା ଉତ୍ତର ଓ ପଶ୍ଚିମ ଓଡ଼ିଶା ଦେଇ ଯିବ। ଏହା ପ୍ରଭାବରେ ଆସନ୍ତା ଦୁଇଦିନ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି।

Also Read :- Horoscope Today : ଜୁଲାଇ ୨୮ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମଙ୍ଗଳବାର ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇପାରେ। ଏହା ପରେ ବି ରାଜ୍ୟରେ ବର୍ଷା ପୂରା ଛାଡ଼ିବନି। ଆସନ୍ତା ଅଗଷ୍ଟ ୨ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ରହିବ।

ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନରାଜରେ ମହାନଦୀ ଜଳସ୍ତର ୨୫.୭୧ ମିଟର ଥିଲା। ନରାଜରେ ସତର୍କ ସଙ୍କେତ ସ୍ତର ଡେଇଁଛି। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୫ ହଜାର ୨୨୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ନିଷ୍କାସିତ ହେଉଥିଲା ୨ଲକ୍ଷ ୧୪ ହଜାର ୯୦୬ କ୍ୟୁସେକ୍ ଜଳ। ଖଇରମାଳରେ ୩ ଲକ୍ଷ ୯୦ ହଜାର କ୍ୱୁସେକ ଓ ବରମୂଳରୁ ୨ଲକ୍ଷ ୬୫ ହଜାର କ୍ୱୁସେକ ଏବଂ ମୁଣ୍ଡଳୀରେ ୩ଲକ୍ଷ ୯୯ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା।

ହୀରାକୁଦରୁ ପାଣି ଆସି ମୁଣ୍ଡଳୀରେ ପହଞ୍ଚିବାକୁ ପାଖାପାଖି ୩୬ରୁ ୫୦ ଘଣ୍ଟା ଲାଗିବ। ସେହିଭଳି ଖଇରମାଳ ଓ ବରମୂଳରୁ ପାଣି ଆସି ମୁଣ୍ଡଳୀରେ ପହଞ୍ଚିବାକୁ ୨୪ ଘଣ୍ଟା ଲାଗିବ। ସମ୍ଭାବ୍ୟ ବର୍ଷା ପ୍ରଭାବରେ ତେଲ ନଦୀର ଜଳସ୍ତର ବଢ଼ିବ । ଏହି ପାଣି ମହାନଦୀକୁ ଆହୁରି ଫୁଲାଇବ। ପାଣିପାଗ ବିଭାଗ ଆହୁରି ପୂର୍ବାନୁମାନ କରିଛି, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏମିତିରେ ମହାନଦୀ ଉପରମୁଣ୍ଡ ସହ ତଳମୁଣ୍ଡ ଏବଂ ଉପନଦୀ ଅବବାହିକାରେ ବଡ଼ ବର୍ଷା ହୋଇପାରେ।

ସେହିପରି ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ହେଲେ ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ଫୁଲିବା ଆଶଙ୍କା ରହିଛି। ବ୍ରାହ୍ମଣୀରେ କ୍ରମାଗତ ଭାବେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତା ୨୯ତାରିଖ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏଥିପାଇଁ ନଦୀର ଜଳସ୍ତର ବଢ଼ିଲେ ବି ଏହା ସମୁଦ୍ରକୁ ନିଷ୍କାସିତ ହୋଇପାରିବନି। ଏସବୁର ପ୍ରଭାବରେ ମହାନଦୀ ସମେତ ଅନ୍ୟ ନଦୀ ଫୁଲିବା ଆଶଙ୍କା କରାଯାଉଛି। ତେଣୁ ନଦୀର ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ। ଲଗାଣ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ କମିଶନର ବିଭିନ୍ନ ଜିଲ୍ଲାକୁ ଏ ନେଇ ସତର୍କ କରାଇଛନ୍ତି।

ଗଭୀର ଅବପାତଜନିତ ପ୍ରବଳ ବର୍ଷା ଆଶଙ୍କା ନେଇ ସ୍ଥିତି ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବୈଠକରେ ଜିଲ୍ଲାଭିଭିକ ପ୍ରସ୍ତୁତିର ଆକଳନ ହୋଇଛି। ସବୁ ଜିଲ୍ଲା ପ୍ରଶାସନ ୨୪ ଘଣ୍ଟା ଆଲର୍ଟରେ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧ ତାରିଖରୁ ରାଜ୍ୟରେ ମୋଟ ୫୧୭.୬ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ତୁଳନାରେ ୭୫.୭% ଅଧିକ ବର୍ଷା ହୋଇଛି। ତେବେ ଏବେ ସୁଦ୍ଧା ସବୁ ପ୍ରମୁଖ ନଦୀର ଜଳସ୍ତର ବିପଦ ସ୍ତରରୁ ତଳେ ପ୍ରବାହିତ ହେଉଛି। କୌଣସି ଜିଲ୍ଲାରୁ ବଡ଼ ଧରଣର ବର୍ଷା ଜନିତ କ୍ଷୟକ୍ଷତିର ସୂଚନା ମିଳିନି ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତ ୨୪ ଘଣ୍ଟାରେ ସୋମପୁରରେ ସର୍ବାଧିକ ୧୩୫ ଓ କେନ୍ଦ୍ରାପଡ଼ାରେ ୧୩୩ ମିମି ବର୍ଷା ହୋଇଛି। ଯାଜପୁରରେ ୬୦ମିମି, ଢେଙ୍କାନାଳରେ ୫୦.୪, ବଲାଙ୍ଗୀରରେ ୪୩, ବାରିପଦାରେ ୪୨.୪ ଓ ଖୋର୍ଦ୍ଧାରେ ୫୮ ମିମି ବର୍ଷା ରେକର୍ଡ ହୋଇଛି।



Source link

Leave A Reply

Your email address will not be published.