Voice of Eastern India

ଘର ଏରୁଣ୍ଡିବନ୍ଧରେ ବସିବାକୁ କାହିଁକି ମନା କରନ୍ତି ଅଭିଭାବକ? ଜାଣନ୍ତୁ ଏହାର କାରଣ ଓ ପୌରଣିକ ମାନ୍ୟତା


ଭାରତୀୟ ସଂସ୍କୃତିରେ ଘରର ମୁଖ୍ୟ ଦ୍ୱାରକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଏରୁଣ୍ଡିବନ୍ଧ ଏହି ଦ୍ୱାରର ଏକ ମୁଖ୍ୟ ଅଂଶ। ଆପଣ ବି ଦେଖିଥିବେ ଲୋକେ ସକାଳେ ଉଠିବା ପରେ ପ୍ରଥମେ ଦ୍ୱାର ଓଳାଇବା ସହ ଏରୁଣ୍ଡି ବନ୍ଧରେ ଶୁଭ ଚିହ୍ନ ଅଙ୍କନ କରନ୍ତି। ଏହା ପଛର ମାନ୍ୟତା ହେଉଛି ଏରୁଣ୍ଡିବନ୍ଧ ବସିବା ଅଥବା ଗୋଡ଼ ରଖିବାର ସ୍ଥାନ ନୁହେଁ, ବରଂ ସମ୍ମାନଯୋଗ୍ୟ ସ୍ଥାନ। ତେବେ ଆସନ୍ତୁ ଜାଣିବା ଘରର ବଡ଼ ଓ ବୟଷ୍କ ଏରୁଣ୍ଡି ବନ୍ଧରେ ବସିବାକୁ ମନା କରନ୍ତି କାହିଁକି?

କାହିଁକି ମନା କରନ୍ତି ବସିବାକୁ?

ଲୋକମାନ୍ୟତା ଅନୁସାରେ ଘରର ମୁଖ୍ୟଦ୍ୱାରରେ ମାତା ଲକ୍ଷ୍ମୀ ଓ ଗଣେଶ ବାସ କରନ୍ତି, ଯାହାକୁ ଘରର ଉନ୍ନତି ସହ ଯୋଡି ଦେଖାଯାଏ। କୁହାଯାଏ ଏରୁଣ୍ଡି ବନ୍ଧରେ ବସିଲେ ଲକ୍ଷ୍ମୀ ଓ ଗଣେଶଙ୍କ ଅପମାନ ମନେ କରାଯାଏ ଏବଂ ଘରକୁ ଦାରିଦ୍ର୍ୟତା ଆସେ। ଏହା ବି ମନେ କରାଯାଏ ଯେ ଏରୁଣ୍ଡିବନ୍ଧରେ ବସିଲେ ଘରକୁ ଦେବାଦେବୀଙ୍କ ଆଗମନ ଓ ପ୍ରସ୍ଥାନ ବାଧିତ ହୁଏ। ଏଣୁ ଘରର ସୌଭାଗ୍ୟ ହ୍ରାସ ହୁଏ। ଏଣୁ ଘରର ବୟୋଜ୍ୟେଷ୍ଠମାନେ ଏହାକୁ ଅଶୁଭ ମନେ କରନ୍ତି ଓ ଏରୁଣ୍ଡିବନ୍ଧରେ ବସିବାକୁ ମନା କରନ୍ତି।

ପୌରାଣିକ କଥା

ଏହାକୁ ନେଇ ଏକ ପୌରାଣିକ କଥା ମଧ୍ୟ ରହିଛି। ତାହା ହେଉଛି ଭଗବାନ ବିଷ୍ଣୁ ନରସିଂହ ଅବତାରରେ ଅସୁର ରାଜା ହିରଣ୍ୟକଶ୍ୟପର ବଧ ଘରର ଏରୁଣ୍ଡିବନ୍ଧ ଉପରେ କରିଥିଲେ। ହିରଣ୍ୟକଶ୍ୟପକୁ ବରଦାନ ଥିଲା ଯେ ସେ ନା ଘର ଭିତରେ ମରିବ ନା ଘର ବାହାରେ। ଏଣୁ ସାୟଂକାଳରେ ଭଗବାନ ନରସିଂହ ତାକୁ ଘରର ଏରୁଣ୍ଡି ବନ୍ଧ ଉପରେ ନିଜ ଜଂଘରେ ରଖି ନଖରେ ବଧ କରିଥିଲେ। ଏଣୁ ଏରୁଣ୍ଡିବନ୍ଧକୁ ବଦ୍ଧ ସ୍ଥଳ ମନେକରାଗଲା ଓ ଏହାକୁ ଲୋକେ ଅଶୁଭ ମନେ କରିବାକୁ ଲାଗିଲେ। ଏହି କାରଣରୁ ସନାତନ ଧର୍ମରେ ଘର ଏରୁଣ୍ଡି ବନ୍ଧରେ ବସିବା, ସେଠାରେ ଗୋଡ଼ ରଖିବାକୁ ମନା କରାଯାଏ।

କଣ କହେ ବାସ୍ତୁ?

ବାସ୍ତୁ ଶାସ୍ତ୍ର ଅନୁସାରେ ଏରୁଣ୍ଡିବନ୍ଧ ଘର ଭିତରର ସକରାତ୍ମକ ଉର୍ଜା ଓ ଘରର ବାହାରର ନକରାତ୍ମକ ଉର୍ଜା ମଧ୍ୟରେ ଏକ ସୀମା। ବାସ୍ତୁରେ ଏରୁଣ୍ଡିବନ୍ଧକୁ ଘରର ମୁଖ ମନେ କରାଯାଏ। ଏଣୁ ଏହାର ସମ୍ମାନ କରିବା ଅତ୍ୟନ୍ତ ଜରୁରି। ବାସ୍ତୁ ମାନ୍ୟତା ହେଉଛି ଏଠାରେ ବସିଲେ ସକରାତ୍ମକ ଉର୍ଜା ପ୍ରବାହ ଅଟକି ଯାଏ। ଏଣୁ ଧନ,ସମ୍ପତ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଉଲ୍ଲେଖଯୋଗ୍ୟ ଯେ ଏରୁଣ୍ଡିବନ୍ଧରେ ଗୋଡ଼ ରଖି ଘରକୁ ପ୍ରବେଶ ମଧ୍ୟ ଅଶୁଭ ମନେ କରାଯାଏ।

ଶହଶହ ବର୍ଷର ଚଳଣି

ଏଣୁ ଘରର ଏରୁଣ୍ଡିବନ୍ଧକୁ ସର୍ବଦା ସମ୍ମାନ ଦିଅନ୍ତୁ। ପ୍ରତିଦିନ ସକାଳୁ ଉଠି ଏଥିରେ ଶୁଭ ଚିହ୍ନ ଯେପରିକି ସ୍ୱସ୍ତିକ ଆଦି ଆଙ୍କନ୍ତୁ। ଏରୁଣ୍ଡିବନ୍ଧରେ କେବେବି ବସନ୍ତୁ ନାହିଁ କି ତା ଉପରେ ଗୋଡ଼ ରଖନ୍ତୁ ନାହିଁ କି ତା ଉପରେ କୌଣସି ସାମାନ ରଖନ୍ତୁନି। ଏହାକୁ ସର୍ବଦା ସ୍ୱଚ୍ଛ ଓ ଖୋଲା ରଖନ୍ତୁ, ଯାହାଦ୍ୱାରା ଘରକୁ ସକରାତ୍ମକ ଉର୍ଜା ପ୍ରବାହ ଜାରି ରହେ। ମନେ ରଖନ୍ତୁ ଆମର ପୂର୍ବଜମାନେ ଶହଶହ ବର୍ଷରୁ ଏହି ପ୍ରଥା ପାଳନ କରି ଆସୁଛନ୍ତି। ଏହା ପଛରେ କିଛି ନା କିଛି ଗଭୀର ବୋଧ ନିଶ୍ଚିତ ଥାଇପାରେ। ଏରୁଣ୍ଡି ବନ୍ଧକୁ ସମ୍ମାନ କରିବା ଏହି ବୋଧର ଏକ ଅଂଶ ବିଶେଷ।



Source link

Leave A Reply

Your email address will not be published.