Voice of Eastern India

ଖାକିରେ ଗଞ୍ଜେଇ ଦାଗ: ମାଫିଆଙ୍କୁ ସହଯୋଗ କରୁଥିଲେ ମ୍ୟାଡାମ ଆଇଆଇସି! ହ୍ୱାଟ୍ସଆପ୍ ଚାଟ୍ ଖୋଲିଲା ଗୁମର


ବୌଦ୍ଧ: ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ପୋଲିସ। ଆଇନ ରକ୍ଷକ ସାଜିଛନ୍ତି ଭକ୍ଷକ। ଗଞ୍ଜେଇ ବେପାରୀ ଓ ନିଶା ମାଫିଆଙ୍କୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ସିଧାସଳଖ ସହଯୋଗ କରୁଥିବା ଅଭିଯୋଗରେ ମନମୁଣ୍ଡା ଥାନାର ପୂର୍ବତନ ଥାନା ଅଧିକାରୀ (IIC) ସୁସ୍ମିତା ମଗରଙ୍କୁ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ (SP) କାରଣ ଦର୍ଶାଅ ଜ୍ ନୋଟିସ୍ ଜାରି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ବିଭାଗରେ ପ୍ରବଳ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ହ୍ୱାଟ୍ସଆପ୍ ଚାଟ୍‌ରୁ ପଦାରେ ପଡ଼ିଲା ଗୁମର

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଏସପିଙ୍କ ଠାରୁ ମିଳିଥିବା କିଛି ଗୁପ୍ତ ହ୍ୱାଟ୍ସଆପ୍ ଚାଟ୍ର ପ୍ରମାଣ ଆଧାରରେ ବୌଦ୍ଧ ଏସପି ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହସ୍ତଗତ ହୋଇଥିବା ଚାଟ୍ ଏବଂ ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କିଭଳି ଜଣେ ଗଞ୍ଜେଇ ମାଫିଆକୁ ପୋଲିସ ଚଢ଼ଉରୁ ଖସାଇ ଦେବା ପାଇଁ ଜଣେ ଦାୟିତ୍ୱବାନ ପୋଲିସ ଅଧିକାରୀ ସୁରକ୍ଷା ଜାଲ ପ୍ରସ୍ତୁତ କରୁଥିଲେ।

ମାଫିଆଙ୍କୁ ଆଇଆଇସି ମ୍ୟାଡାମଙ୍କ ମେସେଜ୍- “ତୁରନ୍ତ ପଳାଅ…”

ଘଟଣାର ପୃଷ୍ଠଭୂମିକୁ ଦେଖିଲେ, ଗତ ଜାନୁଆରୀ ୧୮, ୨୦୨୬ ରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ମାମଲା ରୁଜୁ ହୋଇଥିଲା। ସେହି ସମୟରେ ଏକ କଣ୍ଟେନର ଗାଡ଼ିରୁ ପ୍ରାୟ ୫.୯୩ କ୍ୱିଣ୍ଟାଲ ବେଆଇନ ଗଞ୍ଜେଇ ଜବତ କରାଯିବା ସହ ଦୁଇଜଣ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଏହି ଗଞ୍ଜେଇର ମୁଖ୍ୟ ସପ୍ଲାୟର ଥିଲେ ମନମୁଣ୍ଡା ଅଞ୍ଚଳର ପରେଶ ସାହୁ ଓ ସତ୍ୟ ସାହୁ।

ଗିରଫ ହୋଇଥିବା ଜଣେ ଅଭିଯୁକ୍ତର ମୋବାଇଲ ଯାଞ୍ଚ ସମୟରେ ମନମୁଣ୍ଡା ଆଇଆଇସି ସୁସ୍ମିତା ମଗରଙ୍କ ମୋବାଇଲ୍ ନମ୍ବର ସହ ନିୟମିତ ଚାଟ୍ ମିଳିଥିଲା। ସେହି ଚାଞ୍ଚଲ୍ୟକର ଚାଟରେ ଆଇଆଇସି ନିଜେ ଲେଖିଥିଲେ ରେଶକୁ କୁହ ଅଞ୍ଚଳ ଛାଡି ତୁରନ୍ତ ପଳାଉ। ସୋନପୁର ପୋଲିସ ଟିମ୍ ଚଢ଼ଉ ପାଇଁ ଆସିଛନ୍ତି। ଜଣେ ଥାନା ଅଧିକାରୀଙ୍କ ଏଭଳି ଆଗୁଆ ସୂଚନା ଯୋଗୁଁ ହିଁ ସୁବର୍ଣ୍ଣପୁର ପୋଲିସର ଚଢ଼ଉ ବାରମ୍ବାର ବିଫଳ ହେଉଥିଲା ଏବଂ ମୁଖ୍ୟ ଅଭିଯୁକ୍ତମାନେ ଖସି ଯିବାରେ ସଫଳ ହେଉଥିଲେ।

କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ

ଏଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ବୌଦ୍ଧ ଏସପି କୂଳଦୀପ ମିନା ଆଇଆଇସି ସୁସ୍ମିତା ମଗରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଯଦି ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ସନ୍ତୋଷଜନକ ଉତ୍ତର ନ ମିଳେ, ତେବେ ତାଙ୍କ ବିରୋଧରେ କଠୋର ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ଏହି ଅଭିଯୋଗ ସମ୍ପର୍କରେ ପୋଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ଏବଂ ସେଠାରୁ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି।



Source link

Leave A Reply

Your email address will not be published.