ଭୁବନେଶ୍ବର ୨୦।୬: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ବର୍ବରୋଚିତ ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାକୁ ଅତ୍ୟନ୍ତ ଉଦବେଗଜନକ ବୋଲି କହିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ନବୀନ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ଲେଖିଛନ୍ତି, ରାୟଗଡ଼, କଲ୍ୟାଣସିଂହପୁରରେ ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି । ଏପରି ଦୁଃସ୍ଥିତିର ସାମ୍ନା କରିଥିବା ଛାତ୍ରୀଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।
ସର୍ବସମ୍ମୁଖରେ ଛାତ୍ରୀଙ୍କ ସହ ସଂଘବଦ୍ଧ ଭାବେ ଘଟିଥିବା ବୀଭତ୍ସ, ନାରକୀୟ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସରକାର ତୁରନ୍ତ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର । କାହିଁକି ଓଡ଼ିଶାର ଛବି କଳୁଷିତ ହେବାକୁ ଛାଡ଼ି ଦିଆଯାଇଛି ?
Also Read:- ବ୍ଲକ୍ ପ୍ରଶାସନ-ସରପଞ୍ଚ ଚାମେଲି ଓଝା ବିବାଦ : ଆଉ ଜଣେ ଗିରଫ, ୩ରେ ପହଞ୍ଚିଲା ସଂଖ୍ୟା
ଏ ସରକାର, ଏ ପୋଲିସ ପ୍ରଶାସନ ଏତେ ଅସହାୟ କ’ଣ ପାଇଁ ? ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା କ’ଣ ଏ ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି ? ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନୀରବତା ଏପରି ବୀଭତ୍ସ କାଣ୍ଡ ଘଟିବାକୁ ପ୍ରଶ୍ରୟ ଦେଉନାହିଁ କି ?
ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ ‘ବିକାଶର ଧାରା ଓଡ଼ିଶା ସାରା’ କହି ଉତ୍ସବରେ ମାତିଛନ୍ତି ? ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା’ ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ।
