Voice of Eastern India

ଆନ୍ଧ୍ରପ୍ରଦେଶରେ ବାତ୍ୟା ‘ମୁରାସୁ’ର ତାଣ୍ଡବ, ବିଭିନ୍ନ ସ୍ଥାନରେ ୮ ମୃତ, କୋଟି କୋଟି ଟଙ୍କାର ସମ୍ପତ୍ତି ଛାରଖାର


ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାୟଡୁ ଶୁକ୍ରବାର କହିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ମୁରାସୁ’ ଯୋଗୁ ୧,୯୧୯ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହା କେବଳ ଏକ ପ୍ରାରମ୍ଭିକ ଆକଳନ, ତେବେ ଏହି ପରିମାଣ ବଢିପାରେ ବୋଲି ସେ ଆଶଙ୍କା କରିଛନ୍ତି। ନାୟଡୁ ଗୁରୁବାର ବିଳମ୍ବିତ ରାତ୍ରିରେ ଅଧିକାରୀଙ୍କ ସହ ବାତ୍ୟା ସମୀକ୍ଷା କରିଥିଲେ। ଏଥିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକ୍ରମକୁ ଦ୍ରୁତ କରିବାକୁ ପରାମର୍ଶ ଦେଇଥିଲେ।

ସେ କହିଛନ୍ତି ଯେ ଲଗାତାର ଆସିଥିବା ଦୁଇଟି ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ ଯୋଗୁ ଲୋକେ ଯେପରି ସମସ୍ୟାରେ ନ ପଡନ୍ତି ତାହା ଅଧିକାରୀ ସୁନିଶ୍ଚିତ କରନ୍ତୁ । ନାଇଡୁ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଉପକୂଳରେ ଡଙ୍ଗା ବୁଡିଯିବା ଯୋଗୁ ନିଖୋଜ ଥିବା ତାମିଲନାଡୁର ୯ ମତ୍ସ୍ୟଜୀବିଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ନିଖୋଜ ମତ୍ସ୍ୟଜୀବିଙ୍କ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ସନ୍ଧାନ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମତ୍ସ୍ୟଜୀବୀମାନେ କର୍ତ୍ତୃପକ୍ଷଙ୍କୁ ସୂଚନା ନ ଦେଇ ନିଜାମପଟନମ ବନ୍ଦରରୁ ରାମାୟପଟନମ ଅଭିମୁଖେ ଯାଉଥିବା ବେଳେ ପ୍ରବଳ ପବନ ଓ ଘୂର୍ଣ୍ଣିଝଡ଼ ଯୋଗୁ ସେମାନଙ୍କ ନୌକା ବୁଡି ଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ବାତ୍ୟାସମ୍ପର୍କିତ ଘଟଣାରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧.୪ଲକ୍ଷ ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଛି। ଫଳରେ ରାଜ୍ୟର ୧.୮ ଲକ୍ଷ ଚାଷୀ ପ୍ରଭାବିତ ହୋଇଛନ୍ତି। ସାମୁଦ୍ରିକ ବାତ୍ୟାରେ ୯୮୩ ଘର ଓ ୩୪୬ଟି ମାଛଧରା ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି।



Source link

Leave A Reply

Your email address will not be published.