Voice of Eastern India

ଆଜି ଶ୍ରାବଣ ଶେଷ ସୋମବାର : ଭୋରରୁ ଶୈବପୀଠରେ ଭକ୍ତ ଓ କାଉଡିଆଙ୍କ ପ୍ରବଳ ଭିଡ଼


ଭୁବନେଶ୍ୱର : ଆଜି ଶ୍ରାବଣ ମାସର ଶେଷ ସୋମବାର। ଏହି ପବିତ୍ର ଦିନରେ ମହାଦେବଙ୍କ ଦର୍ଶନ ଓ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ଭୋରୁ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ଦୂରଦୂରାନ୍ତରୁ ଭକ୍ତ ଓ କାଉଡ଼ିଆମାନେ ଆସି ଶୈବପୀଠରେ ଶିବଙ୍କ ମୁଣ୍ଡରେ ଜଳ ଅର୍ପଣ କରିଛନ୍ତି । ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ମନ୍ଦିର ପରିସର।

ଶ୍ରାବଣ ସୋମବାରରେ ଭଗବାନ ଶିବଙ୍କ ଉପାସନାର ବିଶେଷ ମହତ୍ତ୍ୱ ରହିଥିବାରୁ ଶେଷ ସୋମବାରକୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ। କାଉଡ଼ିଆମାନେ ଶିବଙ୍କ ନାମ ଜପ କରି ଦୀର୍ଘ ପଥ ଅତିକ୍ରମ କରି ଶୈବପୀଠରେ ପହଞ୍ଚୁଛନ୍ତି। ମନ୍ଦିର ବାହାରେ ମଧ୍ୟ ଦେଖିବାକୁ ମିଳିଛି ଲୋକଙ୍କ ଲମ୍ବା ଧାଡ଼ି। ମନ୍ଦିର ପରିସରରେ ‘ହର ହର ମହାଦେବ’ ଧ୍ୱନି ସହ ଭଜନ, କୀର୍ତ୍ତନ ଓ ଶିବ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନେ ବେଲପତ୍ର, ଫୁଲ, କ୍ଷୀର, ଦହି, ମହୁ ଓ ଜଳ ଅର୍ପଣ କରି ଭୋଳାନାଥଙ୍କୁ ପୂଜା କରୁଛନ୍ତି ।

ଭିଡ଼କୁ ଦୃଷ୍ଟିରେ ରଖି ଶୈବପୀଠରେ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍, ଧାଡ଼ି ବ୍ୟବସ୍ଥା, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କ ଦର୍ଶନ ଯେପରି ଶୃଙ୍ଖଳିତ ଭାବେ ହୋଇପାରିବ, ସେଥିପାଇଁ ପୋଲିସ ଓ ସ୍ୱେଚ୍ଛାସେବୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ଶ୍ରାବଣର ଶେଷ ସୋମବାରରେ ଭକ୍ତିମୟ ହୋଇଉଠିଛି ସାରା ପରିବେଶ। ମହାଦେବଙ୍କ ଦର୍ଶନ ଓ ଜଳାଭିଷେକ କରି ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରୁଛନ୍ତି ପ୍ରାର୍ଥନା। ଚାରିଆଡ଼େ ଶୁଭୁଛି ଗୋଟିଏ ଧ୍ୱନି “ହର ହର ମହାଦେବ ” ।



Source link

Leave A Reply

Your email address will not be published.