Voice of Eastern India

୬୦ ବର୍ଷ ଧରି କିଣି ଚାଲିଛନ୍ତି ଲଟେରୀ ଟିକେଟ୍, ଥରଟିଏ ବି ସାହା ହୋଇ ନାହାନ୍ତି ଭାଗ୍ୟ ଦେବୀ, ଜାଣନ୍ତୁ ଏବେ ଲୋକେ କହୁଛନ୍ତି କ’ଣ?


କରିଭେଲୁର: ପଲକୁନ୍ନୁ ବାସିନ୍ଦା ପି.ପି. ରାଘବନ ତାଙ୍କ ଘରେ ୫ଟି ବସ୍ତାରେ ସାଇତିଛନ୍ତି ସ୍ୱପ୍ନ। ଏଥିରେ ପୁରସ୍କାର ଜିତିବାର ଟିକେଟ ନାହିଁ ସତ, ହେଲେ ରହିଛି ଦୀର୍ଘ ୬ ଦଶନ୍ଧୀର ଆଶା ଓ ସେହି ସମ୍ପତ୍ତିର ହିସାବକିତାବ ଯାହା କେବେବି ତାଙ୍କ ହାତକୁ ଆସିନି। ୨ କୋଟି ଟଙ୍କା ଜ୍ୟାକପଟ୍ ସନ୍ଧାନରେ ବିପୁଳ ବ୍ୟୟ କରିବା ପରେ ରାଘବନ ଏକ ଅନନ୍ୟ ଉପାଧି ହାସଲ କରିଛନ୍ତି, ତାହା ହେଉଛି ‘କୋଟି କୋଟି ଟଙ୍କା ହରାଇଥିବା ହାତଭାଗ୍ୟ ମଣିଷ’।

କେରଳ ଲଟେରୀର ଶୁଭାରମ୍ଭ ୧ ନଭେମ୍ବର ୧୯୬୭ରେ ହୋଇଥିଲା। ରାଜ୍ୟର ବେକାରୀ ଦୂର କରିବା ଓ ଜନତାଙ୍କଉପରେ କର ବୋଝ ନ ଲଦି ରାଜସ୍ୱ ଆୟର ଦୋହରା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ରାଜ୍ୟ ଲଟେରୀର ପ୍ରଥମ ପୁରସ୍କାର ଥିଲା ୫୦,୦୦୦ ଟଙ୍କା। ଏହାର ପ୍ରଥମ ଡ୍ର ୨୬ ଜାନୂୟାରୀ ୧୯୬୮ରେ ହୋଇଥିଲା। ହେଲେ ରାଘବନଙ୍କ ଲଟେରୀ ଟିକେଟ କିଣା ଅଭ୍ୟାସ ରାଜ୍ୟ ଲଟେରୀ ଆରମ୍ଭର ଅନେକ ପୂର୍ବରୁ ହୋଇ ସାରିଥିଲା।

ସେ ୧୯୬୭ ମସିହାରେ ତାଙ୍କ ଜୀବନର ପ୍ରଥମ ଲଟେରୀ ଟିକେଟ୍ କିଣିଥିଲେ, ତାହା ଭୁଟ୍ଟାନ ଲଟେରୀର ଥିଲା। ଏହା ପରେ ସେ ୧ ଟଙ୍କା ଦେଇ କେରଳ ଲଟେରୀ ଟିକେଟଟିଏ କିଣିଥିଲେ। ତାଙ୍କ ଭାଗ୍ୟ ପରୀକ୍ଷାର ଏହି ପଦକ୍ଷେପ ପରେ ସାରା ଜୀବନର ଝୁଙ୍କରେ ପରିଣତ ହୋଇଥିଲା। କାରଣ ରାଘବନ ଭାଗ୍ୟ ଦେବୀଙ୍କ କୃପା ଆଶାରେ ଲଗାତାର ଲଟେରୀ ଟିକେଟ୍ କିଣି ଚାଲିଥିଲେ। ତାଙ୍କ ଶେଷ ଲଟେରୀ ଟିକେଟ କିଣା ନିକଟରେ ଜାରି ହୋଇଥିବା ଭିସୁ ବମ୍ପର ଲଟେରୀର ଥିଲା। ଲୋକେ ଲଟେରୀ ଡ୍ର ପରେ ସାଧାରଣତଃ ଟିକେଟ୍ ଫିଙ୍ଗି ଦେଇଥାନ୍ତି। ହେଲେ ଏ କ୍ଷେତ୍ରରେ ରାଘବନ ଜଣେ ବିପରୀତ ବ୍ୟକ୍ତିତ୍ୱ। ସେ ପ୍ରତ୍ୟେକ ଟିକେଟ୍ ସାଇତି ରଖୁଥିଲା। ଏହିପରି ଟିକେଟ୍ କୁ ସେ ଏବେ ୫ଟି ବସ୍ତାରେ ସାଇତି ରଖିଛନ୍ତି।

ଏହି ଲଟେରୀ ଟିକେଟ୍ ଗୁଡିକ ଏବେ ସଂଗ୍ରହରେ ପରିଣତ ହୋଇଥିବା ବେଳେ ତାଙ୍କ ଭାଗ୍ୟ ଯାତ୍ରାକୁ ରେଖାଙ୍କିତ କରୁଛି। ସେ ଯେତେବେଳେ ଲଟେରୀ ଟିକେଟ୍ ଉପରେ କରିଥିବା ଖର୍ଚ୍ଚର ହିସାବ କରି ବସିଲେ ତାହା ୨ କୋଟି ଟଙ୍କାକୁ ପହଞ୍ଚିଛି। ତାଙ୍କ ନିଜ ଭାଷାରେ କୋଟି କୋଟି ଟଙ୍କା ହରାଇଥିବା ରାଘବନ ଜଣେ ‘ହତଭାଗ୍ୟ’ ମଣିଷ। ତେବେ ଲଟେରୀ ଟିକେଟ୍ କିଣାରେ ଭାଗ୍ୟ ତାଙ୍କୁ କେବେ କେବେ ସାଥ ମଧ୍ୟ ଦେଇଛି। ହେଲେ ସେ ଯେଉଁ ରାଶି ଜିତିଛନ୍ତି ତାଙ୍କ ମୋଟ ଖର୍ଚ୍ଚର ଅତ୍ୟନ୍ତ ନଗଣ୍ୟ ରାଶି। ସେ ଜୀବନରେ ଅନେକ ଥର ଛୋଟମୋଟ ରାଶି ଜିତିଛନ୍ତି। ଏଥିରେ ଭୁଟାନ ଲଟେରୀର ୪ ହଜାର ଟଙ୍କାର ପୁରସ୍କାର ମଧ୍ୟ ଥିଲା। ତେବେ ତାଙ୍କ ଜୀବନକୁ ବଦଳାଇବା ଭଳି ବଡ଼ ପୁରସ୍କାର କେବେ ତାଙ୍କଭାଗ୍ୟରେ ଜୁଟି ନାହିଁ।

ପେଷାରେ ଜଣେ ଚାଷୀ ରାଘବନ ତାଙ୍କ କୃଷିଜାତ ଆୟରୁ ଯାହା ପାଉଥିଲେ ସେଥିରୁ କିୟଦାଂଶ ଲଟେରୀ ଟିକେଟ୍ କିଣାରେ ବ୍ୟୟ କରୁଥିଲେ। ରାଘବନ ତାଙ୍କ ଅଢେଇ ଏକର ଜମିରେ ଧାନ, ନଡିଆ ଓ କଦଳି ଚାଷ କରୁଥିଲେ। ଏହା ସହିତ ସେ ପଶୁପାଳନରେ ମଧ୍ୟ ସକ୍ରିୟ ଥିଲେ। ହେଲେ ଲଟେରୀ ଟିକେଟ୍ କିଣିବା ନିଶା ଯୋଗୁ ସେ ଅନେକବାର ତାଙ୍କ ଗାଁ ଠୁ ଦୂର ପୟାନୁର ଓ କନହଂଗଡ ଯାତ୍ରା ମଧ୍ୟ କରୁଥିଲେ। ଏଥି ପାଇଁ କିଛି ଦିନ ଭିତରେ ସେ ହାଜାରେରୁ ୩ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ତାଙ୍କ କ୍ଷେତ୍ରରେ ଯେତେ ଲଟେରୀ ଏଜେଣ୍ଟ ଥିଲେ ସେମାନଙ୍କ ଲାଗି ରାଘବନ ଜଣେ ବିଶ୍ୱସ୍ଥ ଗ୍ରାହ ଥିଲେ। ହେଲେ ଭାଗ୍ୟ ପରୀକ୍ଷା ପାଇଁ ତାଙ୍କର ଏହି ଛୋଟ ଉଦ୍ୟମ ଲାଗି ତାଙ୍କୁ ଶେଷରେ ବହୁ ମୂଲ୍ୟ ଦେବାକୁ ପଡିଛି। ଏଥି ପାଇଁ ସେ ଋଣ ଉଧାର ମଧ୍ୟ କରି ପକାଉଥିଲେ। ଯେତେବେଳେ କରଜ ବଢି ଯାଏ ସୁଝିବା ପାଇଁ ତାଙ୍କ ଜମି ଓ ପତ୍ନୀଙ୍କ ସୁନା ଗହଣା ମଧ୍ୟ ବିକିଛନ୍ତି।

ଆଜି ରାଘବନ ଓ ତାଙ୍କ ପତ୍ନୀ କେ. ଶାନ୍ତା ୨୫ ସେଣ୍ଟ ଜମି ଉପରେ ନିର୍ମିତ ଏକ ଛୋଟ ଘରେ ରହୁଛନ୍ତି। ବୟସ ବଢିବା ସହ ତାଙ୍କ ଶାରୀରିକ କ୍ଷମତା ସୀମିତ ହୋଇଗଲାଣି ଓ ସେ ଆଜିକାଲି ଘରୁ କ୍ୱଚିତ ବାହାରକୁ ବାହାରୁଛନ୍ତି। ଲଟେରୀ ଟିକେଟ୍ ନିଶା ବି ତାଙ୍କର ଛାଡିଗଲାଣି। ହେଲେ ଏବେ କେବଳ ସେ ବମ୍ପର ଲଟେରୀ ଟିକେଟ୍ କିଣୁଛନ୍ତି। ଏବେବି ତାଙ୍କର ଆଶା ଦିନେ ନା ଦିନେ ତାଙ୍କ ଭାଗ୍ୟ ଖୋଲିବ ଓ ବମ୍ପର ଲଚେରୀ ତାଙ୍କ ଜୀବନ ବଦଳେଇଦେବ।



Source link

Leave A Reply

Your email address will not be published.