ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ। ଶଙ୍ଖ ଭବନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଯୋଗ ଦେବା ଅବସରରେ ସୁଜାତା କହିଛନ୍ତି- ନବୀନ ପଟ୍ଟନାୟକଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ମିଳିଥିଲା। ଆଜି ବିଜୁ ଜନତା ଦଳରେ ସାମିଲ ହୋଇ ନବୀନ ନେତୃତ୍ୱରେ ଓଡ଼ିଶା ମାଟିର ସେବା କରିବା ପାଇଁ ପୁଣି ଥରେ ସୁଯୋଗ ମିଳିଛି। ମହାପ୍ରଭୁ ଜଗନ୍ନାଥଙ୍କ କୃପା ଓ ନେତୃବୃନ୍ଦ ଓ ଲକ୍ଷ ଲକ୍ଷ କର୍ମୀଙ୍କ ଆଶୀର୍ବାଦରେ ନିଶ୍ଚୟ ସମର୍ପଣ ସହିତ କାମ କରିବି।
ପ୍ରଶାସକ ଭାବେ ସଫଳ ଛାପ ଛାଡ଼ିଛନ୍ତି ସୁଜାତା । ୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା ରାଉତ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନେଇଥିଲେ । ଫୁଟବଲ୍ ଏବଂ ହକିକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଇଥିଲେ। କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ସୁଜାତା ।
ସେହିପରି ମିଶନ ଶକ୍ତି ବିଭାଗର ସଚିବ ଭାବେ ମହିଳା ସଶକ୍ତି କରଣ ଦିଗରେ ଅନେକ କାମ କରିଛନ୍ତି । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ SHG ମାଧ୍ୟମରେ ସ୍ବାବଲମ୍ବୀ କରିବା ସୁଜାତାଙ୍କ ବଡ ପଦକ୍ଷେପ । ସୁଜାତାଙ୍କ ସମୟରେ SHG ଗ୍ରୁପ ଋଣ ସଂଯୋଗ ୫୦୦ କୋଟିରୁ ୧୫ ହଜାର କୋଟିକୁ ବୃଦ୍ଧି ପାଇଥିଲା ।
