Voice of Eastern India

ୟୁକ୍ରେନରେ ପଶିବେ ଆଉ ୫ ଲକ୍ଷ ସୈନିକ…ପୁଟିନଙ୍କ ‘ଶେଷ ଅସ୍ତ୍ର’କୁ ନେଇ ଜେଲେନସ୍କିଙ୍କ ବଡ଼ ଦାବି


ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧକୁ ଆହୁରି ତୀବ୍ର କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଗାମୀ କିଛି ସପ୍ତାହ ମଧ୍ୟରେ ୫ ଲକ୍ଷ  ନୂଆ ସୈନ୍ୟଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୂଚନା ଦେଇଛନ୍ତି। ୟୁକ୍ରେନ ଗୁପ୍ତଚର ସଂସ୍ଥାର ରିପୋର୍ଟକୁ ଆଧାର କରି ଜେଲେନସ୍କି ସୋସିଆଲ ମିଡିଆ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସେପ୍ଟେମ୍ବର ୨୧ରେ ହେବାକୁ ଥିବା ରୁଷର ଡୁମା (ସଂସଦ) ନିର୍ବାଚନ ପରେ ପୁଟିନ୍ ଏହି ନୂତନ ସୈନ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ।

ଜେଲେନସ୍କିଙ୍କ ଅନୁଯାୟୀ, ରୁଷର ଜନସାଧାରଣଙ୍କ ଆକ୍ରୋଶକୁ ଭୟ କରି ପୁଟିନ୍ ଏହି ପ୍ରକ୍ରିୟାକୁ ଖୋଲାଖୋଲି ନକରି ଗୋପନରେ କରିବେ। ରୁଷ ଏତେ ବଡ଼ ସଂଖ୍ୟକ ନୂଆ ସୈନ୍ୟଙ୍କୁ ଶୀଘ୍ର ଏବଂ ସଠିକ୍ ଭାବରେ ତାଲିମ ଦେଇପାରିବ ନାହିଁ, ଫଳରେ ଯୁଦ୍ଧକ୍ଷେତ୍ରରେ କମ୍ ତାଲିମପ୍ରାପ୍ତ ସୈନ୍ୟ ମୁତୟନ ହେବେ।

ଅନ୍ୟପଟେ, ୟୁକ୍ରେନ ସୀମା ଭିତରକୁ ପଶି ରୁଷର ଭୂଖଣ୍ଡ ଉପରେ କ୍ରମାଗତ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହାକୁ ନେଇ ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ୍ ସତର୍କ କରାଇଛନ୍ତି ଯେ, ଯୁଦ୍ଧର ସ୍ଥିତି ପୁଟିନଙ୍କୁ ତାଙ୍କର “ଶେଷ ବିକଳ୍ପ” ଅର୍ଥାତ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ବାଧ୍ୟ କରିପାରେ।

ହାକାନ ଫିଦାନ୍ କହିଛନ୍ତି, ‘ଯେତେବେଳେ ସୀମାନ୍ତ ଯୁଦ୍ଧ ଦେଶର ଅଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସାଜେ, ସେତେବେଳେ କେବଳ ଯୁଦ୍ଧ ଜିତିବା ନୁହେଁ, ବରଂ ନିଜ ଦେଶର ଅସ୍ତିତ୍ୱ ବଞ୍ଚାଇବାକୁ ନେଇ ପ୍ରଶ୍ନ ଉଠେ। ଏଭଳି ସ୍ଥିତିରେ ଦେଶ ନିଜର ସର୍ବଶେଷ ବିକଳ୍ପ ବ୍ୟବହାର କରିଥାଏ।’ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ସଂକଟଜନକ ପରିସ୍ଥିତି ଏବଂ ସେ ନିଜର ରୁଷ ଗସ୍ତ ସମୟରେ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ସହଯୋଗୀମାନଙ୍କ ସହ ଆଲୋଚନା କରି ଏହି ବିଷୟରେ ସତର୍କ କରାଇଛନ୍ତି।



Source link

Leave A Reply

Your email address will not be published.