Voice of Eastern India

ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ମିଳିମିଶି କାମ କରିବା: ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର: ସମ୍ବଲପୁର ସହରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତିର ଆଶଙ୍କା ଏବଂ କ୍ରମାଗତ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାୟୀ ନିରାକରଣ ପାଇଁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରବାସୀଙ୍କୁ ଏହି ବାରମ୍ବାର ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବା ଆମର ପ୍ରାଥମିକତା । ଏଥିପାଇଁ ସ୍ଥାନୀୟ ପ୍ରଶାସନ, ବିଶେଷଜ୍ଞ ଓ ସିଭିଲ ସୋସାଇଟି ଦ୍ୱାରା ଦିଆଯାଇଥିବା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଗ୍ରହଣ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ବଲପୁର ମ୍ୟୁନିସିପାଲ କମିଶନରଙ୍କ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ଓ ଜରୁରୀ ସୂଚନାକୁ ‘ପବ୍ଲିକ ଡୋମେନ୍‌’ ରେ ସାର୍ବଜନୀନ କରାଯାଉ, ଯାହାଦ୍ୱାରା ନାଗରିକମାନେ ସଚେତନ ରହିପାରିବେ ।

ସହରର ଡ୍ରେନେଜ, ସ୍ୱରେଜ, ପାନୀୟ ଜଳ ଓ ଆବର୍ଜନା ପରିଚାଳନା ଭଳି ଚାରୋଟି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଏକ ବିସ୍ତୃତ ଓ ରଣନୈତିକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉ । ଜଳବନ୍ଦୀ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜେସିବି, ବୁଲଡୋଜର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ନାଳ-ନର୍ଦ୍ଦମାରୁ ଅବରୋଧ ହଟାଯିବାର ବ୍ୟବସ୍ଥା କରାଯାଉ । ଏହି ସମୟରେ କୌଣସି ପରିବାର ଯେପରି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଉ । ଜଳବନ୍ଦୀ ନିରାକରଣ କେବଳ ସରକାରୀ ପ୍ରକଳ୍ପରେ ସୀମିତ ନରହି, ‘ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନ’ରେ ପରିଣତ ହେବା ଆବଶ୍ୟକ । ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକମାନେ ଆଗେଇ ଆସି ଡ୍ରେନଗୁଡ଼ିକୁ ସ୍ୱଚ୍ଛ ରଖିବା ସହ ଏଣେତେଣେ ଆବର୍ଜନା ନଫୋପାଡ଼ିବା ପାଇଁ ଶ୍ରୀ ପ୍ରଧାନ ପରମର୍ଶ ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ଷା ଜଳ ଶୀଘ୍ର ନିଷ୍କାସନ ପାଇଁ ତଳିଆ ଅଞ୍ଚଳରେ ଅସ୍ଥାୟୀ ହାଇ-ପାୱାର ପମ୍ପସେଟ୍‌ ସ୍ଥାପନ, ମୁଖ୍ୟ ଡ୍ରେନ୍‌ଗୁଡ଼ିକରୁ ପଙ୍କ ଉଦ୍ଧାର ଏବଂ ଜଳପ୍ରବାହରେ ବାଧା ସୃଷ୍ଟି କରୁଥିବା ଅବରୋଧଗୁଡ଼ିକୁ ତୁରନ୍ତ ହଟାଯାଉଛି । ବୈଠକରେ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ସିଭିଲ ସୋସାଇଟିର ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ ତଳିଆ ଅଞ୍ଚଳର ବାସ୍ତବ ସମସ୍ୟା, ନାଳ-ନର୍ଦ୍ଦମାର ସ୍ଥିତି ଏବଂ ନଗର ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରମୁଖ ସାମିଲ ହୋଇ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ ।



Source link

Leave A Reply

Your email address will not be published.