Voice of Eastern India

‘ସଞ୍ଜୟଙ୍କୁ ଖଳନାୟକ ଓ ରାଜୀବଙ୍କୁ ନାୟକ’, ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ନେଇ ନିଶିକାନ୍ତ ଦୁବେଙ୍କ ଟାର୍ଗେଟ୍


କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ମଙ୍ଗଳବାର ଉନ୍ମୋଚିତ ହୋଇଛି । ଏହି ପୁସ୍ତକକୁ ନେଇ ଏବେ ବିଜେପି ସାଂସଦଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି । ଝାଡ଼ଖଣ୍ଡର ଦେଓଘରଠାରେ ଗଣମାଧ୍ୟମ ସହ କଥା ହୋଇ ଦୁବେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ନିଜ ପୁସ୍ତକରେ ସଞ୍ଜୟ ଗାନ୍ଧୀଙ୍କୁ ଖଳନାୟକ ଏବଂ ରାଜୀବ ଗାନ୍ଧୀଙ୍କୁ ନାୟକ ଭାବେ ଉପସ୍ଥାପନ କରିଛନ୍ତି । ଯେତେବେଳେ କରସେବକଙ୍କ ଉପରେ ଗୁଳି ଚାଳନା ହୋଇଥିଲା, ସେତେବେଳେ ସୋନିଆ ଗାନ୍ଧୀଙ୍କ ଆଖିରେ ଲୁହ ଆସିନଥିଲା । କିନ୍ତୁ ବାବ୍ରି ମସଜିଦ ଭଙ୍ଗାଯିବା ସମୟରେ ତାଙ୍କ ଆଖିରେ ଲୁହ ଆସିଥିଲା ବୋଲି ସେ କହିଛନ୍ତି ।

ନିଶିକାନ୍ତ ଦୁବେ ପୁସ୍ତକକୁ ନେଇ ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରି କହିଛନ୍ତି, ଏହା କେଉଁ ପ୍ରକାରର ରି-ଲଞ୍ଚିଂ ? ସୋନିଆ ଗାନ୍ଧୀ ଗୋଟିଏ ବହି ଲେଖିଛନ୍ତି, ଯେଉଁଥିରେ ସଞ୍ଜୟ ଗାନ୍ଧୀଙ୍କୁ ଖଳନାୟକ ଏବଂ ରାଜୀବ ଗାନ୍ଧୀଙ୍କୁ ନାୟକ ଭାବେ ଦର୍ଶାଇଛନ୍ତି । କିନ୍ତୁ ତାଙ୍କର ଏହି ଦାବିର ଜବାବ ଦେବା ପାଇଁ ଏବେ ସଞ୍ଜୟ ଗାନ୍ଧୀ, ଇନ୍ଦିରା ଗାନ୍ଧୀ କିମ୍ବା ରାଜୀବ ଗାନ୍ଧୀ କେହି ଜୀବିତ ନାହାନ୍ତି । ତେଣୁ ସେ ଯାହା କହିଛନ୍ତି, ତାହା ଠିକ୍ କି ଭୁଲ୍ ବୋଲି କିଏ ସ୍ଥିର କରିବ ବୋଲି ଦୁବେ ପ୍ରଶ୍ନ କରିଛନ୍ତି ।

ନିଶିକାନ୍ତ ଦୁବେ ଆହୁରି କହିଛନ୍ତି, ଯଦି ସୋନିଆ ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତିର ଏତେ ବିରୋଧୀ ଥିଲେ, ତେବେ ୧୯୮୦ ନିର୍ବାଚନରେ ଇନ୍ଦିରା ଗାନ୍ଧୀ କାହିଁକି ସଞ୍ଜୟ ଗାନ୍ଧୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ? ତାଙ୍କ ବଦଳରେ ରାଜୀବ ଗାନ୍ଧୀଙ୍କୁ କାହିଁକି ଓହ୍ଲାଇ ନଥିଲେ ? ସେ ଆହୁରି ଦାବି କରିଛନ୍ତି ଯେ, ୧୯୮୯ ନିର୍ବାଚନର ଠିକ୍ ପୂର୍ବରୁ ରାଜୀବ ଗାନ୍ଧୀ ରାମ ଜନ୍ମଭୂମି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କରସେବକଙ୍କ ଉପରେ ଗୁଳି ଚାଳନା ସମୟରେ ସୋନିଆ ଗାନ୍ଧୀଙ୍କ ଆଖିରେ ଲୁହ ଆସିନଥିଲା । କିନ୍ତୁ ବାବ୍ରି ମସଜିଦ ଭଙ୍ଗାଯିବା ସମୟରେ ତାଙ୍କ ଆଖିରେ ଲୁହ ଆସିଥିଲା ।

 

ମାନେକା ଗାନ୍ଧୀଙ୍କ ପ୍ରସଙ୍ଗ ଉଠାଇ ନିଶିକାନ୍ତ ଦୁବେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଭାରତର ସଭ୍ୟତା ଓ ସଂସ୍କୃତିକୁ ଠିକ୍ ଭାବେ ବୁଝିପାରିନାହାନ୍ତି । ଭାରତୀୟ ସଂସ୍କୃତିରେ ଯୌଥ ପରିବାରର ମୂଲ୍ୟବୋଧ, ବଡ଼ମାନଙ୍କ ଭୂମିକା, ସାନମାନଙ୍କ ଭୂମିକା ଏବଂ ଶାଶୂଙ୍କ ଭୂମିକା ରହିଛି । ଯେତେବେଳେ ମାନେକା ଗାନ୍ଧୀଙ୍କୁ ପରିବାରର ଘରୁ ବାହାର କରାଯାଉଥିଲା, ସେତେବେଳେ ସୋନିଆ ଗାନ୍ଧୀଙ୍କୁ ଖରାପ ଲାଗିନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୁବେ କହିଛନ୍ତି, ଏହି ପୁସ୍ତକ କେବଳ ନିଜର ପ୍ରଶଂସା କରିବା ପାଇଁ ସେ ଲେଖିଛନ୍ତି । ଏଥିରେ ସୋନିଆ ନିଜକୁ ବହୁତ ଭଲ ଏବଂ ବାକି ଦୁନିଆକୁ ଖରାପ ଭାବେ ଦର୍ଶାଇଛନ୍ତି । ଏହା ଭାରତୀୟ ସଂସ୍କୃତିର ବିରୋଧୀ ବୋଲି ସେ ମତ ଦେଇଛନ୍ତି ।



Source link

Leave A Reply

Your email address will not be published.