ଲକ୍ଷ୍ନୌ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କ ସୁପର ଶୋ’। ୱେଷ୍ଟଇଣ୍ଡିଜ୍ ବୋଲିଂକୁ ନିର୍ଘାତ ପ୍ରହାର କରି ଜିତାଇଲେ ମ୍ୟାଚ୍। ପଡ଼ିଆସାରା ଖାଲି ଚକ୍କା-ଚୌକା ବର୍ଷା। ରୋଷ୍ଟନ୍ ଚେଜ୍, ମାଥ୍ୟୁ ଫୋର୍ଡ, ଆକିଲ୍ ହୋସେନ୍ ଓ ଶାମର ସ୍ପ୍ରିଙ୍ଗର, କାହାକୁ ଫୁରସତ ଦେଲେନି ଭାରତୀୟ କ୍ୟାପ୍ଟେନ୍। ଆଖି ପିଛୁଳାକେ ଆକାଶ ଛୁଆଁ ଛକ୍କା। ଶର୍ଟ ବର୍ଷା ଦେଖି ୱେଷ୍ଟଇଣ୍ଡିଜ ବୋଲରମାନେ ଶ୍ରେୟସଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଅସହାୟ ଅନୁଭବ କରିଥିଲେ।
ତେବେ ଆଜିର ଶତକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ ସଫଳତା। କାରଣ ସେ ଆଜି ୨୪୦.୫ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଶତକ ହାସଲ କରିଛନ୍ତି। ୪୩ ବଲ୍ରେ ସର୍ବାଧିକ ୧୦୨ ରନ୍ କରିଥିଲେ ଶ୍ରେୟସ ଆୟର। ସେ ତାଙ୍କ ଇନିଂସରେ ୧୦ଟି ଚୌକା ଓ ୬ଟି ଛକା ମାରିଥିଲେ। ଶ୍ରେୟସଙ୍କ ବ୍ୟତୀତ ଆଜି ଇସାନ କିଶନ ୩୭ ରନ୍ ଓ ଓପନର ଅଭିଷେକ ଶର୍ମା ୨୧ ରନର ଯୋଗଦାନ ଦେଇଛନ୍ତି।
ଟସ୍ ହାରି ପ୍ରଥମ ବ୍ୟାଟିଂ କରିଥିବା ୱେଷ୍ଟ ଇଣ୍ଡିଜ୍ ୧୭୨ ରନ୍ ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ମାତ୍ର ୧୪.୪ ଓଭରେ ଦୁଇ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଛି। ଫଳରେ ୱେଷ୍ଟ ଇଣ୍ଡିଜ ଆଜିର ମ୍ୟାଚ୍ ୮ ୱିକେଟ୍ରେ ପରାସ୍ତ ହୋଇଛି। ଏହି ବିଜୟ ସହିତ ଭାରତ ଟି-୨୦ ସିରିଜ୍ରେ ୧-୦ରେ ଅଗ୍ରଣୀ ରହିଛି। ଏବେ ଦୁଇ ଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଶୁକ୍ରବାର ଅର୍ଥାତ୍ ୯ ଅକ୍ଟୋବରରେ ରାଞ୍ଚିରେ ଖେଳାଯିବ।
ୱେଷ୍ଟ ଇଣ୍ଡିଜ୍ର ୧୭୨ ରନର ଟାର୍ଗେଟ୍କୁ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ପ୍ରାରମ୍ଭିକ ୱିକେଟ ବିପର୍ଯ୍ୟୟର ସାମ୍ନା କରିଥିଲା।ଯଡିଓ ଅଭିଷେକ ଶର୍ମା ବିସ୍ଫୋରକ ଆରମ୍ଭ ଦେଇଥିଲେ, ହେଲେ ରୋଷ୍ଟନ ଚେଜଙ୍କ ବଲରେ ଲଙ୍ଗ ଅଫକୁ ଶର୍ଟ ମାରି କ୍ୟାଚ୍ ଆଉଟ ହୋଇଥିଲେ। ଫଳରେ ୨.୩ ଓଭର ଖେଳ ଚାଲିଥିବା ବେଳେ ଦଳୀୟ ସ୍କୋର ୨୯ ବେଳେ ପ୍ରଥମ ୱିକେଟ୍ ହରାଇଥିଲା ଦଳ। ଆଉଟ ପୂର୍ବରୁ ଅଭିଷେକ ୧୦ ବଲ୍ରେ ୨୧ ରନ୍ କରିଥିଲେ। ଯେଉଁଥିରେ ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ଏହାପରେ ସଞ୍ଜୁସାମସନ ବଡ଼ ଶଟ ମାରିବା ଚକ୍କରରେ ସିଧା ବୋଲର ଅକୀଲ ହୁସେନଙ୍କୁ ହିଁ କ୍ୟାଚ୍ ଦେଇଦେଇଥିଲେ। ୪ ଓଭର ପୂର୍ବରୁ ଲଗାତର ଦୁଇଟି ବଡ଼ ୱିକେଟ ପଡ଼ିବା ଭାରତ ପାଇଁ ଚାପ ସୃଷ୍ଟି କରିଥିଲା।
ହେଲେ ଶ୍ରେୟସ ଆୟରଙ୍କ ହଠାତ୍ ଏଭଳି ବିସ୍ଫୋରକ ବ୍ୟାଟିଂ ୱେଷ୍ଟ ଇଣ୍ଡିଜ୍ର ସବୁ ଖେଳ ବିଗାଡ଼ି ଦେଇଥିଲା। ପଡ଼ିଆସାର ଖାଲି ଛକା-ଚୌକା ବର୍ଷା। ଇଶାନ କିଶାନଙ୍କ ସହ ମିଶି ସେ ଖାଲି ଇନିଂସ ସମ୍ଭାଳି ନଥିଲେ ବରଂ ମ୍ୟାଚ୍ ଜିତାଇଥିଲେ।
