Voice of Eastern India

ଶିବସେନା (ଉଦ୍ଧବ) ସାଂସଦଙ୍କ ସିନ୍ଦେଗୋଷ୍ଠୀରେ ସାମିଲ ମଞ୍ଜୁରୀକୁ ନେଇ ଲୋକସଭା ବାଚସ୍ପତିଙ୍କୁ ସୁପ୍ରିମକୋର୍ଚଙ୍କ ନୋଟିସ୍


ନୂଆଦିଲ୍ଲୀ: ଶିବସେନା (ଉଦ୍ଧବ) ଗୋଷ୍ଠୀଙ୍କ ଦ୍ୱାରା ରୁଜୁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଲୋକସଭା ବାଚସ୍ପତି ଓମ ବିରଳା, ଲୋକସଭା ସଚିବ ଓ ୬ ବିଦ୍ରୋହୀ ସାଂସଦଙ୍କୁ ନୋଟିସ୍ ଜାରି କରିଛନ୍ତି। ଆବେଦନରେ ଲୋକସଭା ବାଚସ୍ପତି ସେହି ୬ ସାଂସଦଙ୍କୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ବିଲୟକୁ ମାନ୍ୟତା ଦେବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ୨ ସପ୍ତାହ ନିମନ୍ତେ ସ୍ଥଗିତ ରଖିଛନ୍ତି।

ଏହି ଆବେଦନ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ଗଣପତ ସାୱନ୍ତ ଲୋକସଭା ବାଚସ୍ପତିଙ୍କ ସେହି ନିଷ୍ପତ୍ତି ବିରୋଧରେ ରୁଜୁ କରିଛନ୍ତି ଯାହାକୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ମଞ୍ଜୁରୀ ଦିଆଯାଇଥିଲା। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିମହା ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ବେଞ୍ଚ ଏବେ ପ୍ରତିବାଦୀଙ୍କୁ ନୋଟିସ୍ ଜାରି କରିଥିବା ବେଳେ ବର୍ତ୍ତମାନ ଲାଗି ଲୋକସଭା ବାଚସ୍ପତିଙ୍କ ଆଦେଶ ଉପରେ ରହିତାଦେଶ ଜାରି ପାଇଁ ମନା କରିଦେଇଛନ୍ତି।

ଶିବସେନା(ୟୁବିଟି) ମଙ୍ଗଳବାର ସୁପ୍ରିମକୋର୍ଟରେ ଲୋକସଭା ବାଚସ୍ପତି ଓମ ବିରଳାଙ୍କ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ଯେଉଁଥିରେ ସେ ଶିବସେନା (ୟୁବିଟି)ର ୬ ସାଂସଦଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ବିଲୟକୁ ମଞ୍ଜୁରୀ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ପାର୍ଟି ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଅଧିବକ୍ତା ଦେବଦତ୍ତ କାମତ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ବିପୁଲ ଏମ.ପଞ୍ଚୋଲୀଙ୍କ ପୀଠରେ ଏହି ମାମଲା ଉଲ୍ଲେଖ କରି ବୁଧବାର ତତ୍କାଳ ଶୁଣାଣି ଦାବି କରିଥିଲେ।

ଲୋକସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ଓମ ବିରଳା ୬ ଶିବସେନା(ୟୁବିଟି) ସାଂସଦଙ୍କୁ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ବିଲୟକୁ ମଞ୍ଜୁରୀ ଦେଇଥିଲେ। ଏହି ସବୁ ସାଂସଦମାନେ ହେଉଛନ୍ତି ସଞ୍ଜୟ ଦେଶମୁଖ (ୟବତମାଲ),ସଞ୍ଜୟ ଯାଦଭ (ପରଭଣୀ), ସଞ୍ଜୟ ଦିନା ପାଟିଲ (ମୁମ୍ବାଇ ଉତ୍ତରପୂର୍ବ), ନାଗେଶ ପାଟିଲ ଅଷ୍ଟିକର (ହିଙ୍ଗୋଲୀ), ଓମପ୍ରକାଶ ରାଜେ ନିମ୍ବଲକର(ଧାରାଶିବ) ଓ ଭାଉ ସାହେବ ଭାକଚୌରେ (ଶିରଡି)। ଏହି ବିଲୟ ସହିତ ଲୋକସଭାରେ ଶିବସେନା (ୟୁବିଟି) ସଂଖ୍ୟା ୯ରୁ ହ୍ରାସ ହୋଇ ୩ ହୋଇଯାଇଛି। ଅନ୍ୟପଟେ ସିନ୍ଦେଙ୍କ ସାଂସଦଙ୍କ ସଂଖ୍ୟା ଲୋକସଭାରେ ୧୩କୁ ପହଞ୍ଚିଛି। ଫଳରେ ସିନ୍ଦେଙ୍କ ଦଳ ବିଜେପି ଓ ତେଲଗୁ ଦେଶମ ପାର୍ଟି ପରେ ଏନଡିଏର ତୃତୀୟ ବଡ଼ ସହଯୋଗୀ ପାଲଟିଛି।

ତେବେ ଏହି ଘଟଣାକ୍ରମର ପ୍ରତିକ୍ରିୟା ଦେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ୬ ଶିବସେନା (ଉଦ୍ଧବ) ସାଂସଦ ସେମାନଙ୍କ ଲୋକସଭା କ୍ଷେତ୍ରର ବିକାଶ ପାଇଁ ତାଙ୍କ ପାର୍ଟିରେ ଯୋଗ ଦେଇଛନ୍ତି ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ।



Source link

Leave A Reply

Your email address will not be published.