Voice of Eastern India

ଶାଶୂ ଘର ଲୋକଙ୍କ ଚିନ୍ତାଧାରା କେବେ ବି ବଦଳିବନି… ୯୦ ସେକେଣ୍ଡର ଭିଡିଓ କରି ଜୀବନ ହାରିଦେଲେ ଶିକ୍ଷୟିତ୍ରୀ


ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଡେରାଡୁନରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ସୃଷ୍ଟି କାନ୍ଧାରୀ ନାମକ ଜଣେ ସରକାରୀ ଶିକ୍ଷୟିତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ରେକର୍ଡ କରିଥିବା ଏକ ୯୦ ସେକେଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଡେରାଡୁନ୍ ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଦୋଇୱାଲା ଅଞ୍ଚଳରେ ସୃଷ୍ଟି ନିଜ ସ୍ୱାମୀ ସୌରଭ ରାତୁଡ଼ିଙ୍କ ସହ ରହୁଥିଲେ। ସୌରଭ ମଧ୍ୟ ଜଣେ ସରକାରୀ କର୍ମଚାରୀ। ଗତ ବର୍ଷ ନଭେମ୍ବର ମାସରେ ସେମାନଙ୍କର ବିବାହ ହୋଇଥିଲା। ପୋଲିସ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ଅନୁସାରେ, ବିବାହର ମାତ୍ର ୮ ମାସ ମଧ୍ୟରେ ସୃଷ୍ଟିଙ୍କୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା।

ବିବାହ ପରଠାରୁ ଘଟିଥିବା ସମସ୍ତ ଘଟଣା ପାଇଁ ସୃଷ୍ଟିଙ୍କୁ ଦାୟୀ କରାଯାଉଥିଲା ଏବଂ ଶାଶୂଘର ଲୋକେ ତାଙ୍କୁ  ‘ଅଶୁଭ’ ବୋଲି କହି କଟାକ୍ଷ କରୁଥିଲେ। ଆତ୍ମହତ୍ୟା​‌ କରିବା ପୂର୍ବରୁ ସୃଷ୍ଟି ରେକର୍ଡ କରିଥିବା ୯୦ ସେକେଣ୍ଡର ଭିଡିଓରେ ସେ କାନ୍ଦି କାନ୍ଦି ନିଜ ଆଖିରୁ ଲୁହ ପୋଛୁଥିବାର ଦେଖାଯାଇଛି। ଭିଡିଓର ପ୍ରଥମ ୩୫ ସେକେଣ୍ଡ ସେ କେବଳ କାନ୍ଦିବା ପରେ ନିଜ ମା’ଙ୍କୁ କ୍ଷମା ମାଗିଛନ୍ତି।

ସୃଷ୍ଟି କହିଛନ୍ତି,‘ସରୀ ମମି, ମୁଁ ଏମିତି ଚାଲିଯାଉଛି… ସବୁକିଛି ବହୁତ ଅଜବ ହୋଇଯାଇଛି। ମୁଁ ଗତ ୬ ମାସ ହେବ ଏସବୁ ସହ୍ୟ କରିଆସୁଥିଲି, କିନ୍ତୁ ଆଉ ସହିପାରୁନି। ସେମାନଙ୍କର ମାନସିକତା କେବେ ବି ବଦଳିବ ନାହିଁ। ବିବାହ ପରେ ଯାହା ବି ଖରାପ ହେଲା, ସେଥିପାଇଁ ସେମାନେ ମୋତେ ଦୋଷ ଦେଉଛନ୍ତି ଏବଂ ‘ମନ୍‌ହୁସ୍, ମନ୍‌ହୁସ୍’ ବୋଲି କହୁଛନ୍ତି।’

ବୁଧବାର ଦିନ ସୃଷ୍ଟି ଆତ୍ମହତ୍ୟା କରିବା ପରେ ତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି।

ସୃଷ୍ଟିଙ୍କ ସ୍ୱାମୀ ସୌରଭ, ଶାଶୂ ପରବିନା ଏବଂ ନଣନ୍ଦ ଚାରୁଙ୍କ ନାମରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି।

ଦୋଇୱାଲାର ସର୍କଲ ଅଫିସର ବନ୍ଦନା ବର୍ମା କହିଛନ୍ତି ଯେ, ଯୌତୁକ ଜନିତ ମୃତ୍ୟୁ ସମ୍ପର୍କିତ ଗୁରୁତର ଧାରାରେ ମାମଲା ପଞ୍ଜୀକୃତ ହୋଇଛି।



Source link

Leave A Reply

Your email address will not be published.