କପୁରଥଲା: ପଞ୍ଜାବର କପୁରଥଲାସ୍ଥିତ ପ୍ରସିଦ୍ଧ ମା’ ଭଦ୍ରକାଳୀ ମନ୍ଦିର ବାହାରେ ମହିଳା ଭିକ୍ଷୁକଙ୍କୁ ଜଣେ ବ୍ୟକ୍ତି ଚପଲରେ ପିଟିବା ସହ ଗୋଇଠା ମାରୁଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆକ୍ରମଣ ସମୟରେ ମହିଳା ଜଣକ ନିଜର ଛୋଟ ଶିଶୁକୁ କୋଳରେ ଧରିଥିଲେ। ଏହି ନିନ୍ଦନୀୟ ଘଟଣାରେ ପୁଲିସ ଅଭିଯୁକ୍ତ ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଅଭିଯୁକ୍ତ ପବନ ଶର୍ମା ମନ୍ଦିର ସମ୍ମୁଖରେ ପୂଜା ସାମଗ୍ରୀ ବିକ୍ରି କରନ୍ତି। ଅଗଷ୍ଟ ୯ ତାରିଖ ସନ୍ଧ୍ୟା ପ୍ରାୟ ୫:୨୭ ମିନିଟ୍ରେ ମା’ ଭଦ୍ରକାଳୀ ମନ୍ଦିରର ମୁଖ୍ୟ ଗେଟ୍ ବାହାରେ ପବନ ଜଣେ ମହିଳା ଭିକ୍ଷୁକଙ୍କୁ ମାଡ଼ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ମନ୍ଦିର ବାହାରେ ବସିଥିବା ମହିଳା ଭିକ୍ଷୁକଙ୍କ ସହ ଅଭିଯୁକ୍ତ ପବନ ଶର୍ମାଙ୍କର କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏହାପରେ ପବନ ଉତ୍ତେଜିତ ହୋଇ ନିଜ ଚପଲ କାଢ଼ି ମହିଳାଙ୍କୁ ଆକ୍ରମଣ କରିଥିଲେ। ଉପସ୍ଥିତ କିଛି ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ମହିଳାଙ୍କୁ ଗୋଇଠା ମାରିଥିଲେ।
କପୁରଥଲା ସିଟି ପୁଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୪ (ମହିଳାଙ୍କ ମର୍ଯ୍ୟାଦା ହାନୀ ଉଦ୍ୟମ) ଏବଂ ଧାରା ୧୧୫ (୨) (ସ୍ୱେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା) ଅଧୀନରେ ମାମଲା ରୁଜୁ କରିଛି। କପୁରଥଲା ଡିଏସ୍ପି (DSP) ଶୀତଲ ସିଂହଙ୍କ ସୂଚନା ଅନୁଯାୟୀ, ପୁଲିସ ଫେରାର ଥିବା ଅଭିଯୁକ୍ତ ପବନ ଶର୍ମାଙ୍କୁ ଗିରଫ କରିବା ପାଇଁ ଛାନଭିନ୍ ଚଳାଇଛି। ଘଟଣା ପରଠାରୁ ପୀଡ଼ିତା ମହିଳା ଭିକ୍ଷୁକ ମଧ୍ୟ ସେହି ସ୍ଥାନରୁ ଗାଏବ ଅଛନ୍ତି। ମନ୍ଦିର କମିଟିର ସହାୟତାରେ ପୀଡ଼ିତା ଏବଂ ତାଙ୍କ ଶିଶୁକୁ ଖୋଜିବାକୁ ଚେଷ୍ଟା କରାଯାଉଛି।
