Voice of Eastern India

ଭାରତ ସୀମା ନିକଟରେ ୧୨ଟି J-20 ଷ୍ଟିଲ୍ଥ ଫାଇଟର ଜେଟ୍ ମୁତୟନ କଲା ଚୀନ: ସାଟେଲାଇଟ୍ ଚିତ୍ରରେ ଆସିଲା ଭୟଙ୍କର ଚିତ୍ର


ନୂଆଦିଲ୍ଲୀ: ଭାରତୀୟ ସୀମାରେ ସନ୍ଦିଗ୍ଧ ଗତିବିଧି କରି ଭାରତର ତୀକ୍ଷ୍ଣୀ ନଜରରେ ଥିବା ଚୀନର ଆଉ ଏକ ଦୁଃସାହସ କରିଛି। ସାଟେଲାଇଟ୍ ଫଟୋରୁ ଜଣାପଡ଼ିଛି ଯେ ଚୀନ ବାସ୍ତବ ନିୟନ୍ତ୍ରଣ ରେଖା (LAC) ନିକଟରେ ନିଜର ସବୁଠାରୁ ଆଧୁନିକ J-20 ‘ମାଇଟି ଡ୍ରାଗନ’ ଷ୍ଟିଲ୍ଥ ଯୁଦ୍ଧ ବିମାନର ବଡ଼ ଧରଣର ମୁତୟନ କରିଛି।

ବାଣିଜ୍ୟିକ ସାଟେଲାଇଟ୍ ଚିତ୍ରରୁ ମିଳିଥିବା ଫଟୋ ଅନୁସାରେ, ଚୀନ ଭାରତ ସୀମା ଆଡ଼କୁ ମୁହଁ କରି ଦୁଇଟି ବିମାନଘାଟିରେ ଅତି କମରେ ୧୨ଟି J-20 ଷ୍ଟିଲ୍ଥ ଫାଇଟର ଜେଟ୍ ମୁତୟନ କରିଛି। ନିକଟ ଅତୀତରେ LAC ନିକଟରେ ଏହା ସବୁଠାରୁ ବଡ଼ J-୨୦ ମୁତୟନ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ କରିଛି।

ଘରୋଇ ସାଟେଲାଇଟ୍ କମ୍ପାନୀ ‘ଭାଣ୍ଟର’ (Vantor) ଦ୍ୱାରା ଉଠାଯାଇଥିାବ ଏହି ଫଟୋ ଗଣମାଧ୍ୟମ ହାତରେ ଲାଗିଛି। ଏଥିରେ ପିପୁଲ୍ସ ଲିବରେସନ୍ ଆର୍ମି ଏୟାର ଫୋର୍ସ (PLAAF) ଚୀନର ସିନଜିଆଙ୍ଗର ହୋଟାନ୍ (Hotan) ଏୟାରବେସ୍ ଏବଂ ତିବ୍ବତର ଡାମସୁଙ୍ଗ (Damxung) ଏୟାରବେସରେ ଏହି ଯୁଦ୍ଧ ବିମାନଗୁଡ଼ିକୁ ମୁତୟନ କରିଥିବା ଜଣାପଡ଼ିଛି।

ହୋଟାନ୍ ଏୟାରବେସରେ ୮ଟି J-20

ଜୁଲାଇ ୯ ତାରିଖରେ ନିଆଯାଇଥିବା ସାଟେଲାଇଟ୍ ଚିତ୍ରରେ ହୋଟାନ୍ ଏୟାରବେସ୍ର ରନୱେ ନିକଟରେ ୮ଟି J-20 ଷ୍ଟିଲ୍ଥ ଫାଇଟର ଜେଟ୍ ପାର୍କିଂ କରାଯାଇଥିବା ଦେଖାଯାଇଛି। ହୋଟାନ୍ ହେଉଛି ଚୀନର ସିନଜିଆଙ୍ଗ ଉଇଗୁର ସ୍ୱୟଂଶାସିତ ଅଞ୍ଚଳର ଏକ ସାମରିକ ଓ ସାଧାରଣ ବିମାନ ଚଳାଚଳ ପାଇଁ ବ୍ୟବହୃତ ଏୟାରବେସ୍। ଏହା ଭାରତୀୟ ବାୟୁସେନାର ଦୌଲତ ବେଗ୍ ଓଲ୍ଡି (DBO) ଏୟାରବେସ୍ଠାରୁ ପ୍ରାୟ ୨୪୫ କିଲୋମିଟର ଏବଂ ଲେହଠାରୁ ପ୍ରାୟ ୩୮୯ କିଲୋମିଟର ଦୂରରେ ଅବସ୍ଥିତ।

Also Read- ଚୀନ୍ କମ୍ପାନୀର ବିଲ୍ଡିଂ ଧ୍ବଂସ କଲା ଇରାନ, ଜଣେ ଶ୍ରମିକ ମୃତ; ଭିନ୍ନ ମୋଡ଼ ନେଇପାରେ ଯୁଦ୍ଧ !

ଡାମସୁଙ୍ଗରେ ଆଉ ୪ଟି J-20

ଜୁନ୍ ୨୫ ତାରିଖର ସାଟେଲାଇଟ୍ ଚିତ୍ରରେ ତିବ୍ବତର ଲାସା ପ୍ରିଫେକ୍ଚର ଅଧୀନ ଡାମସୁଙ୍ଗ ଏୟାରବେସ୍ରେ ୪ଟି J-20 ଫାଇଟର ଜେଟ୍ ମୁତୟନ ହୋଇଥିବା ଦେଖାଯାଇଛି। ଏହି ବିମାନଗୁଡ଼ିକୁ ସୁରକ୍ଷା ପାଇଁ କରାଯାଇଥିବା ଅସ୍ଥାୟୀ ଟ୍ୟାଣ୍ଟ ତଳେ ରଖାଯାଇଥିଲା।

ଡାମସୁଙ୍ଗ ଏୟାରବେସ୍ ଅରୁଣାଚଳ ପ୍ରଦେଶର ତାୱାଙ୍ଗଠାରୁ ପ୍ରାୟ ୩୪୪ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ। ଦୁଇଟି ଏୟାରବେସ୍ର ସାଟେଲାଇଟ୍ ଚିତ୍ରକୁ ମିଶାଇ ଦେଖିଲେ, ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ଅତି କମରେ ୧୨ଟି J-20 ଷ୍ଟିଲ୍ଥ ଫାଇଟର ଜେଟ୍ ମୁତୟନ ହୋଇଥିବା ସ୍ପଷ୍ଟ ହେଉଛି।

କାହିଁକି ଏହି ମୁତୟନ ଗୁରୁତ୍ୱପୂର୍ଣ୍ଣ?

J-20 ହେଉଛି ଚୀନର ସବୁଠାରୁ ଆଧୁନିକ ପଞ୍ଚମ ପିଢ଼ିର (Fifth Generation) ଷ୍ଟିଲ୍ଥ ଯୁଦ୍ଧ ବିମାନ। ଏହାର ବିଶେଷ ଡିଜାଇନ୍ ଏହାକୁ ରାଡାରରୁ ଲୁଚି ରହିବାର କ୍ଷମତା ଦେଇଥାଏ। ଚୀନ ବାୟୁସେନାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନମାନଙ୍କ ମଧ୍ୟରେ J-20କୁ ଗଣାଯାଏ।

ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଭାରତ ସୀମା ନିକଟ ଉଚ୍ଚ ପାହାଡ଼ିଆ ଏୟାରବେସ୍ରେ ବାରମ୍ବାର J-20 ଦେଖାଯିବାରୁ ଏହା ସ୍ପଷ୍ଟ ହେଉଛି ଯେ ଏହା କୌଣସି ଅସ୍ଥାୟୀ ପଦକ୍ଷେପ ନୁହେଁ, ବରଂ ସୀମାରେ ଚୀନର ସ୍ଥାୟୀ ସାମରିକ ରଣନୀତିର ଏକ ଅଂଶ ପାଲଟିଛି।

ଭାରତୀୟ ବାୟୁସେନା ପାଇଁ ଚ୍ୟାଲେଞ୍ଜ

ବର୍ତ୍ତମାନ ଭାରତୀୟ ବାୟୁସେନାର ଫାଇଟର ସ୍କ୍ୱାଡ୍ରନ୍ ସଂଖ୍ୟା କମିବାରେ ଲାଗିଛି। ଏପଟେ ସ୍ୱଦେଶୀ LCA Tejas Mk1A ପ୍ରକଳ୍ପ ଦୁଇ ବର୍ଷରୁ ଅଧିକ ସମୟ ବିଳମ୍ବ ହୋଇଛି। ଅନ୍ୟପଟେ ୧୧୪ଟି ମଲ୍ଟି-ରୋଲ୍ ଫାଇଟର ବିମାନ କ୍ରୟ ପ୍ରସ୍ତାବ ଏବେ ପ୍ରୋସେସିଂରେ ରହିଛି। ଏଥିରେ ଅତିରିକ୍ତ ରାଫାଲ୍ (Rafale) ବିମାନ କିଣିବାର ପ୍ରସ୍ତାବ ମଧ୍ୟ ରହିଛି।

ଚୀନର ବ୍ୟାପକ ସାମରିକ ଆଧୁନିକୀକରଣର ଅଂଶ

ହୋଟାନ୍ ଏବଂ ଡାମସୁଙ୍ଗ ଏୟାରବେସ୍ ପୂର୍ବରୁ ମଧ୍ୟ LAC ନିକଟରେ ଚୀନର ସାମରିକ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଆସିଛି। କିନ୍ତୁ ପୂର୍ବର ସାଟେଲାଇଟ୍ ଚିତ୍ରରେ ଏହି ଘାଟିଗୁଡ଼ିକରେ ଏତେ ସଂଖ୍ୟାର J-20 ଦେଖାଯାଇନଥିଲା। ନୂଆ ଚିତ୍ର ଚୀନର ଅଗ୍ରଭାଗରେ ଷ୍ଟିଲ୍ଥ ବିମାନ ମୁତୟନରେ ଉଲ୍ଲେଖନୀୟ ବୃଦ୍ଧିକୁ ସୂଚାଉଛି।

ବିଶେଷଜ୍ଞଙ୍କ ମତରେ, ସିନଜିଆଙ୍ଗ ଓ ତିବ୍ବତରେ ବାୟୁସେନାର ଆଧୁନିକୀକରଣ ଏବଂ ସାମରିକ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ଚୀନ ଯେଉଁ ବ୍ୟାପକ ଅଭିଯାନ ଚଳାଇଛି, ଏହି ମୁତୟନ ତାହାର ଏକ ଅଂଶ।

ଗଲୱାନ ସଂଘର୍ଷ ପରଠାରୁ ଜାରି ରହିଛି ଉତ୍ତେଜନା

ଭାରତ ଓ ଚୀନ ମଧ୍ୟରେ ପ୍ରାୟ ୩,୪୮୮ କିଲୋମିଟର ଲମ୍ବା ବିବାଦୀୟ ସୀମା ରହିଛି। ୨୦୨୦ରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ସୀମା ଉତ୍ତେଜନା ଅବ୍ୟାହତ ରହିଛି।

ଯଦିଓ ଉଭୟ ଦେଶ ମଧ୍ୟରେ ଏକାଧିକ ପର୍ଯ୍ୟାୟର ସାମରିକ ଓ କୂଟନୈତିକ ଆଲୋଚନା ହୋଇଛି ଏବଂ କିଛି ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ମଧ୍ୟ କରାଯାଇଛି, ତଥାପି LAC ନିକଟରେ ଉଭୟ ପକ୍ଷ ବହୁ ସଂଖ୍ୟାରେ ସୈନ୍ୟ, ସାମରିକ ଯାନ ଏବଂ ଅତ୍ୟାଧୁନିକ ବାୟୁସେନା ସମ୍ପଦ ମୁତୟନ କରି ରଖିଛନ୍ତି।



Source link

Leave A Reply

Your email address will not be published.