Voice of Eastern India

ବ୍ରିଟେନରେ କୋହଲିଙ୍କ ପିଛା କରୁଛି କିଏ ? ବଡ଼ ଖୁଲାସା କଲେ RCBର ସାଥି ଖେଳାଳି


ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଲଣ୍ଡନରେ କେହି ଜଣେ ବିରାଟଙ୍କ ଅଜାଣତରେ  ତାଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିବା ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦଳରେ ତାଙ୍କ ସହଯୋଗୀ ତଥା ଇଂଲଣ୍ଡର କ୍ରିକେଟର ଜୋର୍ଡାନ କକ୍ସ ଏକ ବଡ଼ ଖୁଲାସା କରିଛନ୍ତି।

ଆଇପିଏଲ୍ ୨୦୨୬ରେ ଆରସିବି ପାଇଁ ୬୦୦ରୁ ଅଧିକ ରନ୍ ସଂଗ୍ରହ କରି ଦଳକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିରାଟ, ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଖେଳିପାରି ନଥିଲେ। ତେବେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜୁଲାଇ ୧୪ରୁ ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ଜରିଆରେ ପଡ଼ିଆକୁ ଫେରୁଛନ୍ତି। ଏହି ସିରିଜ୍ ପୂର୍ବରୁ କକ୍ସ, ବିରାଟଙ୍କ ସହ ଲଣ୍ଡନରେ ହୋଇଥିବା ସାକ୍ଷାତକାର ସମୟରେ ଘଟିଥିବା ଏକ ଘଟ ସଂପର୍କରେ ଖୁଲସା କରିଛନ୍ତି।

ଗତ ମାସରେ ଲଣ୍ଡନରେ ଦୁହିଁଙ୍କ ସାକ୍ଷାତ ବେଳର ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଏହି ବିଷୟରେ ଗାର୍ଡିଆନ୍ (The Guardian)କୁ କକ୍ସ କହିଛନ୍ତି, ‘ସବୁଠାରୁ ଦୁଃଖଦାୟକ କଥା ହେଉଛି ଲୋକମାନେ ତାଙ୍କ ଅଜାଣତରେ ତାଙ୍କୁ ପିଛା କରୁଛନ୍ତି। ଆମେ ଯେତେବେଳେ ବସିଥିଲୁ, ଶହ ଶହ ଲୋକ ଆମ ପାଖ ଦେଇ ଯାଇଥିଲେ, କେହି ଅଟକି ନଥିଲେ କିମ୍ବା କିଛି କରିନଥିଲେ। କିନ୍ତୁ ପ୍ରାୟ ଦୁଇ ଘଣ୍ଟା ପରେ ବିରାଟ ମୋତେ ମେସେଜ୍ କରି ପଚାରିଲେ, ‘ତୁମେ ଏହି ସବୁ ଫଟୋ ଦେଖିଛ କି ?’ ଏହା ଦେଖି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲି।’

ସେ ଆହୁରି ମଧ୍ୟ କହିଛନ୍ତି, ‘ବିରାଟ ଜଣେ ସାଧାରଣ ମଣିଷ ଭଳି ଜୀବନ ବିତାଇବାକୁ ଚାହାନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ସବୁବେଳେ ତାହା ସମ୍ଭବ ହୋଇପାରୁ ନାହିଁ।’ ଏହା ସହିତ ୨୫ ବର୍ଷୀୟ ଏହି ଇଂଲଣ୍ଡ ତାରକା ଆଇପିଏଲ୍ ସମୟରେ ବିରାଟଙ୍କ ଠାରୁ ମିଳିଥିବା ସହଯୋଗ ଓ ମାର୍ଗଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି। କକ୍ସ କହିଛନ୍ତି ଯେ, ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ବିରାଟ ଅନ୍ୟ ଖେଳାଳିମାନଙ୍କୁ ସମୟ ଦିଅନ୍ତି ଏବଂ ନିଜ ଖେଳ ସହ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହନ୍ତି, ଯାହା ଆଜିକାଲି ଖୁବ୍ କମ୍ ଦେଖିବାକୁ ମିଳେ।

ସୂଚନାଯୋଗ୍ୟ, ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି । ଭାରତ ୩-୦ରେ ପଛୁଆ ରହିବା ସହ ସିରିଜ୍‌ ହାରି ସାରିଛି ।ଶନିବାର ସାଉଥାମ୍ପଟନଠାରେ ସିରିଜର ଶେଷ ମ୍ୟାଚ୍ ଖେଳାଯିବ।

 



Source link

Leave A Reply

Your email address will not be published.