ନୂଆଦିଲ୍ଲୀ: ଜଣେ ବୈଜ୍ଞାନିକଙ୍କ ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା କରାଯାଇଛି । ସେ ରହୁଥିବା ଆବାସିକ ସୋସାଇଟିରେ ଏହି ଘଟଣା ଘଟିଛି । ଝିଅଟିର ମୃତଦେହ ବିଲ୍ଡିଂର ବେସମେଣ୍ଟରୁ ମିଳିବା ପରେ ସୋସାଇଟିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ତେବେ ସିସିଟିଭିରେ ଯେଉଁ ଦୃଶ୍ୟ କଏଦ ହୋଇଛି, ତାହା ବି ଚିନ୍ତାଜନକ ଏବଂ ଭୟଙ୍କର । ଜଣେ ସୁରକ୍ଷା କର୍ମୀ ଶିଶୁଟିର ପିଛା କରୁଥିବା ନେଇ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ତେଲେଙ୍ଗାନାର ଜଣେ କୃଷି ବିଜ୍ଞାନୀଙ୍କ ଝିଅ ଅପହରଣ ହେବାର କିଛି ଘଣ୍ଟା ପରେ, ତାର ମୃତଦେହ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
କାଉକୁର ଅଞ୍ଚଳରେ ଥିବା ଏକ ଆବାସିକ କମ୍ପ୍ଲେକ୍ସରେ ଝିଅଟି ତାଙ୍କ ବାପାଙ୍କ ସହ ରହୁଥିଲା । ଶନିବାର ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ହଠାତ୍ ନିଖୋଜ ହୋଇଯାଇଥିଲା । ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲା । ରାତି ପ୍ରାୟ ୯ଟା ସମୟରେ କ୍ଲବହାଉସ ସେଲାରରୁ ତାର ମୃତଦେହ ଉଦ୍ଧାର କରାଯାଇଥିଲା।
ସୈତାନ ସୁରକ୍ଷାକର୍ମୀ
ଏହି ସଂବେଦନଶୀଳ ମାମଲାରେ ସୋସାଇଟିର ଜଣେ ସୁରକ୍ଷା କର୍ମୀ ବିକ୍ରମକୁ ମୁଖ୍ୟ ଅଭିଯୁକ୍ତ ଭାବରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ଗାର୍ଡ ଜଣକ ଛୋଟ ଝିଅଟିକୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଏପରିକି ଝିଅକୁ ଅପହରଣ କରିବା ପରେ ପରିବାର ଲୋକଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲା ବୋଲି କୁହାଯାଉଛି । ଘଟଣା ପୂର୍ବର ସିସିଟିଭି ଫୁଟେଜ୍ରୁ ସୁରକ୍ଷା କର୍ମୀ ଝିଅର ପଛରେ ପଛରେ ଯାଉଥିବା ଦେଖିବାକୁ ମିଳିଛି। ଏପରିକି ଘଟଣାର ଦୁଇ ଦିନ ପୂର୍ବରୁ ସେ କମ୍ପ୍ଲେକ୍ସ ପରିସରରେ ସନ୍ଦେହଜନକ ଭାବରେ ବୁଲାବୁଲି କରୁଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଘଟଣା ପରଠାରୁ ଅଭିଯୁକ୍ତ ସୁରକ୍ଷା କର୍ମୀ ଫେରାର ଅଛି। ପୁଲିସର ପ୍ରାଥମିକ ସୂଚନା ଏବଂ ମୋବାଇଲ୍ ଫୋନ୍ ଲୋକେସନ୍ ଟ୍ରାକିଂରୁ ଜଣାପଡ଼ିଛି ଯେ, ଅପରାଧ ଭିଆଇବା ପରେ ଅଭିଯୁକ୍ତ ଜଣକ ସିକନ୍ଦରାବାଦ ରେଳ ଷ୍ଟେସନ ଆଡ଼କୁ ଯାଇଥିଲା । ତାର ଗତିବିଧି, ଡିଜିଟାଲ୍ ଟ୍ରେଲ୍ ଏବଂ ଘଟଣାର ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ତଦନ୍ତକାରୀ ଦଳ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ମାଲକାଜଗିରି ପୁଲିସ ପକ୍ଷରୁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
ଅନ୍ୟପଟେ ବୋଲାରାମ ପୁଲିସ ଷ୍ଟେସନ ମାମଲା ରୁଜୁ କରି ଘଟଣାସ୍ଥଳରୁ ଫରେନ୍ସିକ ପ୍ରମାଣ ସଂଗ୍ରହ କରୁଛି । ଏହି ଭୟଙ୍କର ଘଟଣା ପରେ ସୁରକ୍ଷିତ ମନେକରାଯାଉଥିବା ଆବାସିକ ସୋସାଇଟିଗୁଡ଼ିକରେ ପିଲାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଠୁ ବଡ଼ ପ୍ରସଙ୍ଗ ହେଉଛି, ସେହି ସବୁ ସୋସାଇଟିର ସୁରକ୍ଷା ବ୍ୟବସ୍ଥାରେ ଥିବା ସୁରକ୍ଷା କର୍ମୀଙ୍କ ବ୍ୟାକ୍ଗ୍ରାଉଣ୍ଡ ଯାଞ୍ଚ କରାଯାଉଛି କି ନାହିଁ ।
