Voice of Eastern India

ବିଧାୟକଙ୍କ ଭାଇରାଲ ଭିଡିଓ ବିବାଦ, ପତ୍ନୀ କହିଲେ- ଏହା AI ଜେନେରେଟେଡ୍‌


ଭୁବନେଶ୍ବର: ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଏକ ଭିଡିଓକୁ ନେଇ ଏବେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା​‌ ଜୋରଦାର । ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଉଥିବା ବେଳେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ପଛରେ ଛିଡ଼ା ହୋଇଥିଲେ । ସେଠାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ ।  ଏହି ସମୟରେ  ମନୋରଞ୍ଜନ ଦ୍ୟାନ  ଛତ୍ରପୁର ବିଧାୟକଙ୍କ କାନ କାମୁଡ଼ୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହୋଇଥିଲା । ଏହି ଘଟଣାରେ ମନୋରଞ୍ଜନ ଦ୍ୟାନଙ୍କ ପତ୍ନୀ ମୀନା ଦ୍ୟାନ ସାମନ୍ତରା ପ୍ରତିକ୍ରିୟା ଦେଇଛନ୍ତି । 

ଏହି ଭିଡିଓରେ କୌଣସି ସତ୍ୟତା ନାହିଁ ଏବଂ ଏହା ଏଆଇ ଜେନେରେଟେଡ୍‌ ବୋଲି ମୀନା ଦ୍ୟାନ ସାମନ୍ତରା ଦାବି କରିଛନ୍ତି । ଓଡ଼ିଶାର ଏକ ଡିଜିଟାଲ ଗଣମାଧ୍ୟମର ଭିଡିଓ ସେୟାର କରି ସେ ଲେଖିଛନ୍ତି, ଏହା ହିଁ ଚିକିଟି ବିଧାୟକଙ୍କ ପ୍ରକୃତ ଭିଡିଓ । ସେ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ଭଲରେ ଶୁଣୁଛନ୍ତି । କିନ୍ତୁ ଚିକିଟି ବିଜେଡିର ସୋସିଆଲ ମିଡିଆ ହ୍ୟାଣ୍ଡଲରୁ ଏହାର ଏକ ଏଆଇ ଭିଡିଓ ସେୟାର କରାଯାଇ ମନୋରଞ୍ଜନ ଦ୍ୟାନଙ୍କୁ ବଦନାମ କରାଯାଇଛି । ତେବେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ବ୍ରହ୍ମପୁର ଏସପିଙ୍କୁ ବିଧାୟକଙ୍କ ପତ୍ନୀ ଭାବରେ ଅନୁରୋଧ କରିଛନ୍ତି ।  

ପ୍ରମେୟ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ବିଧାୟକଙ୍କ ପତ୍ନୀ ମୀନା ଦ୍ୟାନ ସାମନ୍ତରା କହିଛନ୍ତି, ସେ ଜରଡା ଥାନରେ ଏନେଇ ମାମଲା ଦାଏର କରିଛନ୍ତି ।  ଏହା ସହ ଭିଡିଓର ସତ୍ୟତାକୁ ଲୋକଲୋଚନକୁ ଆଣିବାକୁ ମଧ୍ୟ ଦାବି କରିଛନ୍ତି । ସେପଟେ ଭିଡିଓ ଏଆଇ ଜେନେରେଟେଡ୍‌ କି ନୁହେଁ, ସେନେଇ ତଦନ୍ତ ହେବା ଦରକାର ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି । ଗତ ନିର୍ବାଚନରେ ଚିକିଟି ବିଧାନସଭରୁ ବିଜେଡି ପ୍ରାର୍ଥୀ ଚିନ୍ମୟାନନ୍ଦ ଦେଓ କହିଛନ୍ତି, ସତ୍ୟତା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।  ଯଦି ଭିଡିଓରେ ସତ୍ୟତା ଥାଏ, ତେବେ ଚିକିଟି ବିଧାୟକ ଇସ୍ତଫା ଦେବା ଉଚିତ । ଲୋକଙ୍କ ମଧ୍ୟରେ ଅଯଥା ଦ୍ବନ୍ଦ୍ବ ସୃଷ୍ଟି ନକରି ବିଧାୟକ ଖୋଦ ସତ ଉପରୁ ପରଦା ଉଠାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ନଭେମ୍ବର ୧୩ରେ ରାଜ୍ୟର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଏକ ସାମ୍ବାଦିକ ସମ୍ମିଳନୀରୁ ଭାଇରାଲ୍‌ ହୋଇଥିବା ଭିଡିଓକୁ ନେଇ ରାଜନୀତି ଚାଲିଥିବା ବେଳେ, ବିଧାୟକଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ଚର୍ଚ୍ଚା ବଢ଼ାଇଛି । ସେପଟେ  ଏହି ବିବାଦକୁ ନେଇ ବିଧାୟକ କିମ୍ବା ରାଜ୍ୟ ବିଜେପି ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ। ସୂଚନାଯୋଗ୍ୟ ଯେ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଗଞ୍ଜାମ ଜିଲ୍ଲାର ଚିକିଟି ଆସନରୁ ପ୍ରଥମ କରି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ପାଞ୍ଚ ଥରର ବିଜେଡି ବିଧାୟିକା ଉଷା ଦେବୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ବିବାଦର ମାତ୍ର ଦୁଇ ଦିନ ପୂର୍ବରୁ ସେ ନିଜର ଗୋଟିଏ ମାସର ଦରମା ଗଞ୍ଜାମ ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ଦାନ କରିଥିଲେ ।


 



Source link

Leave A Reply

Your email address will not be published.