ଭୁବନେଶ୍ବର ୨।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ IMD ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କି.ମି. ଉଚ୍ଚତା ଯାଏଁ ବ୍ୟାପିଛି l ଏହା ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି ।
ସେପଟେ, ମୌସୁମୀ ବର୍ଷାରେ ବେହାଲ ରାଜଧାନୀବାସୀ । ରାଜଧାନୀରେ ସହରି ବନ୍ୟା । କେଉଁଠି ଜଳବନ୍ଦୀ ତ ଆଉ କେଉଁଠି ରାସ୍ତା ଉପରେ ପାଣି । ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଯୋଗୁ ଜଳବନ୍ଦୀ ଅବସ୍ଥାରେ ଭୁବନେଶ୍ୱର ୪ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ମିଲେନିୟମ୍ ସିଟି ଅଞ୍ଚଳ । ଗୁରୁବାର ମଧ୍ୟାହ୍ନ ସମୟରେ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ହୋଇଥିଲା ।
Also Read:- ନିଶାମୁକ୍ତ ଜୋନ୍ ନେଇ ସବୁ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ, ଆସନ୍ତା ୧୫ ସୁଦ୍ଧା ଦେବାକୁ ପଡ଼ିବ ରିପୋର୍ଟ
ବୈଭବ ନଗରରେ ଶତାଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସାମାନ୍ୟ ବର୍ଷାରେ ଉବୁଟୁବୁ ଏହି ଅଞ୍ଚଳର ଲୋକେ ଘରୁ ବାହାରି ପାରୁନାହାନ୍ତି । ଡ୍ରେନ୍ ନଥିବାରୁ ରାସ୍ତା ଉପରେ ଜମି ରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପିଲା ସ୍କୁଲ-କଲେଜ ଯାଇପାରୁ ନାହାନ୍ତି । ରୋଗୀକୁ ହସ୍ପିଟାଲ ମଧ୍ୟ ନେବା ସମ୍ଭବ ହୋଇପାରୁ ନାହିଁ । ଏହାସହ ଜାତୀୟ ରାଜପଥ ଯାଉଥିବା ମୁଖ୍ୟ ରାସ୍ତାରେ କଡରେ ପାଣି ଜମି ରହୁଛି । ଏଥିପାଇଁ ପାଖାପାଖି ୩୦୦ ଘର ମଧ୍ୟ ପ୍ରଭାବିତ ହେଉଛନ୍ତି । ବିଏମସି ଅଫିସକୁ ବାରମ୍ବାର ଯାଇ ଏଥିପାଇଁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି ।
