ନୂଆଦିଲ୍ଲୀ ୨୩।୦୮; ଦିଲ୍ଲୀର ଭଲସ୍ୱା ଡାଏରୀ ଅଞ୍ଚଳରୁ ପୋଲିସ ଉପରେ ଆକ୍ରମଣର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ଭିଡ଼ରେ ପୁଲିସ ଯବାନଙ୍କୁ ଲାଠିରେ ଆକ୍ରମଣ କରିବା ସହ ତାଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ଏଵେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବାର ଦେଖିବାକୁ ମିଳୁଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଅଞ୍ଚଳରେ କୌଣସି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିସ୍ଥିତି ସମ୍ଭାଳିବା ପାଇଁ ପୋଲିସ ଜବାନ ଘଟଣାସ୍ଥଳରେ ପହଞ୍ଚିବା ପରେ କିଛି ଲୋକ ତାଙ୍କୁ ଘେରି ଆକ୍ରମଣ କରିଥିବା ଅଭିଯୋଗ ରହିଛି ।
ଭାଇରାଲ୍ ଭିଡିଓରେ ପୋଲିସ ଯବାନଙ୍କୁ ଲୋକେ ଲାଠିରେ ମାଡ଼ ମାରୁଥିବା ଏବଂ ଧସ୍ତାଧସ୍ତି କରୁଥିବା ଦେଖାଯାଉଥିବା ଦାବି କରାଯାଇଛି । ଏହା ସହ ତାଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗାଯାଇଥିବା କୁହାଯାଉଛି । ଫଳରେ ଜବାନ ଜଣକ ଆହତ ହୋଇଥିବା ଖବର ମିଳିଛି । ଘଟଣାର ସଠିକ୍ କାରଣ ଏବଂ ଆକ୍ରମଣରେ କେତେଜଣ ସାମିଲ ଥିଲେ, ସେନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି । ଭାଇରାଲ୍ ଭିଡିଓକୁ ମଧ୍ୟ ଯାଞ୍ଚ କରାଯାଇ ଆକ୍ରମଣକାରୀଙ୍କ ପରିଚୟ ଠାବ କରାଯାଉଥିବା ସୂଚନା ରହିଛି । ଦିଲ୍ଲୀର ଭଲସ୍ୱା ଡାଏରୀ ଅଞ୍ଚଳ ପୂର୍ବରୁ ମଧ୍ୟ ବିଭିନ୍ନ ଅପରାଧିକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି । ଚଳିତ ବର୍ଷ ଏହି ଅଞ୍ଚଳରେ ହିଂସା ଓ ଅପରାଧ ସମ୍ପର୍କିତ ଘଟଣା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି ।
ଏବେ ପୋଲିସ ଜବାନଙ୍କ ଉପରେ ଆକ୍ରମଣ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଭିଡିଓର ସତ୍ୟତା ଯାଞ୍ଚ ସହ ଘଟଣା ପଛର ପ୍ରକୃତ କାରଣ କ’ଣ ଏବଂ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଣ ଆଇନଗତ ପଦକ୍ଷେପ ନିଆଯାଉଛି, ଏବେ ସେହି ଉପରେ ନଜର ରହିଛି ।
