ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାପଲ୍ଲୀ ଦୁଷ୍କର୍ମ ମାମଲାର ୪୮ ଘଣ୍ଟା ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ଶ୍ରୀଧର ପଣ୍ଡା ଓରଫ୍ ସନ୍ତୋଷ । ଶନିବାର କମିଶନରେଟ୍ ପୋଲିସ ତାକୁ ଚନ୍ଦକା ଥାନା ଅଞ୍ଚଳର ଏକ ସ୍ଥାନରୁ ଗିରଫ କରିଛି । ଗିରଫ ସମୟରେ ପୋଲିସକୁ ଆକ୍ରମଣ କରି ନିଜେ ଗୁଳି ଖାଇଛି ଅଭିଯୁକ୍ତ। ତେବେ ସନ୍ତୋଷକୁ ଗିରଫ ପରେ ପୋଲିସ କମିଶନର ଏସ ଦେବଦତ୍ତ ସିଂହ ଗଣମାଧ୍ୟମକୁ ପୂରା ଘଟଣାକ୍ରମ ଏବଂ ଅଭିଯୁକ୍ତର ଉଦ୍ଦେଶ୍ୟ ନେଇ ସୂଚନା ଦେଇଛନ୍ତି।
ସିପି କହିଛନ୍ତି, ଅଭିଯୁକ୍ତ ଶ୍ରୀଧର ପଣ୍ଡା (୨୪)ର ଘର ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ । ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚାକେଇଶିଆଣି ଗ୍ରାମରେ ରହୁଥିଲା। ଗିରଫ ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ। ଏହା ପୂର୍ବରୁ ମଧ୍ୟ ମୋବାଇଲ୍ ଚୋରି ମାମଲାରେ ଗିରଫ ହୋଇ ସେ ଜେଲ୍ ଯାଇଥିଲା। ତା’ ନାଁରେ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ମାମଲା ରହିଛି। ସେ ଅନେକ ସମୟରେ ଲୋକଙ୍କ ଘରେ ପଶି ଚୋରି କରୁଥିଲା।
ତେବେ ଗତ ବୁଧବାର ସେ ନୟାପଲ୍ଲୀରେ ପୀଡ଼ିତାଙ୍କ ଘରକୁ ଚୋରି ଉଦ୍ଦେଶ୍ୟରେ ପଶିଥିଲା, କିନ୍ତୁ ସୁଯୋଗ ପାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ବଡ଼ କଥା ହେଲା ଅଭିଯୁକ୍ତ ପାଖରେ କୌଣସି ବନ୍ଧୁକ ନଥିଲା ବରଂ ସେ ଏକ ଲାଇଟର ରଖିଥିଲା ଯାହା ବନ୍ଧୁକ ଭଳି । ଆଉ ଏହାକୁ ଦେଖାଇ ସେ ସେଦିନ ମହିଳାଙ୍କୁ ଡରାଇଥିଲା । ଯେଉଁଥିରେ ମହିଳା ଜଣକ ଡରିଯାଇଥିଲେ ବୋଲି ସୂଚନା ଦେଇଛନ୍ତି ସିପି।
ସିପି ଆହୁରି କହିଛନ୍ତି, ଘଟଣା ଘଟାଇବା ପରେ ଅଭିଯୁକ୍ତ ପ୍ରଥମେ ‘ଆମ ବସ୍’ ତା’ପରେ ଏକ ଅଟୋ ଏବଂ ଏହା ପରେ ଏକ ବାଇକ୍ ଚୋରି କରି ଫେରାର ମାରିଥିଲା। ଏମିତିରେ ଘଟଣାର ତଦନ୍ତ ପାଇଁ ଗଠିତ ସ୍ପେଶାଲ ସ୍କ୍ୱାଡ୍ ଏବଂ ନୟାପଲ୍ଲୀ ଥାନା ପୁଲିସ ୩୦୦ରୁ ଉର୍ଦ୍ଧ୍ୱ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବା ସହ ବିପୁଳ ପରିମାଣର ବୈଷୟିକ ତଥ୍ୟ ବିଶ୍ଲେଷଣ କରି ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ।
Also Read: ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ବଡ଼ ଆକ୍ସନ, ଅଭିଯୁକ୍ତକୁ ଏନକାଉଣ୍ଟର, ପେଟରେ ବାଜିଛି ଗୁଳି
ତେବେ ଚନ୍ଦକା ଥାନା ଅଞ୍ଚଳରେ ଅଭିଯୁକ୍ତକୁ କାବୁ କରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ନୟାପଲ୍ଲୀ ପୁଲିସ ଚଢ଼ଉ କରିଥିଲେ। ଏହି ସମୟରେ ଅଭିଯୁକ୍ତ ସନ୍ତୋଷ ଉଗ୍ର ରୂପ ଧାରଣ କରି ନୟାପଲ୍ଲୀ ଥାନାର ସବ୍-ଇନ୍ସପେକ୍ଟରଙ୍କୁ ଏକ ସ୍କ୍ରୁ-ଡ୍ରାଇଭରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ୨ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ଏହି ଗୁଳିଚାଳନାରେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛି। ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।
